କୁମାରୀ ମାନଙ୍କର ଜହ୍ନିଓଷା ବ୍ରତ…

ବ୍ରହ୍ମପୁର (ଦାମୋଦର ପାଢ଼ୀ)ମାସେ ଧରି ଚାଲିଥିବା ଜହ୍ନିଓଷା ବ୍ରତ କୁମାରପୂର୍ଣ୍ଣିମାଦିନ ଶେଷ ହୋଇଛି । କୁମାର ଉତ୍ସବ ଓ କୁମାରୀ ମାନଙ୍କର ଜହ୍ନିଓଷା ବ୍ରତର ଉଦଯାପନୀ ଅବସରରେ ଗାଁ ଦାଣ୍ଡ, ଚଉଁରାମୂଳ, ପୁଷ୍କରଣୀ ତୋଠ ହୁଳହୁଳି ନାଦରେ ଉତ୍ସବ ମୁଖରିତ ହୋଇଥାଏ । ଭାଦ୍ରବ ପୂର୍ଣ୍ଣମୀରୁ ଆଶ୍ୱୀନ ପୂର୍ଣ୍ଣମୀ ଯାଏ ମାସ ତମାମ ବିଭିନ୍ନ ରୀତି ନୀତି ନିଷ୍ଠାର ସହିତ ଅବିବାହିତ କୁମାରୀମାନେ ଜହ୍ନିଓଷା ବ୍ରତ ପାଳନ କରିଥାନ୍ତି । ମନଲାଖି ପତି ପାଇବା ପାଇଁ ଏହି ଜହ୍ନିଓଷା ହୋଇଥାଏ ବୋଲି ପ୍ରବାଦ ରହିଛି । ଜହ୍ନିଓଷା ବ୍ରତକୁ ସନ୍ଧ୍ୟାବେଳେ ତୁଳସୀ ଚଉଁରା ମୂଳେ ଦୀପ ଜାଳି ଝିଅମାନେ ସମୂହ ଭାବେ ଜହ୍ନିଓଷା ବ୍ରତର ଗୀତ ଗାଇ ଗାଇ ପୂଜାର ବିଧି ନିର୍ବାହ କରିଥାନ୍ତି । କାର୍ତ୍ତିକେୟ କୁମାର ପରି ସୁନ୍ଦର, ପ୍ରତିଭାବାନ ବର ପାଇବା ମନାସୀ ଏହି ଓଷା ପାଳନ କରିଥାନ୍ତି । ଦୀନକୃଷ୍ଣ ଦାସ ରଚିତ ଜହ୍ନିଓଷା ଗୀତ ଗାଇଥାନ୍ତି । ଏକାଦଶ ଅକ୍ଷର ପଦରେ ପାଞ୍ଚ ଛାନ୍ଦରେ ଏହି ଗୀତ ବିଭକ୍ତ ହୋଇଥାଏ । ଏହି ଗୀତକୁ ସୁନ୍ଦର ଭାବରେ କନ୍ୟାମାନେ ମିଳିତ ଭାବରେ ଗାଇଥାନ୍ତି । ଜହ୍ନି ଫୁଲରେ କୋଠିକାଟି ଲିଆ, ଉଖୁଡା ଭୋଗ ବାଢନ୍ତି । ଜହ୍ନିଫୁଲରେ ଆଞ୍ଜୁଳି ଭରି ଚଉଁରା ଉପରେ ଦେଇଥାନ୍ତି । ମୁଖ୍ୟତଃ ବୃନ୍ଦାବତୀଙ୍କୁ ଆରାଧନା କରିଥାନ୍ତି । ଝିଅମାନେ ଜହ୍ନିଫୁଲ ତୋଳିବା ମନା ଓ ମାସ ତମାମ ଆମିଷ,ଜହ୍ନି ଖାଇବାକୁ ବାରଣ କରାଯାଇଛି । ଶେଷରେ ଓଷାର ଗୀତରେ ଦୀନକୃଷ୍ଣ ଦାସ ଲେଖିଛନ୍ତି,”ଏଗାର ଅକ୍ଷର ପଚିଶ ପଦ, ସମ୍ପୂର୍ଣ୍ଣ ହୋଇଲା ପଞ୍ଚମ ଛାନ୍ଦ।ଭୂଜା, ଉଖୁଡା କାକୁଡି ନେଇଣ, ସାତ ବର୍ଣ୍ଣ ପିଠା କଲେକ ପୁଣ, ଜହ୍ନିଓଷା ଗୀତ ଶେଷ ହୋଇଲା, ଦୀନବନ୍ଧୁ ଦାସ ଗୀତେ ରଚିଲା।” କୁମାର ପୂର୍ଣ୍ଣମୀ ଦିନ ଝିଅ ମାନେ ଜହ୍ନିଓଷା ତଥା ଚଉଁରାକୁ ପୋଖରୀ ତୁଠରେ ରଖି ରାତି ସାରା ଜହ୍ନିଓଷା ବ୍ରତର ବହି ପଢି ଉଦଯାପନ କରିଥାନ୍ତି ।