କୋଣାର୍କରେ ବଂଗୀୟ ଯୁବତୀ ଗଣଦୁଷ୍କର୍ମ ଘଟଣା: ୨୬ରେ ବିଜେପି ମହିଳା ମୋର୍ଚ୍ଚା ର କୋଣାର୍କ ବନ୍ଦ ଡାକରା

ଭୁବନେଶ୍ୱର (ଆକାଶ ମିଶ୍ର ) : କୋଣାର୍କରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ୧୦ ଦିନ ଧରି ବନ୍ଦ ଘରେ ପ୍ରତିଦିନ ୧୦ରୁ ଅଧିକ ଲୋକ ଦୁଷ୍କର୍ମ କରିବା ଘଟଣା ରାଜନୈତିକ ରୂପ ନେବାରେ ଲାଗିଛି ।  ଘଟଣାର ୭୨ ଘଣ୍ଟା ପରେ ମଧ୍ୟ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ବିଫଳ ହେବା ପ୍ରତିବାଦରେ ବିଜେପି ମହିଳା ମୋର୍ଟ୍ଟା ୨୬ତାରିଖ ଦିନ କୋଣାର୍କ ବନ୍ଦ ଡାକରା ଦେଇଛି। ମହିଳା ମୋର୍ଚ୍ଚା କୋଣାର୍କକୁ ସ୍ବଚ୍ଛ କରିବା ଏବଂ ଗଣଦୁଷ୍କର୍ମ ଭଳି ଜଘନ୍ୟ ଅପରାଧକୁ ବନ୍ଦକରିବା ଆଦି ଦୁଇ ଦଫା ଦାବୀ ରଖିଛି। ଆସନ୍ତା ୨୬ତାରିଖରେ  କୋଣାର୍କ ବନ୍ଦ ଡାକରା ସହ ସେହିଦିନ ପୁରୀ ଏସପିଙ୍କ କାର୍ଯାଳୟ ଘେରାଉ କରିବାପାଇଁ ଆଜି କୋଣାର୍କ ଯାତ୍ରୀନିବାସଠାରେ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତି ପରିଡ଼ା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ କୋଣାର୍କ ମାର୍କେଟ କଂପ୍ଲେକ୍ସରେ ଥିବା ଏକ ବଂଦଘରୁ ଜଣେ ବଂଗୀୟ ଯୁବତୀଙ୍କୁ ଗୁରୁତର ଅସୁସ୍ଥ ଅବସ୍ଥାରେ ପୋଲିସ ଓ ଅଗ୍ନୀଶମ ବାହିନୀ ଉଦ୍ଧାର କରିଥିଲେ । ସଂପୃକ୍ତ ଯୁବତୀଙ୍କ କହିବା ଅନୁସାରେ ତାଙ୍କୁ ସୁବାସ ବେହେରା ନାମକ ଜଣେ ବ୍ୟକ୍ତି ଏଠି ଆଣି ରଖିଥିଲେ । ଚାକିରୀ କରାଇଦେବା ବାହାନାରେ ତାଙ୍କୁ ଅଣାଯାଇଥିଲେ ମଧ୍ୟ ସେଠି ପ୍ରତ୍ୟେକ ଦିନ ୧୦ରୁ ୧୫ ଜଣ ଲୋକ ସେଠାକୁ ଆସି ତାଙ୍କ ସହ ଦୁଷ୍କର୍ମ କରୁଥିଲେ । ଏହାର ପ୍ରତିବାଦ କରିବାରୁ ତାଙ୍କ ହାତ ବାନ୍ଧି ଦିାଯାଇଥିଲା ।ପ୍ରତ୍ୟେକ ଦିନ ତାଙ୍କୁ ବାଧ୍ୟ କରି ଡ୍ରଗ୍ସ ମଧ୍ୟ ଖୁଆଇ ଦିଆଯାଉଥିଲା । ଏଥି ସହ ଠିକରେ ଖାଇବା ପିଇବାକୁ ବି ଦିଆଯାଉନଥିଲା ।କୌଶଳକ୍ରମେ ୧୫ ତାରିଖ ଦିନ ସେ ଛାତ ଉପରକୁ ଆସି ସାହାର୍ଯ୍ୟ ପାଇଁ ଏକ କାଗଜରେ ଲେଖି ତଳକୁ ପକାଇଥିଲେ । ଏହି କାଗଜ ଦେଖିବାପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଓ ଅଗ୍ନଶମ ବିଭାଗ ତିନି ମହାଲା ଘରର କବାଟ ତାଡି ଯୁବତୀଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ଗୋପ ଡାକ୍ତରଖାନା ଓ ପରେ ପୁରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ପିଡୀତାଙ୍କୁ ଭେଟିବାକୁ ଉଭୟ ବିଜେପି ଓ କଂଗ୍ରେସର ପ୍ରତିନିଧି ଦଳ ପୁରୀ ଯାଇଥିଲେ ଓ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଥିଲେ । ପୋଲିସ ଏହି ଘଟଣାରେ ଘର ମାଲିକ ଓ ଆଉ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ବିଫଳ ହୋଇଛି ।
ପିଡାତା ଏଯାଁ ପୁରୀ ମେଡିକାଲରେ ଚିକିତ୍ସିତ ଅଛନ୍ତି । କୋଣାର୍କର ବିଭିନ୍ନ ଲଜରେ ବହୁ ବେଆଇନ କାର୍ଯ୍ୟ ହେଉଥିଲେ ମଧ୍ୟ ପୋଲିସ ନିରବ ଦ୍ରଷ୍ଟା ସାଜିଛି ବୋଲି ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଏଥି ସହ ଦିନକୁ ଦିନ କୋଣାର୍କରେ ଏଭଳି ଅପରାଧ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ବିଶ୍ବ ପର୍ଯ୍ୟଟନସ୍ଥଳ କୋଣାର୍କର ଛବି ଖରାପ ହେବା ସହ ପର୍ଯ୍ୟଟନ ଉପରେ ଏହାର କୁପ୍ରଭାବ ପଡୁଛି ।