କେ.ନୂଆଗାଁ ଥାନା ଅଧିକାରୀଙ୍କ ବିରୁଦ୍ଧରେ ବିଜେପି ପକ୍ଷରୁ ବିକ୍ଷୋଭ ସହ ଡ଼ିଆଇଜିଙ୍କୁ ସ୍ମାରକପତ୍ର ପ୍ରଦାନ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅଧିକାରୀ ସରକାରୀକଳର ହାତବାରିସୀ ସାଜି ମନମୁଖୀ ଶାସନ ଚଳାଇବା ସହ ପାତରଅନ୍ତର ନୀତି ଅବଲମ୍ବନ କରୁଥିବା ଅଭିଯୋଗ କରି ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀର ବିଜେପିକର୍ମୀମାନେ ଅଭିଯୋଗ କରି ଦକ୍ଷିଣାଞ୍ଚଳ ଡ଼ିଆଇଜିଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି । ଅସାମାଜିକ କାର୍ଯ୍ୟକଳାପରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଅଭିଯୋଗ କଲେ ମଧ୍ୟ ଥାନା ଅଧିକାରୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ସେମାନଙ୍କୁ ମୁକୁଲାଇବାରେ ସହଯୋଗ କରୁଥିବା ବିଜେପି ଅଭିଯୋଗ କରିଛି । ଗତ ୧୨ ତାରିଖରେ ବିଜେପିର ପତାକା, ବ୍ୟାନର୍, ଗେଟ୍ ଓ ପୋଷ୍ଟର୍ ପୋଡ଼ିବା ଓ ପ୍ରଚାରଗାଡ଼ି ଭାଙ୍ଗିବା ନେଇ ଶ୍ରୀରୂପ ଦେଓ,ସୁରେନ୍ଦ୍ର ମଣ୍ଡଳଙ୍କ ସମେତ ଶାସକ ଦଳର ବହୁ କର୍ମୀ ଲିପ୍ତ ଥିବା ନେଇ ବିଜେପି ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ସେହିଭଳି ଭାଜପା ଦଳର ଜଣେ ଦଳିତ ମହିଳାଙ୍କୁ ଦୁର୍ବ୍ୟବହାର କରିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା ।ଏଭଳି ଅଭିଯୋଗରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଫଳରେ ଅଭିଯୁକ୍ତମାନେ ଖୋଲାଆକାଶ ତଳେ ଖୁଲମଖୁଲା ବୁଲିବା ସହ ବିଜେପି କର୍ମୀମାନଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ମାନେ ଶାସକ ଦଳର ହୋଇଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ନ ଥିବା ଅଭିଯୋଗ ହୋଇଛି ।  ଶାସକ ଦଳର ଲୋକଙ୍କ ବିରୋଧରେ ଅଭିଯୋଗ ହେଲେ ତଦନ୍ତ ଆଳରେ ଅଭିଯୋଗକୁ ଚାପି ଦିଆଯାଇ ଓଲଟା ମିଥ୍ୟା ମାମଲାରେ ଭାଜପା କର୍ମୀମାନଙ୍କୁ ଛନ୍ଦି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।ଏଭଳି କାର୍ଯ୍ୟରେ ଉଦବେଗ ପ୍ରକାଶ କରି ଏସବୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ବିଜେପିକର୍ମୀମାନେ । ଏମିତିକି ଚିକିଟି ବ୍ଲକ୍ ବାହିନୀପତି ଗୋପାଳ କୃଷ୍ଣ ସେବାଶ୍ରମର ଜଣେ ଭିନ୍ନକ୍ଷମ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଅଭିଯୁକ୍ତ କୈଳାସ ଚନ୍ଦ୍ର ପାଢ଼ୀ ବିଚ୍ ରାସ୍ତାରେ  ଖୁଲମଖୁଲା ବୁଲୁଥିଲେ ମଧ୍ୟ ଗିରଫ କରାଯାଉନାହିଁ ବୋଲି ସେମାନେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।ତେଣୁ ଘଟଣାର ଉପଯୁକ୍ତ ତଦନ୍ତ କରି ଥାନା ଅଧିକାରୀଙ୍କ ପାତର ଅନ୍ତର ନୀତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ପକ୍ଷରୁ ଦାବି ହୋଇଛି । ଏନେଇ ଆଜି ବିଜେପି ପକ୍ଷରୁ ଦକ୍ଷିଣାଂଚଳ ଡ଼ିଆଇଜିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଡ଼ିଆଇଜି ଆଶିଷ କୁମାର ସିଂଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ବିଜେପିକର୍ମୀ ମାନେ ମଧ୍ୟ ସାମିଲ୍ ହୋଇଥିଲେ । ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲା ବିଜେପି ସଭାପତି କାହ୍ନୁ ଚରଣ ପତି, ମନୋରଞ୍ଜନ ଦ୍ୟାନସାମନ୍ତରା, ସୁନୀଲ୍ କୁମାର ସାହୁ, ପ୍ରିୟ ରଂଜନ ବେହେରା, ଦେବଦତ ପଣ୍ଡା, ଏମ୍.ଭେଙ୍କଟ ରାଓ, ଧନୁ ଶବର, ହରିହର ପ୍ରସାଦ ପଟ୍ଟନାୟକ, ତ୍ରିନାଥ ମିଶ୍ର, ପ୍ରଭାତ ରଞ୍ଜନ ମହାପାତ୍ର ପ୍ରମୁଖ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା