ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମରେ କରୋନା ଭୁତାଣୁ ସଂକ୍ରମଣ ମୁକାବିଲାର ବାସ୍ତବ ସ୍ଥିତି ଜାଣିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗେ ସରପଞ୍ଚମାନଙ୍କ ସହିତ ସିଧା ଆଲୋଚନା କରିଛନ୍ତି । ଭିଡିଓ କନଫରେନସିଂ ମାଧ୍ୟମରେ ୨୨ଗୋଟି ବ୍ଲକର ସରପଞ୍ଚମାନଙ୍କୁ କରୋନା ମୁକାବିଲା ପାଇଁ ପ୍ରତ୍ୟକ୍ଷ ଭାବେ ସାମିଲ ହେବାକୁ ଜିଲ୍ଲାପାଳ କହିଛନ୍ତି । ଗ୍ରାମ ପଞ୍ଚାୟତରେ ପରିସ୍କାର ପରିଚ୍ଛନତା ପ୍ରତି ଅଧିକ ଧ୍ୟାନ ଦିଆଯିବ । ଜିଲ୍ଲାର ଯେଉଁ ଲୋକମାନେ ବାହାର ରାଜ୍ୟରେ ଅଟକିଛନ୍ତି ସେମାନଙ୍କୁ ଲକଡାଉନ ପରେ ଆସିବାକୁ କୁହାଯିବ । ବାହାରୁ କୌଣସି ଲୋକ ଗାଁକୁ ଆସିଲେ ସରପଞ୍ଚ ମାନେ ତୁରନ୍ତ ପ୍ରଶାସନକୁ ଜଣାଇବେ । ଲକଡାଉନ ସମୟରେ ଚାଷ କାର୍ଯ୍ୟ, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟ ଚାଷ ଓ କୁକୁଡ଼ା ପାଳନ ଯଥାରୀତି ଚାଲିବ । ପଞ୍ଚାୟତରେ ଥିବା ସାମୟିକ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକୁ ସମ୍ପୂର୍ଣ୍ଣ ସଜାଗ କରି ରଖାଯିବ । ଘର ଘର ବୁଲି ଯେଉଁ ସ୍ୱାସ୍ଥ୍ୟ ଯାଞ୍ଚ କାର୍ଯ୍ୟ ଚାଲିଛି ସେଥିରେ ସହଯୋଗ ପାଇଁ ସରପଞ୍ଚମାନେ ଲୋକଙ୍କୁ ବୁଝିବେ । ଯାଞ୍ଚ ସମୟରେ ଯେଉଁ ମାନଙ୍କର ସାମାନ୍ୟତମ ଲକ୍ଷଣ ଦୃଷ୍ଟି ଗୋଚର ହେବ ତାଙ୍କୁ ଡାକ୍ତରୀ ଦଳ ତୁରନ୍ତ ଭଲ ଭାବରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ମୁହଁକୁ ଆବୃତ୍ତ କରି ରଖିବା ପାଇଁ ଜନସଚେତନତା ସୃଷ୍ଟି କରାଯିବ । ଯେଉଁମାନେ ପୋଖରୀରେ ଗାଧୋଉ ଛନ୍ତି ସେମାନଙ୍କୁ ନିବୃତ୍ତ କରିବା ପାଇଁ ସରପଞ୍ଚ ମାନେ ବିହିତ ଚେଷ୍ଟା କରିବେ । ବିନା କାରଣରେ ବାହାରେ ବୁଲିବାକୁ ବାରଣ କରାଯିବ । ପ୍ରତ୍ୟେକ ପଞ୍ଚାୟତରେ ଅସହାୟମାନଙ୍କୁ ରନ୍ଧାଖାଦ୍ୟ ଦିଆଯିବ । ଖାଦ୍ୟର ସ୍ୱଚ୍ଛତା ଗୁଣବତ୍ତା ଉପରେ ଅଧିକ ଧ୍ୟାନ ଦିଆଯିବ । ଭତ୍ତା ଓ ଖାଦ୍ୟ ସୁରକ୍ଷା ଚାଉଳ ବଣ୍ଟନ ସୁଚାରୁ ରୂପେ କରାଯିବ । କୌଣସି ଅସୁବିଧା ହେଲେ ସରପଞ୍ଚମାନେ ସିଧା ଜିଲ୍ଲାପାଳଙ୍କ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି । ଟ୍ରାଫିକ ନିୟମ ନ ମାନି ମଟରସାଇକେଲ ଚଳାଇଲେ ବିନା ହେଲମେଟ ପାଇଁ ୫୦୦ ଟଙ୍କା, ଡ୍ରାଇଭିଂ ଲାଇସେନ୍ସ ନ ଥିଲେ ୫୦୦ ଟଙ୍କା ଓ ପାଲ୍ୟୁସନ ସାର୍ଟିଫିକେଟ ନ ଥିଲେ ୫୦୦ ଟଙ୍କା ଆଦାୟ କରାଯିବ । ଦୋକାନୀ ମାନେ ମଧ୍ୟ ମାସ୍କ ପିନ୍ଧି ନ ଥିବା ଗରାଖଙ୍କୁ ସଉଦା ଦେବେ ନାହିଁ । କଳାବଜାରୀ ଓ ଅଧିକ ଦାମରେ ଜିନିଷ ବିକ୍ରି କରୁଥିଲେ କାର୍ଯ୍ୟାନୁଷ୍ଠାନ ହେବ । ବାହାର ଫେରନ୍ତା ଯେକୌଣସି ବ୍ୟକ୍ତିଙ୍କୁ କ୍ଵରେଣ୍ଟାଇନରେ ରଖାଯିବ । ଚୋରା ମଦ ଉପରେ ତୀକ୍ଷ୍ମ ନଜର ରଖାଯିବ ଓ ବିକୁଥିବା ବ୍ୟକ୍ତିଙ୍କୁ ମଧ୍ୟ ୧୪ ଦିନିଆ କ୍ଵରେଣ୍ଟାଇନରେ ରଖାଯିବ । ଲକଡାଉନକୁ ସମସ୍ତେ ଯେପରି ଆଗ୍ରହର ସହିତ ମାନିବେ ସେଥିପାଇଁ ସରପଞ୍ଚମାନେ ଲୋକଙ୍କୁ ବୁଝାଇବେ । ଆଲୋଚନାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଆମାୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରୟ ଭାଉ ସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ବୋଲି ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ପ୍ରଧାନ ଜଣାଇଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା