କରୋନା ବେଳେ ଗାଁକୁ ପ୍ରବେଶ ମନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ମହାମାରୀ କରୋନା ସଚେତନତା ଯାଇ ପହଞ୍ଚିଛି ପ୍ରତି ଗାଁ ମୁଣ୍ଡରେ । ବିଭିନ୍ନ ଗାଁକୁ ପ୍ରବେଶ ପୂର୍ବରୁ ଗାଁ ମୁଣ୍ଡରେ ନିର୍ମାଣ ହୋଇଛି ଅସ୍ଥାୟୀ ବାଡ । ଦିବା ରାତ୍ର ଗାଁ ଯୁବକମାନଙ୍କୁ ଜଗାଇ ଦିଆଯାଇଛି । ବାହାର ଗାଁର ଅନ୍ୟ କୌଣସି ବ୍ୟକ୍ତି ଗାଁକୁ ପ୍ରବେଶ କରିବାକୁ ମନା । ବନ୍ଧୁ ବାନ୍ଧବ ଆସିଲେ ଗାଁ ଦାଣ୍ଡ ଏହି ବାଡ ନିକଟରେ ଅପେକ୍ଷା କରିବାକୁ ପଡୁଛି । ଗାଁ ମୁଖିଆଙ୍କ ନିର୍ଦ୍ଦେଶ ପରେ ଗାଁ ଗୁଡିକୁ ଅନ୍ୟ ମାନଙ୍କ ପ୍ରବେଶ କରିବା ସମ୍ଭବ ହେଉଛି । ଫଳରେ ବାହାର ରାଜ୍ୟ କିମ୍ବା ବିଦେଶରେ ରହୁଥିବା ବ୍ୟକ୍ତି ବିଶେଷକୁ ଅଧିକ ସଚେତନ କରାଯିବା ସହ ହୋମଆଇସୋଲେସନରେ ରଖାଯିବାକୁ ପରାମର୍ଶ ଦିଆଯାଉଛି । କେତେକ ଗାଁର ଏହି ଗାଁମୁଣ୍ଡ ବାଡନିକଟରେ ସେନିଟାଇଜର, ସାବୁନ୍ ଓ ଡେଟେଲ ପାଣି ଥିବାରୁ ହାତ ଧୋଇ ଗାଁ ଭିତରକୁ ଛଡା ଯାଉଛି । କାଁ ଭାଁ ଗାଁରେ ଏପରି କାର୍ଯ୍ୟକ୍ରମକୁ ମଧ୍ୟ ବିରୋଧ କରାଯାଉଛି । ଗାଁ ଦାଣ୍ଡ ବାଡ ହେବା ଗଣତନ୍ତ୍ର ରାଷ୍ଟ୍ରରେ ଏକ ନିତୀ ବିରୋଧ କାର୍ଯ୍ୟ ବୋଲି କେତେକ ମତବ୍ୟକ୍ତ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା