ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନାର ଭୟାବହତ ଯୋଗୁଁ ଓଡିଶା ଓ ପଶ୍ଚିମବଙ୍ଗର ବାଲେଶ୍ୱର ତଥା ପଶ୍ଚିମ ମେଦିନୀପୁୂର ଜିଲା ପ୍ରଶାସନ ସୀମା ସିଲ କରିଥିବାରୁ ଆଜି ସୋମବାର ୬୦ନଂ ଜାତୀୟ ରାଜପଥର ପ୍ରାୟ ୫କି.ମି ଦୂର ଯାଏ ହଜାର ହଜାର ଟ୍ରକ ରାସ୍ତାକଡରେ ଛିଡା ହୋଇଥିଲା । ୨ଜିଲା ପ୍ରଶାସନ ସିଦ୍ଧାନ୍ତ ଅନୁଯାୟୀ ଅପରାହ୍ନ ୫ଟାରେ ଟ୍ରକ୍ ଗୁଡିକର ଡ୍ରାଇଭର ଓ ହେଲପରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା (ଥର୍ମାଲ ଟେଷ୍ଟ) କରାଯାଇ ସେମାନଙ୍କୁ ରାଜ୍ୟ ମଧ୍ୟକୁ ପ୍ରବେଶ କରିବାପାଇଁ ଅନୁମତି ଦିଆଯିବାପରେ ତାହା ଆସ୍ତେଆସ୍ତେ ସ୍ୱାଭାବିକ ହେବାରେ ଲାଗିଛି । ଆଜି ସକାଳଠାରୁ ବାଲେଶ୍ୱରରୁ ଖଡଗପୁର ଲମ୍ବିଥିବା ୬୦ନଂ ଜାତୀୟ ରାଜପଥର ଲକ୍ଷ୍ଣଣନାଥ ଟୋଲ ପ୍ଲାଜାଠାରେ ଉଭୟ ଜିଲାର ପ୍ରଶାସନ ପକ୍ଷରୁ ଜଗିବା ସହିତ ସିଲ କରାଯାଇଛି । ଫଳରେ ଘଟଣାସ୍ଥଳରୁ ୩କିମି ଯାଏ ଦାନ୍ତୁନ ଥାନା ପର୍ଯ୍ୟନ୍ତ ଏବଂ ଜଳେଶ୍ୱରର ବାଇପାସ୍ ପର୍ଯ୍ୟନ୍ତ ସବୁ ଯାନ ଗୁଡିକ ରାସ୍ତାକଡରେ ଛିଡା ହୋଇଥିଲା । ଆନ୍ତ ରାଜ୍ୟ ବସ୍ ଚଳାଚଳ ଚଳାଚଳ ବନ୍ଦ ଥିବା ବେଳେ ଭିଡି କମାଇବାଲାଗି ଜଳେଶ୍ୱର ଏସ୍ଡିପିଓ ଅଙ୍କିତା କୁମ୍ଭାର ଓ ବିଡିଓ ଦିପ୍ତୀରଂଜନ ସେଠୀ ଦାନ୍ତୁନ ଥାନା ଯାଇ ସେଠାକାର ପୁଲିସ୍ ଓ ପ୍ରଶାସନ ସହ ଦୀର୍ଘ ସମୟ ଆଲୋଚନା କରିବା ସହ ଜିଲା ପ୍ରଶାସନ ସହିତ ଯୋଗାଯୋଗ କରିଥିଲେ । ଶେଷ ସିଦ୍ଧାନ୍ତ ଅନୁଯାୟୀ ରାସ୍ତାକଡରେ ଛିଡା ହୋଇଥିବା ହଜାର ହଜାର ଟ୍ରକ୍ ଗୁଡିକୁ ଯିବାଲାଗି ଅନୁମତି ମିଳିଥିଲା । ଅନ୍ୟ ପକ୍ଷରେ ଉପାନ୍ତ ଟୁଲ୍ ପ୍ଲାଜାଠାରେ ପଶ୍ଚିମବଂଗର ସ୍ୱାସ୍ଥ୍ୟବିଭାଗର କର୍ମକର୍ତ୍ତାଙ୍କ ନିର୍ଦ୍ଦେଶରେ ପ୍ରତ୍ୟେକ ଡ୍ରାଇଭର ଓ ହେଲପରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା (ଥର୍ମାଲ ଟେଷ୍ଟ) କରାଯିବା ସହିତ ପ୍ରତ୍ୟେକ ଯାନର ଯାତ୍ରୀ ଓ ଚାଳକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଫଳରେ ସେଠାରେ ଲମ୍ବା ଧାଡିରେ ଛିଡା ହୋଇ ପରୀକ୍ଷା କରାଯାଉଥିବା ଦେଖିବାକୁ ମିଳିଥିଲା । ସେହିପରି ଜଳେଶ୍ୱର-ମୋହନପୁର ରାସ୍ତାର ଆମ୍ବଳିଅଠାଠାରେ, ଜଳେଶ୍ୱର-ଦାନ୍ତୁନ ଓଡିରୋଡର ସୋନାକଣିଆଠାରେ, ରାଇବଣିଆ -ନୟାଗ୍ରାମ ଓ ରାଇବଣିଆ-ଝାଡଗ୍ରାମ ରାସ୍ତାରେ ମଧ୍ୟ କଟକଣା ଲାଗୁ କରାଯାଇଛି । ପ୍ରକାଶଯୋଗ୍ୟ କେତେକ ଗ୍ରାମାଂଚଳ ରାସ୍ତାରେ ପ୍ରଶାସନ ଆଢୁଆଳରେ ଅନ୍ୟରାଜ୍ୟରୁ ଲୋକମାନେ ବିଭିନ୍ନ ଯାନରେ ଘରବାହୁଡା ହେଉଥିବା ଦେଖିବାକୁ ମିଳିଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।
ରିପୋର୍ଟ : ଭୂପତି କୁମାର ପରିଡା