କରୋନା ସଂକ୍ରମିତ ଓଡିଆ ଯୁବକଙ୍କ କୋଲକତାରେ ମୃତ୍ୟୁ : ସହାୟତା ଦାବି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ବାଇଗଣବାଡିଆ ପଞ୍ଚାୟତରେ ଘଟିଛି ଏକ ଅଭାବନୀୟ ଘଟଣା । ମଧୁସୂଦନ ବାରିକଙ୍କ ଏକମାତ୍ର ପୁଅ ଉତ୍ତମ କୁମାର ବାରିକ(୪୧) ଆଜକୁ ୨୦ବର୍ଷ ତଳେ କୋଲକତା ଯାଇଥିଲେ ପରିବାର ପ୍ରତିପୋଷଣ ପାଇଁ । ସେଠାରେ ଡିସାମ୍ ହସ୍ପିଟାଲରେ କେଣ୍ଟିନ୍ ସୁପରଭାଇଜର ଭାବେ ତାଙ୍କୁ ସେଠାରେ ନିଯୁକ୍ତି ମିଳିଥିଲା । ସେ ଦି ପଇସା ରୋଜଗାର କରିବା ସହ ପରିବାର ପ୍ରତିପୋଷଣ କରି ଆସୁଥିଲେ । ବାଇଗଣବଡିଆ ଅଞ୍ଚଳରୁ କେତେକ ଯୁବକଙ୍କୁ ନେଇ ସେ ସେଠାରେ ଅନ୍ନ ସଂସ୍ଥାନ ଯୋଗାଇ ଦେଇଥିଲେ । କିନ୍ତୁ ଗତ ଜୁଲାଇ ମାସ ୧୯ ତାରିଖରେ ତାଙ୍କ ଥଣ୍ଡା ଜ୍ୱର, କାଶ ଇତ୍ୟାଦି ଲାଗି ରହିବାରୁ ସେ ସେହି ହସ୍ପିଟାଲ ଡିସାନ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର କରୋନା ପଜେଟିଭ୍ ଥିବାର ଡାକ୍ତରଖାନା ପକ୍ଷରୁ ଜଣାଇ ଦିଆଯାଇଥିଲା । ସେ ପୂର୍ବରୁ ଡାଇବେଟିସ୍ ଓ ହୃଦ୍‌ରୋଗରେ ପିଡିତ ଥିଲେ ମଧ୍ୟ ଆପତତଃ ସୁସ୍ଥ ଥିଲେ । ତାଙ୍କୁ ସୁସ୍ଥ ହେବା ଲାଗି ଅଧିକ ଦିନ ସମୟ ଲାଗିବ ବୋଲି ଡାକ୍ତରଖାନା ପକ୍ଷରୁ ଜଣାଇ ଦିଆଯାଇଥିଲେ ମଧ୍ୟ ଗତ ୭ତାରିଖ ଦିନ ୧ଘଣ୍ଟା ୪୫ ମି. ସମୟରେ ଗୋଲ ବଜାରସ୍ଥିତ ଡିସାନ୍ ହସ୍ପିଟାଲରେ ତାଙ୍କର ମୃତ୍ୟ ଘଟିଛି । ମୃତ ଉତ୍ତମ ବାରିକଙ୍କ ୮୫ବର୍ଷର ବାପା ଓ ୮୦ବର୍ଷର ମାଆ, ସ୍ତ୍ରୀ ରଞ୍ଜିତା, ଝିଅ ରଶ୍ମିଲତା, ପୁଅ ପ୍ରିତମ୍ ଏବେ ବେସାହାରା ହୋଇ ପଡିଛନ୍ତି । ଏହି ଘଟଣା ଜଣାଯିବାପରେ ଜଳେଶ୍ୱର ବ୍ଲକର ବାଇଗଣ ବାଡିଆ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଜିଲାପାଳ ଓ ଓଡିଶା ସରକାର ଏ ସଂପର୍କରେ ହସ୍ତକ୍ଷେପ କରି ଡିସାନ୍ ହସ୍ପିଟାଲର କର୍ତ୍ତୃପକ୍ଷ ଉତ୍ତମର ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା