କୃଷି କ୍ଷେତ୍ରରେ ଡିଜିଟାଲ ସର୍ବେକ୍ଷଣ ନୀତି ଆପଣେଇବାରେ ଓଡ଼ିଶା ପ୍ରଥମ ରାଜ୍ୟ

ଭୁବନେଶ୍ୱର(ସମୃଦ୍ଧଓଡିଶା) କୃଷି କ୍ଷେତ୍ରରେ ଡିଜିଟାଲ ସର୍ବେକ୍ଷଣ ନୀତି ଆପଣେଇ ଫସଲ ଉତ୍ପାଦନ ଓ ପ୍ରକ୍ରିୟାକରଣକୁ ସହଜ କରିବା ପାଇଁ ଇ-ଚାଷ ଆପ୍‌ ଓ ପୋର୍ଟାଲର ଶୁଭାରମ୍ଭ ଆଜି ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଓ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓୟୁଏଟି ପରିସରରେ ଥିବା ରିସର୍ଚ୍ଚ ପ୍ଳଟରେ କରିଛନ୍ତି । ଇ-ଆପ୍‌ ଓ ପୋର୍ଟାଲର ଆନୁଷ୍ଠାନିକ ଉନ୍ମୋଚନବେଳେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ, କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧାରୀ, ଓୟୁଏଟି କୁଳପତି ଶ୍ରୀ ପ୍ରଭାତ କୁମାର ରାଉଳଙ୍କ ସମେତ ବହୁ ବୈଜ୍ଞାନିକ, କୃଷି ବିଶେଷଜ୍ଞ ଓ ଚାଷୀ ଭାଇଭଉଣୀମାନେ ଉପସ୍ଥିତ ଥିଲେ । ସମଗ୍ର ଓଡ଼ିଶାରେ ଡିଜିଟାଲ ଫସଲ ସର୍ବେକ୍ଷଣ କାର୍ଯ୍ୟକ୍ରମ ସମୃଦ୍ଧ କୃଷକ ନୀତିକୁ ପ୍ରୋତ୍ସାହନ ଯୋଗାଇବା ସହ ଦୁର୍ଗମ ତଥା ଅପହଞ୍ଚ ଇଲାକାରେ ହେଉଥିବା ଫସଲର ମଧ୍ୟ ସଠିକ ତଥ୍ୟ ପ୍ରଦାନ କରିବ । ଯେଉଁ ତଥ୍ୟକୁ ଆଧାର କରି ପରବର୍ତ୍ତୀ ସମୟରେ କୃଷି କ୍ଷେତ୍ରରେ ସୁଦୃଢ ନୀତି ପ୍ରଣୟନ କରିବାରେ ଏହା ସହାୟକ ହେବ । ଇ-ଚାଷ ଆପ୍‌ ଓ ପୋର୍ଟାଲ ଡିଜିଟାଲ ଫସଲ ସର୍ବେକ୍ଷଣ ଓଡ଼ିଶାରେ ପ୍ରଯୁକ୍ତିଭିତ୍ତିକ କୃଷି ସେବାକୁ ତ୍ୱରାନ୍ୱିତ କରିବ । କୃଷି କ୍ଷେତ୍ରରେ ଡିଜିଟାଲ ସର୍ବେକ୍ଷଣ ନୀତି ଆପଣେଇବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଏବଂ ଏହି ଆପ୍‌ ଓ ପୋର୍ଟାଲ ଯୋଗୁଁ ପ୍ରାୟ ୪୮ ଲକ୍ଷ ଚାଷୀ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ । କୃଷି କ୍ଷେତ୍ରରେ ଇ-ଚାଷ ଆପ୍‌ ଓ ପୋର୍ଟାଲ ଏକ ନିର୍ଣ୍ଣାୟକ ପଦକ୍ଷେପ । ଏହା ଦ୍ୱାରା କୃଷକମାନଙ୍କୁ ଏକ ବିସ୍ତୃତ, ସିଙ୍ଗଲ ୱିଣ୍ଡୋ ପ୍ଳାଟଫର୍ମ ପ୍ରଦାନ କରିବ । ଏହା ଦ୍ୱାରା ଯେକୌଣସି ସମୟରେ ଓ ପାଣିପାଗରେ ମଧ୍ୟ ଫସଲ ସମ୍ବନ୍ଧୀୟ ତଥ୍ୟ ଓ ସୂଚନା ଯାଞ୍ଚ କରାଯାଇପାରିବ । ୨୦୨୩ ବର୍ଷରେ ଭଦ୍ରକ, ଦେବଗଡ଼, ନୂଆପଡ଼ା ଓ ନୟାଗଡ଼ ଜିଲ୍ଲାରେ ଏହି ସର୍ବେକ୍ଷଣକୁ ପାଇଲଟ ପ୍ରୋଜେକଫ ଭାବେ ପରୀକ୍ଷଣ କରାଯାଇଥିଲା । ଏଥିରେ ପ୍ରାୟ ୩୦ ଲକ୍ଷ ପ୍ଲଟକୁ ସଫଳ ଭାବେ ସର୍ବେକ୍ଷଣ କରିବା ପରେ ବର୍ତ୍ତମାନ ସାରା ଓଡ଼ିଶାରେ ଏହାକୁ ସମ୍ପ୍ରସାରିତ କରାଯାଇଛି । ଏଥିରେ ପ୍ରାୟ ୩ କୋଟି ଭୂ-ପ୍ରସଙ୍ଗ କୃଷି ପ୍ଳଟ ୪୮ ଲକ୍ଷ ହେକଫର ଜମିରେ ସର୍ବେକ୍ଷଣ କରାଯିବ । ଏଥିପାଇଁ ୨୮ ହଜାର ସର୍ବେକ୍ଷଣକାରୀ ୮ ହଜାର ସୁପରଭାଇଜର ଓ ୧୪୦୦ ଯାଞ୍ଚକାରୀ ନିୟୋଜିତ ହୋଇଛନ୍ତି ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ପାଢୀ କହିଥିଲେ । ଚାଷୀ ଭାଇମାନେ ଡିଜିଟାଲ ଫସଲ ସର୍ବେକ୍ଷଣ ସମ୍ବନ୍ଧରେ ସଠିକ ତଥ୍ୟ ପାଇପାରିବେ, ସେମାନଙ୍କ ସମସ୍ୟା ବିଷୟରେ ଜଣାଇ ପାରିବେ ଓ ମାର୍ଗଦର୍ଶନ ପାଇପାରିବେ । ଏଥି ନିମନ୍ତେ କୃଷକ ସମୃଦ୍ଧି ହେଲ¬ ଲାଇନ୍‌ (୧୫୫୩୩୩) ମାଧ୍ୟମରେ ସୂଚନା ଓ ପରାମର୍ଶ ପାଇପାରିବେ ବୋଲି ବୋଲି ଶ୍ରୀ ଚୌଧାରୀ ମତବ୍ୟକ୍ତ କରିଥିଲେ ।

ରିପୋର୍ଟ : ରଜତ ମହାପାତ୍ର ଓ ସୁଶ୍ରୀ ସଙ୍ଗୀତା ମହାରଣା, ଲୋକସମ୍ପର୍କ ଅଧିକାରୀ