ଛତ୍ରପୁର (ସମୃଦ୍ଧ ଓଡିଶା) ସାରା ବିଶ୍ୱରେ କରୋନା ସଂକ୍ରମଣ ତାର କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ସାମାଜିକ ଦୂରତା ରକ୍ଷା ଓ ମାସ୍କ ବ୍ୟବହାରକୁ କଡାକଡି କରିବାର ଆବଶ୍ୟକତା ଉପରେ ଗୁରୁତ୍ବ ଦେଇ ଜିଲ୍ଲାପ୍ରଶାସନ ପକ୍ଷରୁ ଅହରହ ପ୍ରୟାସ ଜାରି ରଖାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷଠାରେ ରାଜ୍ୟ ସରକାରଙ୍କ ଦ୍ୱାରା ନିୟୋଜିତ ଦୁଇ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ, ୬ ଜଣ ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଯାଇଛି । ସୂଚନା ଅନୁଯାୟୀ ଜିଲ୍ଲାପାଳ ଏଥିରେ କହିଛନ୍ତି ଯେ, ତଳ ସ୍ତରରେ ଦେଖାଯାଉଥିବା କୋଭିଡ୍ ପରିଚାଳନାଗତ ସମସ୍ୟା ଗୁଡିକୁ ଜିଲ୍ଲାପ୍ରଶାସନର ଦୃଷ୍ଟିକୁ ଆଣନ୍ତୁ ତେବେ ସମସ୍ୟା ଗୁଡିକ ସମାଧାନ କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ସମସ୍ୟା ଗୁଡିକ ଯାଞ୍ଚ କରି ତତକ୍ଷଣାତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହେବ ଓ ଲୋକଙ୍କ ଜୀବନ ଜୀବିକାର କୌଣସି ସମସ୍ୟା ରହିବ ନାହିଁ । ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ସ୍ୱାସ୍ଥ୍ୟଜନିତ ତଥ୍ୟ ସଂଗ୍ରହ କରାଯାଉ । ଜଣେ ଯେମିତି ସ୍ୱାସ୍ଥ୍ୟ ପରୀକ୍ଷାରୁ ବାଦ୍ ପଡିବେ ନାହିଁ ସେଥିପ୍ରତି ଦୃଷ୍ଟି ଦିଆଯାଉ । କରୋନା ଲକ୍ଷଣମାନ ଦେଖାଦେଲେ ତୁରନ୍ତ ସ୍ୱାବ୍ ସଂଗ୍ରହ କରାଯାଇ ସଂପୃକ୍ତ ବ୍ୟକ୍ତିଙ୍କୁ ହୋମ୍ କ୍ଵାରେଣ୍ଟାଇନରେ ରଖାଯାଇ ତାଙ୍କ ପ୍ରତି ନଜର ରଖାଯାଉ । ଯଦି ସଂପୃକ୍ତ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୁଏ ତେବେ ତୁରନ୍ତ କୋଭିଡ୍ କେୟାର୍ ହୋମକୁ ସ୍ଥାନାନ୍ତର କରି ଚିକିତ୍ସା କରାଯାଉ । କୋଭିଡ୍ କେୟାର ସେଣ୍ଟର ଗୁଡିକର ପରିଚାଳନାକୁ ଅଧିକ ସୁଦୃଢ କରିବା ନେଇ ଜିଲ୍ଲାପାଳ ୨୦ ଜଣ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନୋଡାଲ୍ ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି ନୋଡାଲ୍ ଅଧିକାରୀ ଗଣ ଜିଲ୍ଲାର ସମସ୍ତ ବ୍ଳକ୍, ବିଜ୍ଞାପିତ ଅଞ୍ଚଳ ଓ ସହରାଞ୍ଚଳ ଗୁଡିକରେ ରହିଥିବା କୋଭିଡ୍ କେୟାର ହୋମ୍ ଏବଂ କ୍ଲଷ୍ଟର ସ୍ତରୀୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ପରିଦର୍ଶନ ପୂର୍ବକ ସେଗୁଡିକର ପରିଚାଳନା ଓ ଖାଦ୍ୟପେୟ ବ୍ୟବସ୍ଥା ଉପରେ ନଜର ରଖିବେ । ଠିକ୍ ସମୟରେ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କୁ ସମସ୍ତ ସୁବିଧା ମିଳୁଛି କି ନାହିଁ ସେଥିପ୍ରତି ନଜର ରଖିବେ । କୋଭିଡ୍ ପରିଚାଳନାରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଗଣ ଗୋଟିଏ ସପ୍ତାହ କାର୍ଯ୍ୟ କରିବା ପରେ ସେମାନଙ୍କୁ ସପ୍ତାହ କାଳ ବିଶ୍ରାମ ନେବା ସକାଶେ ଅନୁମତି ଦିଆଯିବ । ପୁଣି ସପ୍ତାହ ପର୍ଯ୍ୟନ୍ତ ନିଜ କାର୍ଯ୍ୟରେ ନିୟୋଜିତ କରାଯିବ । ଯେଉଁମାନଙ୍କୁ ଥଣ୍ଡା, କାଶ, ଜ୍ୱର ହେଉଛି ସେମାନେ ନ ଲୁଚାଇ ଡାକ୍ତରଙ୍କ ସହ ପରାମର୍ଶ କରି ଔଷଧ ସେବନ କରନ୍ତୁ ବୋଲି ଜିଲ୍ଲାପାଳ କହିଛନ୍ତି । ଏହାସହ ଡାକ୍ତରଙ୍କ ବିନା ପରାମର୍ଶରେ ପାରାସିଟାମୋଲ୍ ଖାଇବାକୁ ବାରଣ କରାଯାଇଛି । ଡାକ୍ତରଙ୍କ ବିନା ପରାମର୍ଶରେ ପାରାସିଟାମୋଲ୍ ଖାଇଲେ ନିଜ ଦେହରେ ଜ୍ୱର କମିଯିବ କିନ୍ତୁ ଦେହରେ ଥିବା କରୋନା ଭୂତାଣୁ ନାଶ ହେବ ନାହିଁ । ପରବର୍ତ୍ତୀ ପର୍ଯ୍ୟାୟରେ ଏହା ତତକ୍ଷଣାତ୍ ବିରାଟକାୟ ରୂପ ନେବ ଯାହା ଫଳରେ ଜୀବନ ପ୍ରତି ବିପଦ ବଢି ଯିବ । ତେଣୁ ଏଥିପ୍ରତି ସତର୍କ ରହିବାକୁ ଜିଲ୍ଲାପାଳ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ଘରୁ କେହି ବାହାରକୁ ଅଯଥାରେ ଯାଆନ୍ତୁ ନାହିଁ । ଯଦି ଅତି ଜରୁରୀ ଅଛି ତେବେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଓ ହାତ ଧୋଇବା ଉପରେ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି । ସାମାଜିକ ଦୂରତା ଓ ମାସ୍କ ପିନ୍ଧି ନ ଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି ଚଢାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ଜିଲ୍ଲାପାଳ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନଙ୍କୁ ଏକ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ପ୍ରଦାନ କରିଥିବା ଜଣାଯାଇଛି । ଏହି ଆଲୋଚନାରେ ବ୍ରହ୍ମପୁର ମହା ନଗର ନିଗମ କମିଶନର୍ ଚକ୍ରବର୍ତ୍ତୀ ସିଂ ରାଠୋର, ଛତ୍ରପୁର ଉପଖଣ୍ଡ ଦାୟିତ୍ୱରେ ଥିବା ପାରୁଲ୍ ପଟୱାରୀ, ଭଞ୍ଜ ନଗର ଉପଖଣ୍ଡ ଦାୟିତ୍ୱରେ ଥିବା ଭିଶାଲ୍ ସିଂ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଓଡିଶା ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା