ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ସମାଜରେ ୪ର୍ଥ ସ୍ତମ୍ଭ ଭାବେ କାର୍ଯ୍ୟକରୁଥିବା ସାମ୍ବାଦିକ ମାନଙ୍କ ଉପରେ ଦିନକୁ ଦିନ ଆକ୍ରମଣ ବଢି ବଢି ଚାଲିଛି । ବିଭିନ୍ନ ଅସାମାଜିକ ବ୍ୟକ୍ତିମାନେ ସେମାନଙ୍କର ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବାପାଇଁ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରିବାପାଇଁ ପଛାଉ ନାହାନ୍ତି । ଫଳରେ ନିରିହ ସାମ୍ବାଦିକ ମାନେ ଗୁରୁତର ଓ ମୃତାହତ ହେଉଛନ୍ତି । ଗତ ଗୁରୁବାର ସଂଧ୍ୟାରେ ବାଲିଆପାଳର କାର୍ଯ୍ୟରତ ସାମ୍ବାଦିକ ପ୍ରତାପ ଚନ୍ଦ୍ର ପାତ୍ରଙ୍କୁ କେତେକ ଦୁର୍ବୁତ୍ତ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ । ସେ ଗୁରୁତର ଆହତ ହୋଇ ରାସ୍ତାରେ ଚିତ୍କାର କରୁଥିବା ବେଳେ ଦୁର୍ବୁତ୍ତମାନେ ଖସି ଯିବାକୁ ସମର୍ଥ ହୋଇଥିଲେ । ସ୍ଥାନୀୟ ଲୋକେ ସାମ୍ବାଦିକ ଶ୍ରୀ ପାତ୍ରଙ୍କୁ ପ୍ରଥମେ ବାଲିଆପାଳର ଇଡ୍କେୋ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ସାରି ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଇଥିଲେ । କିନ୍ତୁ ବାଲିଆପାଳରେ କିଛିଦିନ ମଧ୍ୟରେ ଲଗାତର ୨ଥର ସାମ୍ବାଦିକ ମାନଙ୍କୁ ଆକ୍ରମଣ କରାଯାଇଥିବାରୁ ଆଇନ୍ ଶୃଙ୍ଖଳର ଅଧୋଗତି ପ୍ରଶାସନିକ ସ୍ଥାଣୁତା ସ୍ପଷ୍ଟ ହୋଇଥିବା ଆଜି ଏଠାରେ ଆହୁତ ହୋଇଥିବା ସାମ୍ବାଦିକ ମାନଙ୍କ ପ୍ରତିବାଦ ସଭାରେ ଜଳେଶ୍ୱରର କାର୍ଯ୍ୟରତ ସାମ୍ବାଦିକ ମାନେ ମତବ୍ୟକ୍ତ କରିଛନ୍ତି । ଅତିଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଦାବି କରି ଶନିବାର ସ୍ଥାନୀୟ ପ୍ରଶାସନକୁ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି । ପୁତ୍ତବିଭାଗ ଡାକବଂଗଳ ପରିସରରେ ଅନୁଷ୍ଠିତ ସାମ୍ବାଦିକ ପ୍ରତିବାଦ ସଭାରେ ବରିଷ୍ଠ ସାମ୍ବାଦିକ ଅମର କୁମାର ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ । ଏଥିରେ ସାମ୍ବାଦିକ ଅବନୀ କୁମାର ଚାନ୍ଦ, ସୁକୁମାର ରଣା, ସତ୍ୟବ୍ରତ ପ୍ରଧାନ, ସେକ୍ ଅବଦୁଲ ରହିମ୍, ଅରୁଣ ଜେନା, ସଂଜୟ ଦାସ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ରବିନାରାୟଣ ପାତ୍ର, ସତ୍ୟବ୍ରତ ସୋମ୍, ରାଜେଶ କୁମାର ପ୍ରଧାନ, ଆଶିଷ କୁମାର ଗିରି, ମନୋଜ କୁମାର ଭୂୟାଁ, ଅଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି ଏଭଳି ଅମାନବୀୟ କାର୍ଯ୍ୟର ଘୋର ନିନ୍ଦା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା