କୋଣାର୍କ (ସମୃଦ୍ଧଓଡିଶା)ଆଜି କୋଣାର୍କ ଉତ୍ସବର ଚତୁର୍ଥ ଦିନରେ କୋଣାର୍କ ଝୁରି ହେଉଛି ତା’ର ଶିଳ୍ପୀ କୂଳଙ୍କୁ ଆଉ ତାର ଗାଥାକୁ ଲିପିବଦ୍ଧ କରିଥିବା କବି,ସାହିତ୍ୟିକଙ୍କୁ । କୋଣାର୍କ ଶିଳ୍ପୀର ନିହଣ ମୁନର କେବଳ ମାତ୍ର ଏକ ଶିଳ୍ପ କଳା ହୋଇ ରହିନାହିଁ, ହୋଇଯାଇଛି ବିଶ୍ୱର ଅଗଣିତ ଜନ ମାନସର ଏକ ଅବିଶ୍ୱସନୀୟ ବିସ୍ମୟ।ବିଶ୍ୱର ବହୁ ଭାଷାର କବି ସାହିତ୍ୟିକଙ୍କ କଲମ ମୁନର ଏକ ଅନବଦ୍ୟ ସୃଷ୍ଟି। କବିର କଳା ଓ କଳ୍ପନାରେ କୋଣାର୍କର ଗାଥା, ରୂପ, ଲାବଣ୍ୟ ଫୁଟି ଉଠିଛି । କୋଣାର୍କ ହୋଇ ଉଠିଛି ଶିଳ୍ପୀ ମାନସର “ଶିଳାପଦ୍ମ” ଆଉ ଲିପିର ଶିଳାଲେଖ । ନୃତ୍ୟଶିଳ୍ପୀ ଓ ସଙ୍ଗୀତଜ୍ଞଙ୍କର ସ୍ଵପ୍ନର ଚଉହଦୀ ଆଉ ପ୍ରେମ-ପ୍ରଶାନ୍ତିର ଅଗଣା ପାଲଟି ଯାଇଛି। କୋଣାର୍କ ମନ୍ଦିର ହେଉଛି ଅପୂର୍ବ ଶିଳ୍ପକଳା, ପ୍ରାଚୀନ କୀର୍ତ୍ତିରାଜି ଓ ମୂଲ୍ୟବାନସାଂସ୍କୃତିକ ପରମ୍ପରାର ଚରମ ନିଦର୍ଶନ। ଓଡ଼ିଶୀ ମନ୍ଦିରର ଚାରୁକାରୁକଳା ସହିତ ପୁରୁଷ ଓ ପ୍ରକୃତିର ଏକ ଶୋଭନୀୟ ପ୍ରତିଷ୍ଠାନ-ଏହି ମନ୍ଦିର। ମନ୍ଦିର କଳାର ଶିଖର,, ମଣ୍ଡପ,ଗର୍ବଗୃହ,ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ସହ ବହୁଳ କଳା ନିପୁଣତା ଏବଂ ମିଥୁନ କ୍ରିୟାର କଳା ଓ କୌଶଳର ନିଦର୍ଶନ ମିଳେ । ଆଜି ପ୍ରଥମ ପର୍ଯ୍ୟାୟରେ ହାଇଦ୍ରାବାଦରୁ ଆସିଥିବା ଦୀପିକା ରେଡ୍ଡୀ ଓ ସାଥୀଶିଳ୍ପୀମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା “କୁଚିପୁଡ଼ି”ନୃତ୍ୟ । ଶ୍ରୀମତୀ ଦୀପିକା ରେଡ୍ଡୀ ବିଗତ ପାଞ୍ଚ ଦଶନ୍ଧି ଧରି କୁଚିପୁଡ଼ି ନୃତ୍ୟ ଶୈଳୀର ଜଣେ ଧୂରୀଣ ନୃତ୍ୟାଙ୍ଗନା । ସେ ତାଙ୍କର ଦୀପାଞ୍ଜଳି ଅନୁଷ୍ଠାନ ମାଧ୍ୟମରେ କୁଚିପୁଡ଼ି ନୃତ୍ୟ ଶୈଳୀକୁ ଶିଖରରେ ପହଁଞ୍ଚେଇବାରେ ସଫଳ ହୋଇଛନ୍ତି। ଶାରୀରିକ ଅକ୍ଷମମାନଙ୍କୁ ମଧ୍ୟ ନୃତ୍ୟର କଳା ଓ ଚାତୁରୀରେ ରସତିର୍ଣ୍ଣ କରାଇବାରେ ସେ ସଫଳ ହୋଇଛନ୍ତି। ଦୀପିକାଙ୍କ ପାଇଁ କେବଳ ଏକ ରୁଚି ନୁହେଁ ବରଂ ଈଶ୍ଵର-ନୀରାଜନାର ମାଧ୍ୟମ। ଆଜି ତାଙ୍କର “କୁଚିପୁଡ଼ି ବନ୍ଦନା”ମାଧ୍ୟମରେ ଅଗ୍ରପୂଜ୍ୟ ଗଣେଶଙ୍କର ବନ୍ଦନା ସହିତ “ଥାକୁଭେମିମନାକୁ”ଓ “ମଧୁରମ ମଧୁରମ”ରେ କୃଷ୍ଣଙ୍କର ଲୀଳା ଓ ରାସର ପ୍ରଦର୍ଶନ କରାଇଥିଲେ। ନିତ୍ୟ “ନିରଞ୍ଜନମ”ରେ ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ବିଭିନ୍ନ ତାଳ ଓ ନୃତ୍ୟାଙ୍ଗନାମାନଙ୍କର ଅଙ୍ଗରାଗ କୁଚିପୁଡ଼ି ନୃତ୍ୟ ଶୈଳୀରେ ପରିବେଷଣ କରିଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ଦୀପିକା ରେଡ୍ଡୀ ନିର୍ଦ୍ଦେଶନା ଦେଇଥିବାବେଳେ ସଙ୍ଗୀତର ରୂପ ଦେଇଥିଲେ ଡି ଏସ୍ ଭି ଶାସ୍ତ୍ରୀ । ଦିତୀୟ ପର୍ଯ୍ୟାୟରେ ଭୁବନେଶ୍ଵରର “ରୁଦ୍ରାକ୍ଷ ଫାଉଣ୍ଡେସନ”ର ଗୁରୁ ବିଚିତ୍ରାନନ୍ଦ ସ୍ଵାଇଁ ଓ ସାଥୀଶିଳ୍ପୀମାନଙ୍କ ଦ୍ଵାରା ପରିବେଷଣ ହୋଇଥିଲା ଓଡିଶୀ ନୃତ୍ୟ। ଓଡ଼ିଶୀ ନୃତ୍ୟର ରୂପ, ,ରସ,, ରାଗ,,ଛନ୍ଦ ଓ ଭଙ୍ଗୀମାର ଅପୂର୍ବ ପରିପ୍ରକାଶ ଘଟିଥିଲା, ଶିଳ୍ପୀମାନଙ୍କ “ହଂସ କଲ୍ୟାଣୀ ପଲ୍ଲବୀ”ଓ “, ଶାକ୍ୟ ମୁନି ବୁଦ୍ଧ” ଦୁଇ ନୃତ୍ୟ ସଂରଚନାରେ । ଓଡ଼ିଶୀ ନୃତ୍ୟର ସମସ୍ତ ବ୍ୟାକରଣକୁ ଆଧାର କରି ରୁଦ୍ରାକ୍ଷ ଫାଉଣ୍ଡେସନର ଶିଳ୍ପୀଗଣ ଦର୍ଶକଙ୍କୁ ସେମାନଙ୍କ ନୃତ୍ୟ ଶୈଳୀରେ ବିମୋହିତ କରି ରଖିଥିଲେ। ନିର୍ଦ୍ଦେଶନାରେ ଗୁରୁ ବିଚିତ୍ରାନନ୍ଦ ସ୍ଵାଇଁ ଏବଂ ସଙ୍ଗୀତରେ ଗୁରୁ ରାମହରି ଦାସ,,ଗୁରୁ ଶ୍ରୀଜନ ଚାଟାର୍ଜି ଓ ଗୁରୁ ଧନେଶ୍ଵର ସ୍ଵାଇଁଙ୍କ ଅପୂର୍ବ କଳା ଚାତୁରୀ ପ୍ରଦର୍ଶିତ ହୋଇଥିଲା। ଆଗାମୀ କାଲି କୋଣାର୍କ ଉତ୍ସବର ପଞ୍ଚମ ଓ ଉଦଯାପନୀ ଦିବସରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ କଲିକତା ସ୍ଥିତ “ଦୀକ୍ଷା ମଞ୍ଜରୀ”ର ଗୁରୁ ଡ଼ୋନା ଗାଙ୍ଗୁଲୀ ଓ ସାଥୀଶିଳ୍ପୀବୃନ୍ଦ। ଦ୍ୱିତୀୟ ପର୍ଯ୍ୟାୟରେ “ଭାରତନାଟ୍ୟମ୍” ନୃତ୍ୟ ଶୈଳୀକୁ ପରିବେଷଣ କରିବେ ନୂଆ ଦିଲ୍ଲୀର “ନାଟ୍ୟ ବୃକ୍ଷ ଡ୍ୟାନ୍ସ କଲେକ୍ଟଭି”ର ଗୀତା ଚନ୍ଦ୍ରନ ଓ ସାଥୀଶିଳ୍ପୀ ବୃନ୍ଦ। ଆଜି ଚତୁର୍ଥ ଦିନର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦୀନବନ୍ଧୁ ସାହୁ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ (ଏ ଆଣ୍ଡ ଇ), ଡକ୍ଟର ଦିବ୍ୟଶଦା ବ୍ରଜସୁନ୍ଦର ଗଡ଼ନାୟକ ପୁରୀ ସର୍କଲର ଏଏସ୍ଆଇର ଅଧୀକ୍ଷକ ପ୍ରତ୍ନତତ୍ତ୍ୱବିତ୍ ଓ ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦ୍ଧେଶକ ଶ୍ରୀଯୁକ୍ତ ବିଶ୍ଵଜିତ ରାଉତରାୟ ଯୋଗ ଦେଇ ଜଗନ୍ନାଥଙ୍କ ପାଖରେ ପ୍ରଦୀପ ପ୍ରଜ୍ଵଳନ କରିଥିଲେ ଓ ଶିଳ୍ପୀ ବୃନ୍ଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଚନ୍ଦ୍ରଭାଗର ବାଲୁକା ବେଳା ଭୁଇଁ ରେ ୧୪ତମ ଆନ୍ତର୍ଜାତୀୟ ବାଲୁକା ମହୋତ୍ସବ ର ଚତୁର୍ଥ ଦିନର ବିଷୟ ବସ୍ତୁ ପୁରୁଷ ବାଲୁକା ଶିଳ୍ପୀଙ୍କ ପାଇଁ ଥିଲା ସେବାରେ ସ୍ବଚ୍ଛତା,ମହିଳା ମାନଙ୍କ ପାଇଁ ଥିଲା ସାମୁଦ୍ରିକ ଜୀବନ ସୌନ୍ଦଜ୍ୟବୋଧ ଏବଂ ରାଜ୍ୟ ବାହାରୁ ଆସିଥିବା ବାଲୁକା ଶିଳ୍ପୀ ମାନଙ୍କ ପାଇଁ ବିଷୟ ବସ୍ତୁ ଥିଲା ବନ୍ୟାପ୍ରାଣୀ ଓ ପରିବେଶ । ଉତ୍ସବଟିକୁ ପରିଚାଳନା କରିବାରେ ପର୍ଯ୍ୟଟନ ବିଭାଗର ଅଧିକାରୀ ଗଣ, ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧିକାରୀ ଗଣ ଓ ଓଡିଶା ସଂଗୀତ ନାଟକଏକାଡେମୀର ସଚିବ ଡକ୍ଟର ଭାଗ୍ୟଲିପୀ ମଲ୍ଲଙ୍କ ନିଷ୍ଟାପର ଉଦ୍ୟମର ଚିହ୍ନ ବାରିହେଇପଡୁଥିଲା। ଉତ୍ସବଟିକୁ ସଂଯୋଜନା କରିଥିଲେ ଡକ୍ଟର ମୃତ୍ୟୁଞ୍ଜୟ ରଥ ଓ ଶୋଭନା ମିଶ୍ର ।ଏହି କୋଣାର୍କ ଉତ୍ସବ ଚତୁର୍ଥ ସନ୍ଧ୍ୟାରେ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଓ ଅନ୍ୟାନ୍ୟ ବିଧାୟକଗଣ ଉପସ୍ଥିତ ଥିଲେ ।
ରିପୋର୍ଟ : ରଜତ ମହାପାତ୍ର ଓ ତନୁଜ PRO