ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ କରୋନା ଭୁତାଣୁ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଥିବା ଯୋଗୁଁ ସମ୍ପୂର୍ଣ୍ଣ ଜିଲ୍ଲାରେଏକ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିବା ଜଣାପଡିଛି । ଫଳରେ ଗଞ୍ଜାମ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଭୟଭୀତ ବା ଆତଙ୍କିତ ନ ହେବା ପାଇଁ ଆଶ୍ୱାସନା ଦେଇ ଆସୁଥିବା ଓ ବିଭିନ୍ନ ପ୍ରତିଷେଧକ କାର୍ଯ୍ୟ ପନ୍ଥା କରିବାକୁ ଅନୁରୋଧ କରୁଛନ୍ତି । ପ୍ରବାସୀ ଓଡ଼ିଆ ମାନଙ୍କ ପାଇଁ କରାଯାଇଥିବା କ୍ଵାରେନଣ୍ଟାଇନ କେନ୍ଦ୍ର ଗୁଡ଼ିକରୁ କରୋନା ଭୁତାଣୁ ସଂକ୍ରମଣ ବୃଦ୍ଧି ପାଉଥିବା ଦେଖି ଜିଲ୍ଲା ପ୍ରଶାସନ ବିଭିନ୍ନ ପ୍ରକାର ସାବଧାନତା ଅବଲମ୍ବନ କରିବାକୁ ଓ ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ସେମାନଙ୍କୁ ବ୍ୟାପକ ଭାବେ ପରୀକ୍ଷା କରାଯିବା ସହ ଓ କ୍ଵାରେନଣ୍ଟାଇନ କେନ୍ଦ୍ରରେ କଡ଼ା ସୁରକ୍ଷାରେ ରଖାଯାଇଛି । ସେମାନଙ୍କୁ ନିୟମିତ ବିଭିନ୍ନ ପ୍ରକାର ଖାଦ୍ୟ ଦେବା ସହ ଜଣେ ବ୍ୟକ୍ତି ଚାହିଁଲେ ୨୧ଦିନରୁ ୧୦ ଦିନ ବିଭିନ୍ନ କ୍ଵାରେନଣ୍ଟାଇନ କେନ୍ଦ୍ର ବା ସ୍କୁଲ ପରିସରରେ ଉଦ୍ୟାନମୂଳକ କାର୍ଯ୍ୟ କରି ପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମ ଜାରି କରାଯାଇଥିବା କୁହାଯାଇଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଵାରେନଣ୍ଟାଇନ କେନ୍ଦ୍ରକୁ ନ ଯିବା ନିମନ୍ତେ ବିଭିନ୍ନ ଆଇନ ପ୍ରଣୟନ କରାଯାଇ କ୍ଵାରେନଣ୍ଟାଇନ କେନ୍ଦ୍ରରେ ରହିଥିବା ବ୍ୟକ୍ତିମାନେ ସମଦୂରତା ରକ୍ଷା କରି ବିଭିନ୍ନ ନିୟମକୁ ପାଳନ କରିବା ସହ ନିଜ ସମ୍ପର୍କୀୟମାନଙ୍କ ସହ ନ ମିଶିବାକୁ କୁହାଯାଇଛି । ଏହାସହ ସମ୍ପର୍କିୟ କିମ୍ବା କୌଣସି ବ୍ୟକ୍ତି ବିଶେଷ ମାନେ କ୍ଵାରେନଣ୍ଟାଇନ କେନ୍ଦ୍ର ନିକଟକୁ ନ ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି । ଯେଉଁ ମାନେ ଏହି ନିୟମକୁ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଅନ୍ୟ ଜିଲ୍ଲାର କ୍ଵାରେନଣ୍ଟାଇନ କେନ୍ଦ୍ରରେ ସେମାନଙ୍କୁ ରଖାଯିବ ବୋଲି ଜିଲ୍ଲାପାଳ ପୂର୍ବରୁ ସୂଚନା ଦେଇଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅସ୍ୱାନ୍ ଭିଡିଓ କନଫେରେନ୍ସିଂ ହଲରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜିଲ୍ଲାର ସମସ୍ତ ବିଧାୟକ, ବିଧାୟିକା, ସାଂସଦ ମାନଙ୍କ ସହ ଭିଡ଼ିଓ କନଫେରେନ୍ସିଂ ଜରିଆରେ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ । ଜିଲ୍ଲାକୁ ବର୍ତ୍ତମାନ ବିଭିନ୍ନ ଦେଶରୁ ପ୍ରବାସୀ ଓଡ଼ିଆ ମାନେ ଆସୁଛନ୍ତି । ସେମାନଙ୍କୁ କିପରି ସୁରକ୍ଷିତ ରଖାଯିବ ଓ କ୍ଵାରେନଣ୍ଟାଇନ କେନ୍ଦ୍ରକୁ କଡ଼ାକଡ଼ି ସୁରକ୍ଷା କରାଯିବ ସେଥି ନିମନ୍ତେ ବିଭିନ୍ନ ଜନପ୍ରତିନିଧି ମାନଙ୍କୁ ସହଯୋଗ କରିବା ପାଇଁ କୁହାଯାଇଛି । ଏହାସହ ସରପଞ୍ଚଙ୍କ ସମେତ ସମିତି ସଭ୍ୟ, ବ୍ଲକ୍ ଅଧ୍ୟକ୍ଷ ଓ ବିଧାୟକ ବିଧାୟିକା, ସାଂସଦ ମାନଙ୍କ ସମେତ ବହୁ ଜନପ୍ରତିନିଧି ମାନେ ଏକ କମିଟି ଗଠନ କରି କିପରି କରୋନାର ମୁକାବିଲା କରାଯିବ, ଜିଲ୍ଲାବାସୀ କିପରି ସୁରକ୍ଷିତ ରହିବେ ସେଥି ନିମନ୍ତେ ଜିଲ୍ଲାପାଳ ଆଲୋଚନା କରିଥିଲେ । ପ୍ରବାସୀ ଓଡ଼ିଆ ମାନେ ଯଦି ଓଡ଼ିଶାକୁ ନ ଆସି ସେଠାରେ ରହିବାକୁ ଇଛୁକ ହୁଅନ୍ତି ସେମାନଙ୍କର ସୁବନ୍ଦୋବସ୍ତ କିପରି କରାଯିବ ସେ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବର୍ତ୍ତମାନ ଜନପ୍ରତିନିଧି ମାନେ ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ସଚେତନ କରାଇବା ଉଦ୍ୟମ କରିବା ଦରକାର ବୋଲି କହିଥିଲେ । ବ୍ୟବସାୟୀ ମାନେ ମାସ୍କ, ସମଦୂରତା, ହାତରେ ଗ୍ଲୋବସ୍ ଓ ସରକାରଙ୍କ ବିଭିନ୍ନ ନିୟମ ମୁତାବକ ବ୍ୟବସାୟ କରିବା ଦରକାର । ସେହିପରି ଗ୍ରାମାଂଚଳରେ ଲୋକମାନେ କିପରି ସଚେତନ ହୋଇ ବାହାରେ ଏଣେ ତେଣେ ନ ବୁଲି ମାସ୍କ ବ୍ୟବହାର କରି ଘରେ ସୁରକ୍ଷିତ ରହିବେ ସେଥି ନିମନ୍ତେ ଜିଲ୍ଲା ପ୍ରଶାସନ ସଚେତନା କରିବା ସହ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପୋଲିସ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀ ମାନେ କାର୍ଯ୍ୟ କରୁଛନ୍ତି । ଜିଲ୍ଲାରେ କିପରି ଅଧିକରୁ ଅଧିକ ପରୀକ୍ଷା ହୋଇପାରିବ ସେଥି ନିମନ୍ତେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାରେ ପ୍ରବାସୀ ଓଡ଼ିଆଙ୍କ ଆଗମନ ଦେଖି ଜିଲ୍ଲାର ବିଭିନ୍ନ ସ୍ଥାନରେ କ୍ଵାରେନଣ୍ଟାଇନ କେନ୍ଦ୍ର ଗୁଡ଼ିକ କରାଯାଇଛି । ଏହାସହ ଆନୁସଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି । ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ଚିକିତ୍ସା ମଧ୍ୟ କରାଯାଉଛି । ସୂଚନା ଯୋଗ୍ୟ ଯେ ଜିଲ୍ଲାର କରୋନା ପଜିଟିଭ୍ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ତିନିଜଣ ଆଇଏସ୍ ଅଫିସର, ଜଣେ ବରିଷ୍ଠ ନୋଡ଼ାଲ୍ ଆଇଏସ୍ ଅଫିସର ଓ ୫ଜଣ ବରିଷ୍ଠ ଓଏସ୍ ଅଫିସର ବିଭିନ୍ନ କାର୍ଯ୍ୟକ୍ରମକୁ ତନଖି ଦେଖୁଛନ୍ତି । ଗତକାଲି ଏନେଇ ରାଜ୍ୟ ସରକାରଙ୍କ ୫-ଟି ସଚିବ ବି.କେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାର ସମସ୍ତ ସରପଞ୍ଚଙ୍କ ସହିତ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଆଲୋଚନା କରିଥିଲେ । ପୂର୍ବରୁ ଅତିରିକ୍ତ ପୁଲିସ ମହା ନିର୍ଦ୍ଦେଶକ ଏସ୍.କେ. ପ୍ରିୟଦର୍ଶନୀ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କ୍ୱାରେନଟାଇନ୍ ସେଂଟର ବୁଲି ଦେଖିବା ସହ ଜଗନ୍ନାଥପୁର ରେଲୱେ ଷ୍ଟେସନ୍ ଠାରେ ପ୍ରବାସୀ ଓଡ଼ିଆଙ୍କ ଆଗମନକୁ ଦୃଷ୍ଟିରେ ରଖି ପୋଲିସର କଡ଼ା ସୁରକ୍ଷାର ସମୀକ୍ଷା କରିଥିଲେ । ଆଜି ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଗଞ୍ଜାମ ଜିଲ୍ଲାର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟଶୈଳୀ ଓ ଚେକ୍ ପୋଷ୍ଟ୍ ଗୁଡ଼ିକ ବୁଲି ଦେଖିଥିଲେ । ଅନ୍ୟପଟେ ଗାଁ ଭିତରେ ଥିବା କ୍ୱାରେଣ୍ଟିନ ସେଣ୍ଟର ଗୁଡିକୁ ସ୍ଥାନାନ୍ତର କରି ବନ୍ଦ ରହିଥିବା ଘରୋଇ ଶିକ୍ଷାନୁଷ୍ଠାନରେ ଖୋଲିବ ପାଇଁ ପ୍ରସ୍ତାବ ଦିଆଯାଇଛି । ଜିଲ୍ଲାରେ କୋଭିଡ-୧୯ ନିୟନ୍ତ୍ରଣରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ବାଚସ୍ପତି । ଛତ୍ରପୁରରେ ଆୟୋଜିତ ଭିଡିଓ କନଫେରେନ୍ସିଂରେ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଓ ଅମୀୟ କୁମାର ସାହୁ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଡିଆରଡିଏ ପିଡ଼ି ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଡୁଡା ପିଡି ସୁଦାମ ଚରଣ ମଣ୍ଡଳ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶରତ କୁମାର ପାତ୍ର ଉପସ୍ଥିତ ରହିଥିଲେ । ସେହିପରି ଛତ୍ରପୁର ବ୍ଲକ୍ କାର୍ଯ୍ୟାଳୟର ଭିଡିଓ କନଫେରେନ୍ସିଂ ହଲ୍ ଠାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡି, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ ପ୍ରମୁଖ ଭିିଡ଼ିଓ କନଫେରେନ୍ସିଂରେ ଯୋଗ ଦେଇଥିଲେ । ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଓ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମଧ୍ୟ ଏହି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା