ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣକୁ ରୋକିବା ସକାଶେ ଅନେକ ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ଯାହା ଫଳରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା କମିବାରେ ଲାଗୁଛି ଓ କରୋନା ସଂକ୍ରମିତ ବ୍ୟକ୍ତିଗଣ ଅଧିକ ସଂଖ୍ୟାରେ ସୁସ୍ଥ ହୋଇ ପାରିଛନ୍ତି । ସଂପ୍ରତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କରୋନା ସଂକ୍ରମଣକୁ ରୋକିବା ଦିଗରେ ଆଉଏକ ନୂତନ ପଦକ୍ଷେପ ହାତକୁ ନେଇଛନ୍ତି । ଜିଲ୍ଲାରେ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତି ବିଶେଷଙ୍କର ପୁନର୍ବାର (ଆର୍.ଆର୍.ଟି.) ଯାଞ୍ଚ କରାଯିବ । ଚଳିତ ମାସ ଅଗଷ୍ଟ ୨୦ ତାରିଖ ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଶେଷ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟଟିମ୍ ରେ ଏ.ଏନ୍.ଏମ୍., ଆଶା, ଅଙ୍ଗନୱାଡି କର୍ମୀ, ଆୟୁଷ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କୁ ନେଇ ଦଳ ଗଠନ ହେବ ଏବଂ ସେହି ଦଳ ନିଜର ସୁରକ୍ଷା ନିମନ୍ତେ ସତର୍କ ରହି କାର୍ଯ୍ୟ ପରିଚାଳନା କରିବେ । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ବିଶେଷଙ୍କ ଘରକୁ ଘର ଯାଇ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବା ସହିତ ସେମାନଙ୍କର ତଥ୍ୟ ଏକ ନିର୍ଦ୍ଧାରୀତ ଫର୍ମରେ ପୂରଣ କରିବେ । ଯଦି ଆବଶ୍ୟକ ପଡେ ତେବେ ଅନ୍ୟଜିଲ୍ଲାରୁ ଡେପୁଟେସନରେ ଆସିଥିବା ଏ.ଏମ୍.ଓ. ଏବଂ ଏଚ୍.ଏମ୍.ଓ. ମାନଙ୍କର ସେବା ମଧ୍ୟ ଗ୍ରହଣ କରି ଏହି କାର୍ଯ୍ୟ ସଂପାଦନା କରିବାକୁ ସୁପରିଣ୍ଟେଣ୍ଡେଣ୍ଟ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସ୍ବାସ୍ଥ୍ୟ ଯାଂଚ୍ ସମୟରେ ଯଦି କୌଣସି ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ସୁଦ୍ଧା ପୁନର୍ବାର କରୋନା ସଂକ୍ରମଣ ଲକ୍ଷଣ ରହୁଛି ତେବେ ତୁରନ୍ତ ସେମାନଙ୍କୁ କୋଭିଡ୍ ଚିକିତ୍ସାଳୟକୁ ନେଇ ସେମାନଙ୍କର ଚିକିତ୍ସା କରାଯିବାର କାର୍ଯ୍ୟକ୍ରମ ରହିଛି । ଅକ୍ସିଜେନ ସ୍ତର, ପଲ୍ସ, ତାପମାତ୍ରା ଓ ଅନ୍ୟାନ୍ୟ ଲକ୍ଷଣ ଗୁଡିକ ଯାଂଚ୍ କରିବେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ମହାନଗର ନିଗମ କମିଶନରଙ୍କ ଦ୍ୱାରା ଏହାର ସୁପରିଚାଳନା ନିମନ୍ତେ ସୁପରଭାଇଜର୍ ମାନଙ୍କୁ ନିଯୁକ୍ତି ଦେବେ ବୋଲି ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା