ଛତ୍ରପୁର (ସମୃଦ୍ଧ ଓଡିଶା)କରୋନାକୁ ଓଡିଶା ରାଜ୍ୟ ବିପର୍ଯ୍ୟୟ ଆପତ୍ତ ଘୋଷଣା କରିବା ଯୋଗୁଁ ଏହି ସଂକ୍ରମଣରୁ ସୁରକ୍ଷିତ ପାଇଁ ଜିଲ୍ଲା ପ୍ରଶାସନର ତତ୍ପରତା ଦେଖା ଦେଇଛି । ଜିଲ୍ଲାବାସୀଙ୍କୁ ସୁରକ୍ଷା ଦୃଷ୍ଟିରୁ ଲୋକମାନଙ୍କୁ ବ୍ୟାପକ ସଚେତନତା ନିମନ୍ତେ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଇଛି । ରବିବାର ଜିଲ୍ଲାର ସମସ୍ତ ବିଧାୟକ, ମା’ତାରାତାରିଣୀଙ୍କ ମନ୍ଦିରର ସମସ୍ତ ସେବାୟତ, ରାଇପୁର ସରପଂଚ, ପୁରୁଷୋତ୍ତମପୁର ବିଡ଼ିଓ, ତହସିଲଦାର ଏବଂ ଗଞ୍ଜାମ ଏସପିଙ୍କ ଉପସ୍ଥିତିରେ ଏକ ଜରୁରୀ ବୈଠକର ଆୟୋଜନ କରାଯାଇ କରୋନା ପ୍ରତି ସାବଧାନତା ଅବଲମ୍ବନ ନିମନ୍ତେ ଜନ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି । ମା’ଙ୍କ ପାରମ୍ପରିକ ଚୈତ୍ର ଯାତ୍ରାକୁ ବନ୍ଦ କରାଯିବାକୁ ଉଠିଥିବା ପରାମର୍ଶକୁ ଏହି ବୈଠକରେ ଗ୍ରହଣ କରା ନ ଯାଇ ବରଂ ପରମ୍ପରା ଦୃଷ୍ଟିରୁ ଯାତ୍ରାରେ ଯେପରି ସାର୍ଯ୍ୟସଜ୍ଜା ସହ ଓ ସୁରୁଖୁରୁରେ ଚାଲିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ଚୈତ୍ର ଯାତ୍ରାର ଦ୍ଵିତୀୟ ପାଳିରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଭକ୍ତଙ୍କ ସଂଖ୍ୟା କିପରି କମ କରାଯାଇ ପାରିବ ସେଥିପ୍ରତି ଲୋକ ପ୍ରତିନିଧି, ପୋଲିସ, ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କ ଜରିଆରେ ସଚେତନତା କରାଯିବାକୁ ପ୍ରାଧାନ୍ୟ ଦିଆଯାଇଛି । ସ୍ୱଛତା ଉପରେ ଗୁରୁତ୍ୱ ଦିଆ ଯାଇ ମନ୍ଦିର ସ୍ୱଛତା ରଖିବା ସହ ଭକ୍ତମାନଙ୍କ ହାତ ଧୋଇବା ପାଇଁ ମନ୍ଦିରର ତଳ ଓ ଉପରରେ ଦୁଇଟି ଲେଖାଏଁ ହାତଧୁଆ କେନ୍ଦ୍ରର ଆୟୋଜନ କରାଯିବା ନିମନ୍ତେ ନିଷ୍ପତି ନିଆଯାଇଛି । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ୧୦ ବର୍ଷ ବୟସରୁ କମ ଶିଶୁ, ବୃଦ୍ଧବୃଦ୍ଧା ଏବଂ ରୋଗୀମାନଙ୍କୁ ମା’ଙ୍କ ଯାତ୍ରା ସ୍ଥଳକୁ ନ ଆସିବା ନିମନ୍ତେ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ମା’ଙ୍କ ଯାତ୍ରାରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ନ ରହି ପରିବାରର ଜଣେ ଆସି ମା’ଙ୍କ ପୂଜା କରିଲେ ଉତ୍ତମ ରହିବ ବୋଲି ପରାମର୍ଶ ଦିଆଯାଇଛି । ସେହିପରି ବାହାର ଜିଲ୍ଲା ତଥା ରାଜ୍ୟରୁ ଭକ୍ତମାନଙ୍କ ପାଇଁ ଯାତ୍ରାକୁ ଆସିବା ନିମନ୍ତେ ସମ୍ପୂର୍ଣ୍ଣ ନିଷେଧ କରଯାଇଛି । ଏହା ଉପରେ ସ୍ଥାନୀୟ ପୋଲିସ ଓ ଅଧିକାରୀ ଏବଂ ପଞ୍ଚାୟତ ପ୍ରତିନିଧିମାନେ ତୀକ୍ଷଣ ଦୃଷ୍ଟି ରଖିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପରାମର୍ଶ ଦେଇଛନ୍ତି । ସେହିପରି ଜିଲ୍ଲାରେ କୋୖଣସି ଛୋଟବଡ଼ ଉତ୍ସବ ଓ ପର୍ବକୁ ଧୁମଧାମରେ ପାଳନ ନ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡନାଚ ମଧ୍ୟ ବନ୍ଦ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ବିଭିନ୍ନ ମନ୍ଦିର ସମ୍ମୁଖରେ ଏଭଳି ସଚେତନତାର ବାର୍ତ୍ତା ଲାଗିବ । ଆଳତି ବେଳେ ଭିନ ନ କରି ଏକ ମିଟର କିମ୍ବା ଦେଢ଼ମିଟର ଦୂରତ୍ୱ ରହି କାର୍ଯ୍ୟ କରିବାକୁ ହେବ । ଏହି ମହାମାରୀ ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷିତ ପାଇଁ ଲମ୍ବା ସମୟ ପର୍ଯ୍ୟନ୍ତ ମୁକାବିଲା କରିବାର ରହିଛି । ଏଭଳି ସ୍ଥିତିରେ ଜନସାଧାରଙ୍କ ସୁରକ୍ଷିତ ଦୃଷ୍ଟିରୁ ସମସ୍ତ କ୍ଷେତ୍ରରେ ଜିଲ୍ଲାବାସୀଙ୍କ ସହଯୋଗ ନିହାତି ଆବଶ୍ୟକ ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି । ଏଥିସହ ଜିଲ୍ଲାର ସମସ୍ତ ହସ୍ପିଟାଲ ଗୁଡିକ ପ୍ରସ୍ତୁତି ରହିବାକୁ ହେବ । ଜିଲ୍ଲା ପାଇଁ ମଞ୍ଜୁର ହୋଇଥିବା ନୂତନ ଡାକ୍ତର ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ହେବ । ଏମକେସିଜି ହସ୍ପିଟାଲ, ଛତ୍ରପୁର ଓ ଭଞ୍ଜନଗର ଏବଂ ଅନ୍ୟାନ୍ୟ ହସ୍ପିଟାଲ ଗୁଡିକ ପରିପାର୍ଶ୍ୱକୁ ପରିସ୍କାର ପରିଚ୍ଛନତା ଦିଗରେ ପୂର୍ତ୍ତ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶରତ କୁମାର ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆର.ଜଗଦୀଶ ପଟ୍ଟନାୟକ, ଗଞ୍ଜାମ ଏମଭିଆଇ ଏସ.କେ.ପରିଡାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା