ଭୁବନେଶ୍ୱର(ସମୃଦ୍ଧଓଡିଶା)ଓଡ଼ିଆ କବିତାର ବଳିଷ୍ଟ ପରମ୍ପରା ରହିଛି । କବିତାର ଆବେଦନ ପାଠକୁ ଦିଶିଯାଏ, ତେଣୁ କବିତା ଗ୍ରହଣୀୟ ହୋଇଥାଏ । ଆଜିର ଓଡ଼ିଆ କବିତାରେ ସମକାଳର ବହୁମୁଖୀ ବାସ୍ତବତା ପ୍ରତିଫଳିତ ହେଉଛି ବୋଲି ପ୍ରସିଦ୍ଧ କବି ତଥା ଆଲୋଚକ ହରପ୍ରସାଦ ଦାସ ଉଲ୍ଲେଖ କରିଛନ୍ତି । ପଶ୍ଚିମା ପବ୍ଲିକେଶନସ୍ ଆନୁକୁଲ୍ୟରେ ଆଜି ସନ୍ଧ୍ୟାରେ ଗୀତଗୋବିନ୍ଦ ସଦନରେ ଆୟୋଜିତ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡ. ଅଭୟ ନାରାୟଣ ନାୟକଙ୍କ କବିତା ବହି ‘ଛଳ ଛଇଳ’ ଲୋକାର୍ପିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଯୋଗଦେଇ କବି ଶ୍ରୀ ଦାସ କହିଥିଲେ ଯେ ଦୁର୍ବୋଧ୍ୟତା ହେଉଛି ସାର୍ଥକ କବିତାଠାରୁ ପଳାୟନ । ସମ୍ମାନିତ ଅତିଥିଭାବରେ ଯୋଗଦେଇ ବିଶିଷ୍ଟ ପ୍ରାବନ୍ଧିକ ପ୍ରଫେସର ଡ. ପବିତ୍ର ମୋହନ ନାୟକ କହିଲେ ଯେ ଭାଷା ଓ ଭାବର ଉପଯୁକ୍ତ ମିଳନ ଫଳରେ କବିତାରେ ଉପଯୁକ୍ତ ଔଚିତ୍ୟ ପ୍ରକାଶିତ ହୋଇପାରେ । ସେ କବିଙ୍କ ସାରସ୍ୱତ ଜୀବନର ଉନ୍ନତି କାମନା କରିଥିଲେ । କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର କୃତ୍ରିମ ବୁଦ୍ଧିମତ୍ତା ଏବେ ସାହିତ୍ୟ କ୍ଷେତ୍ରରେ ଆଂଶଙ୍କା ସୃଷ୍ଟି କରିଛି ବୋଲି ଉଲ୍ଲେଖ କରିଥିଲେ । ପଶ୍ଚିମା ପବ୍ଲିକେଶନ୍ସ ପକ୍ଷରୁ ଅଶୋକ ମହାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିଲେ ଓ କବି ଡ. ନାୟକ ଲେଖକୀୟ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଦନମୋହନ ବେହେରା, ଇନ୍ଦ୍ରାଣୀ ଚୌଧୁରୀ ଓ ପ୍ରଫେସର ଦେବେନ୍ଦ୍ର ବିଶ୍ୱାଳ ବକ୍ତବ୍ୟ ରଖି କବିଙ୍କୁ ଶୁଭକାମନା ଜ୍ଞାପନ କରିଥିଲେ । ଡ. ଅଶୋକ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ କବି ରକ୍ଷକ ନାୟକ, କ୍ଷୀରୋଦ ପରିଡ଼ା, ବିଭୂତି ପାଣିଗ୍ରାହୀ, ପବିତ୍ର ମୋହନ କର, ଭିକାରୀ ଧଳ, ନନ୍ଦକିଶୋର ବିଶ୍ୱାଳ, ପ୍ରଦୀପ୍ତ କୁମାର ବାରିକ, ଆଭାଷ ବରାଳ ଓ ଅକ୍ଷୟ ପାଳ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ରଜତ ମହାପାତ୍ର