ରାୟଗଡ଼ା (ସମୃଦ୍ଧ ଓଡିଶା) ସାମାଜିକ ଗଣମାଧ୍ୟମରେ କରୋନା ଗୁଜବ ପ୍ରଚାର କରି ରାୟଗଡ଼ାରେ ପୁଣି ଜଣେ ଗିରଫ ହୋଇଛନ୍ତି । ଗିରଫ ବ୍ୟକ୍ତିଙ୍କ ନାମ ଭିନାପାଲି ଶ୍ରୀନିବାସ ରାଓ ତାଙ୍କ ଘର ଶେଷଖାଲ ଥାନା ଅନ୍ତର୍ଗତ ପାତାମହଲ ଅଞ୍ଚଳରେ ବୋଲି ଜଣାପଡ଼ିଛି । ଉକ୍ତ ବ୍ୟକ୍ତି ଜଣକ ରାୟଗଡ଼ାର ଏକ ଘରୋଇ ଶିକ୍ଷା ଅନୁଷ୍ଠାନରେ ଶିକ୍ଷକ ଭାବେ ନିୟୋଜିତ ଥାଇ ମଧ୍ୟ ଏଭଳି କାର୍ଯ୍ୟ କରିଥିବାକୁ ନେଇ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି । ସୂଚନା ଅନୁଯାୟୀ ଶିକ୍ଷକ ଶ୍ରୀନିବାସ ରାଓ ଜେକେପୁର ଅଞ୍ଚଳରେ ଜଣେ କରୋନା ରୋଗୀ ଚିଂହ୍ନଟ ହୋଇଥିବା ନେଇ ମିଥ୍ୟା ଗୁଜବ ସୋସିଆଲ ମିଡିଆରେ ପ୍ରଚାର କରିଥିଲେ । ଏହି ଅଭିଯୋଗରେ ରାୟଗଡ଼ା ଥାନାରେ ଏକ ମାମଲା ରୁଜୁ କରି ପୋଲିସ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଯାଇଥିବା ଏସପି ଡ଼. ଶର୍ବଣା ବିବେକ ଏମ୍ ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ଏଥି ପୂର୍ବରୁ ଗତ ୧୩ତାରିଖ ଦିନ ଏଭଳି କରୋନା ଗୁଜବ ପ୍ରଚାର କରି ଅମ୍ବାଦଳାର ସତ୍ୟନାରାୟଣ ସାମଲ ନାମକ ଜଣେ ଯୁବକ ଗିରଫ ହୋଇଥିଲେ । ରାୟଗଡ଼ା ଜିଲ୍ଲାରେ ଏଭଳି ମିଥ୍ୟା ଖବର ପ୍ରଚାର ନ କରିବା ପାଇଁ ବାରମ୍ବାର ସଚେତନ କରା ଯାଉଥିଲେ ମଧ୍ୟ କିଛି ବ୍ୟକ୍ତି ଏହାର ଖିଲାପ କରି ଆଇନ ଅନୁଯାୟୀ ଦଣ୍ଡିତ ହେଉଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ