କଳାକାରମାନେ ସମାଜ ସୁଧାରକ:ବରିଷ୍ଠ କଳାକାର ସଂଘ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଉତ୍କଳ ଆଶ୍ରମ ସଭା କକ୍ଷରେ ଏକ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଚତୁର୍ବେଦରେ ସାରତତ୍ତ୍ୱରେ ରଚିତ ପଞ୍ଚମ ବେଦ ଅର୍ଥାତ ନାଟ୍ୟ ବେଡର ପ୍ରଚାର ଏବଂ ପ୍ରସାର କାର୍ଯ୍ୟ କଳାକାରମାନେ କରୁଥିବା ହେତୁ ସେମାନଙ୍କୁ ସମାଜ ସୁଧାରକ କହିଲେ ଆତ୍ୟୁକ୍ତ ହେବ ନାହିଁ । ଏହି କଳାକାର ଗୋଷ୍ଠିର ପ୍ରଗତିରେ ସମାଜ କଲ୍ୟାଣ ହିଁ ସଂଗୋପିତ । ଏଣୁ କଳାକାରମାନଙ୍କ କର୍ମ ଏବଂ ଜୀବନଚର୍ଯ୍ୟା ଯେଭଳି ସୁନ୍ଦର ସୃଷ୍ଟି ହୋଇପାରିବ ସେଥିପ୍ରତି ସରକାର ସଚେତନ ପୂର୍ବକ ପ୍ରଯତ୍ନଶୀଳ ହେବା ଉଚିତ ବୋଲି ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ନିଜସ୍ୱ ଦାବୀ ଉପସ୍ଥାପନା କରିଛନ୍ତି । ସଂଘ ପକ୍ଷରୁ ସୁବାସ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଙ୍ଗଠନିକ ସଭାରେ ନାଟ୍ୟପ୍ରଦୀପ ମଦନ ମୋହନ ମିଶ୍ର, ନାଟ୍ୟ ବିଦ୍ୟା ବୁଦ୍ଧ ପ୍ରଫୁଲ୍ଲ ବେହେରା, ନିର୍ଦ୍ଦେଶକ ଦେବେନ୍ଦ୍ର ଶର୍ମା, ବର୍ଷୀୟାନ ସଂସ୍କୃତି ପୁରୁଷ ଶିଶୁ ନାହାକ, ଗବେଷକ ଭେଙ୍କଟ ବିହାରୀ ପ୍ରହରାଜ, ପ୍ରମୁଖ ଅତିଥି ଭାବରେ ଯୋଗଦେଇ ପୂର୍ବୋକ୍ତ ମତବ୍ୟକ୍ତ କରିଥିଲେ । ସଂଘର ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କୋଷାଧ୍ୟକ୍ଷ ଦୁର୍ଗା ପ୍ରସଦ ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଦେବେନ୍ଦ୍ର ନାଥ ଶର୍ମା ଏବଂ ନାଟ୍ୟକାର ପ୍ରଫୁଲ ବେହେରାଙ୍କୁ ଉପଦେଷ୍ଟା, ନାରାୟଣ ମହାରଣା, ଉମା ଶଙ୍କର ଦାଶ ଶର୍ମା, ଗୀତା ସ୍ୱାଇଁ, ଜୟନ୍ତୀ ମିଶ୍ରଙ୍କୁ ଉପ ସଭାପତି, ରବି ଦାଶଙ୍କୁ ସହ ସମ୍ପାଦକ ଭାବରେ ଚୟନ କରାଯିବ ସହ ଲୋକନାଥ ପ୍ରଧାନ, ସୂର୍ଯ୍ୟନାରାୟଣ ପାତ୍ର ଏବଂ ସୁଧାଂଶୁବାଳା ପାଣିଗ୍ରାହୀଙ୍କୁ ସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ଭାବରେ ଚୟନ କରାଯାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ବିଜୟ କୁମାର ମାଝୀଙ୍କୁ ଜଗନ୍ନାଥ ପ୍ରସାଦ, ଶିଶିର କୁମାର ସାହାଣୀଙ୍କୁ କୁକୁଡାଖଣ୍ଡି, ପ୍ରଫୁଲ୍ଲ କୁମାର ନାୟକଙ୍କୁ ଛତ୍ରପୁର, ତ୍ରିଲୋଚନ ପଣ୍ଡାଙ୍କୁ ବୁଗୁଡ଼ା, ବିନାୟକ ହୋତାଙ୍କୁ ରଙ୍ଗେଇଲୁଣ୍ଡା ବ୍ଲକ ସଂଯୋଜକ ଭାବରେ ସଂଘ ତରଫରୁ ଘୋଷଣା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଳକରୁ ପ୍ରତିଭୂ ସ୍ଥାନୀୟ ଶତାଧିକ କଳାକାର ଯୋଗଦେଇ ସଂଘ ତରଫରୁ ”କଳାକାର କଲ୍ୟାଣ ପାଣ୍ଠି” ଗଠନ ସହ ଦୁଃସ୍ଥ କଳାକାରଙ୍କ ଭର୍ତ୍ତା ରାଶି ବୃଦ୍ଧି ସମ୍ପର୍କରେ ଦାବି ଉପସ୍ଥାପନ କରିଥିଲେ । ପରିଶେଷରେ ଜୟନ୍ତୀ ମିଶ୍ର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା