ଭୁବନେଶ୍ୱର(ସମୃଦ୍ଧଓଡିଶା) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସଂଧ୍ୟାରେ କେରଳର ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାଇ ବିଜୟନ ଓ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଶ୍ରୀ ମାନିକ ଶାହାଙ୍କ ସହିତ ଫୋନ ଯୋଗେ ଆଲୋଚନା କରି ଉଭୟ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଘଟିଥିବା କ୍ଷୟକ୍ଷତି ପାଇଁ ସମବେଦନା ପ୍ରକାଶ କରିଛନ୍ତି । ଉଭୟ ରାଜ୍ୟରେ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ଓ ପୁନନିର୍ମାଣ କାର୍ଯ୍ୟ ପାଇଁ ଓଡିଶା ସହଯୋଗର ହାତ ବଢାଇବା ପାଇଁ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଲୋଚନା ସମୟରେ କହିଥିଲେ । ଏଥିପାଇଁ ଉଭୟ କେରଳ ଓ ତ୍ରିପୁରାକୁ ୫ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ସହାୟତା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ। ଉଭୟ କେରଳ ଓ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଏହି ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍ତି । ବିପର୍ଯ୍ୟୟ ସମୟ ରେ ଉଭୟ ରାଜ୍ୟ ରେ ଥିବା ଓଡ଼ିଆ ଲୋକ ଙ୍କୁ ସାହାଯ୍ୟ ଓ ସହାୟତା କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉଭୟ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ। ସୂଚନାଯୋଗ୍ୟ ଯେ ଗତ ମାସରେ ଉଭୟ ରାଜ୍ୟ ପ୍ରଳୟଙ୍କରୀ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ । କେରଳରେ ଭୂସ୍ଖଳନ ଓ ତ୍ରିପୁରାରେ ବନ୍ୟା ଯୋଗୁଁ ବ୍ୟାପକ ଧନଜୀବନ ନଷ୍ଟ ହୋଇଛି ।
ରିପୋର୍ଟ : ରଜତ ମହାପାତ୍ର