
ଦିଗପହଣ୍ଡି,(ସମୃଦ୍ଧ ଓଡିଶା)ଦିଗପହଣ୍ଡି ବ୍ଳକ ଅଧିନସ୍ଥ କୁଶପଡା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ସମ୍ପ୍ରତ୍ତି ଯାତ୍ରୀବାହୀ ବସ୍ ଚଳାଚଳ କରିବା ନେଇ ସାଧାରଣରେ ଦାବୀ ହୋଇଛି । ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ମାଧ୍ୟମରେ ପଞ୍ଚାୟତର ସମସ୍ତ ଗାଁ ଗୁଡିକୁ ପକ୍କା ରାସ୍ତା ସଂଯୋଗ ହୋଇସାରିଛି । ଗତ ଏକ ଦଶନ୍ଧି ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନାବାର୍ଡ ଏବଂ ଅନ୍ୟାନ୍ୟ ଯୋଜନା ମାଧ୍ୟମରେ ପଞ୍ଚାୟତର ପତାଣ୍ଡ, କେଦାରପୁର, କେ.ସାମନ୍ତରାପୁର ଏବଂ କୁଶପଡା ଗ୍ରାମକୁ ବିଭିନ୍ନ ସ୍ଥାନରେ ପୋଲ ନିର୍ମାଣ କରାଯାଇ ପକ୍କା ରାସ୍ତା ସଂଯୋଗୀ କରଣ କରାଯାଇଛି । ଆସିକା-ଦିଗପହଣ୍ଡି ମୁଖ୍ୟ ରାସ୍ତାର ଆଙ୍କରୋଡା ଠାରୁ କୁଶପଡା ଏବଂ ବ୍ରହ୍ମପୁର ମୁଖ୍ୟ ରାଜରାସ୍ତାର ଅନଙ୍ଗପୁର ଏବଂ ଗୋକର୍ଣ୍ଣପୁର ଆଇଟିଆଇ ଛକ ଠାରୁ କୁଶପଡା ଏବଂ ପଞ୍ଚାୟତର ଅନ୍ୟାନ୍ୟ ଗ୍ରାମ ସମେତ ସାନଖେମୁଣ୍ଡି ବ୍ଳକ୍ର ବିଭିନ୍ନ ଗାଁ ଗଣ୍ଡାକୁ ପକ୍କା ରାସ୍ତା ସବୁ ସଂଯୋଗ କରୁଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ଦେଇ ଦୈନିକ ଶତାଧିକ କୃଷି ଶ୍ରମିକ, ଦିନ ମଜୁରିଆ, ନିର୍ମାଣ ଶ୍ରମିକ ଏବଂ ଛାତ୍ରଛାତ୍ରୀ ଯାତାୟତ କରୁଥିବା ବେଳେ ଯାତ୍ରୀବାହୀ ବସ୍ ଚଳାଚଳ କରିବାର ସୁଯୋଗ ନଥିବାରୁ ସମସ୍ୟା ସୃଷ୍ଟି ହେଉଛି । ସମ୍ବଳ ଥିବା ବ୍ୟକ୍ତି ବିଶେଷ ଗାଡି ମୋଟରରେ ଯାତାୟତ କରୁଥିବା ବେଳେ ଆର୍ଥିକ ସ୍ୱଚ୍ଛଳ ନଥିବା ବ୍ୟକ୍ତି ବିଶେଷ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷ କରି ଶ୍ରମିକ ମାନେ ଯାତାୟତ ବେଳେ ବିକଳ୍ପ ନଥିବାରୁ ପାସେଞ୍ଜର୍ ଅଟୋ, ଟ୍ରାକ୍ଟର କିମ୍ବା ଡାଲା ଅଟୋ ଏବଂ ଅନ୍ୟାନ୍ୟ ବନ୍ଦବସ୍ତ କରି ଯାତାୟତ କରୁଛନ୍ତି । ତେବେ ସମସ୍ୟାର ସମାଧାନ ନେଇ ଆଞ୍ଚଳିକ ପରିବହନ ବିଭାଗ ଦୃଷ୍ଟି ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହୋଇଛି । ଯାତ୍ରୀବାହୀ ବସ୍ ଚଳାଚଳ ସମ୍ପର୍କରେ ବହୁବାର ଦାବୀ ଅଭିଯୋଗ ହୋଇ ଆସିଥିଲେ ହେଁ କୌଣସି ପ୍ରକାର ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ ହୋଇପାରିନାହିଁ । ତେବେ ଜିଲାପ୍ରଶାସନ ଦୃଷ୍ଟି ଦେବା ପାଇଁ ଏସ୍.ସୂର୍ଯ୍ୟନାରାୟଣ ପାତ୍ର, ସନ୍ତୋଷ ଦୋରା, ରାଜେନ୍ଦ୍ର ଦୋରା, ସୁନୀଲ ଦୋରା ପ୍ରମୁଖ ଦାବୀ କରିଛନ୍ତି ।
ରିପୋର୍ଟ : ଜିଲ୍ଳା ପ୍ରତିନିଧି ନିମାଇଁ ଚରଣ ପଣ୍ଡା