କୋଭିଡ୍ ଆକ୍ରାନ୍ତଙ୍କୁ ଅକ୍ସିଜେନ ଯୋଗାଉଛନ୍ତି ମାନବ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ସଦସ୍ୟ…

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନାର ଦ୍ଵିତୀୟ ଲହରୀ ଚାଲିଥିବା ବେଳେ ବହୁ ଦୃତ ଗତିରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହା ବର୍ତ୍ତମାନ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହି ସମୟରେ ରୋଗୀ ମାନଙ୍କ ପାଇଁ ଅତି ଆବଶ୍ୟକ ପଡୁଛି ଅମ୍ଲଜାନ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ କରୋନାରେ ଆକ୍ରାନ୍ତ ହୋଇ ଘରେ ସଙ୍ଗରୋଧରେ ରହୁଥିବା ବ୍ୟକ୍ତିମାନଙ୍କୁ ଅକ୍ସିଜେନ ଯୋଗାଇବାରେ ଲାଗି ପଡିଛନ୍ତି ଛତ୍ରପୁରର ମାନବ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟମାନେ । ଅମ୍ଲଜାନ ଆବଶ୍ୟକ ପଡୁଥିବା ଲୋକଙ୍କ ପାଇଁ ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ସୋସିଆଲ ମିଡିଆରେ ୯୪୩୯୩୨୭୬୩୮/୮୨୮୦୨୫୯୪୭୩ ଏବଂ ସଦସ୍ୟମାନଙ୍କ ନମ୍ବର ସାର୍ବଜନୀନ କରିବା ପରେ ଟ୍ରଷ୍ଟକୁ ରୋଗୀଙ୍କ ସଂପର୍କୀୟ ମାନଙ୍କ ବିପୁଳ ପରିମାଣରେ ଫୋନ ଆସୁଥିବା ବେଳେ ଏହି ଟ୍ରଷ୍ଟର ସଦସ୍ୟମାନେ ଲୋକଙ୍କ ପାଖରେ ଅକ୍ସିଜେନ ସିଲିଣ୍ଡର ପହଞ୍ଚାଇବାରେ ଲାଗି ପଡିଛନ୍ତି । ଏଥିପାଇଁ ସେମାନେ ସେମାନଙ୍କ ପାଖରେ ପ୍ରାୟ ୯ଟି ଅକ୍ସିଜେନ ସିଲିଣ୍ଡର ରଖିଛନ୍ତି । ରୋଗୀଙ୍କ ସଂପର୍କୀୟ ମାନଙ୍କ ଫୋନ୍ ଆସିବା ମାତ୍ରେ ରୋଗୀଙ୍କ ଘର ପାଖରେ ତୁରନ୍ତ ଅକ୍ସିଜେନ ସିଲିଣ୍ଡରକୁ ନେଇ ପହଂଚାଉଛନ୍ତି । ଜଣଙ୍କ ବ୍ୟବହାରରେ ଲାଗିବା ପରେ ସେହି ଅକ୍ସିଜେନ ସିଲିଣ୍ଡରକୁ ସାନିଟାଇଜିଂ କରି ତାକୁ ପୁଣି ଥରେ ଅନ୍ୟ ଏକ ରୋଗୀଙ୍କୁ ଦିଆଯାଉଛି ବୋଲି କହିଛନ୍ତି ଟ୍ରଷ୍ଟର ସଦସ୍ୟ ମାନେ । ଏଭଳି କାର୍ଯ୍ୟ କରିବାରେ ଟ୍ରଷ୍ଟର ସଦସ୍ୟ ମାନଙ୍କୁ ଆତ୍ମତୃପ୍ତି ମିଳୁଛି ବୋଲି ସେମାନେ କହିଛନ୍ତି । ଚଳିତ ବର୍ଷ ତଥା କରୋନା ଦ୍ୱିତୀୟ ଲହରରେ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ କରୋନା ଆକ୍ରାନ୍ତ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ମାନବ କଲ୍ୟାଣ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରାୟ ୩୦/୪୦ଜଣ ଆକ୍ରାନ୍ତଙ୍କୁ ମାଗଣାରେ ଅକ୍ସିଜେନ ସିଲିଣ୍ଡର ପ୍ରଦାନ କରାଯାଇଛି ବୋଲି ଜଣାଯାଇଛି । ଏହି ଟ୍ରଷ୍ଟର ସଦସ୍ୟମାନେ ଏଭଳି ମହତ କାର୍ଯ୍ୟ କରୁଥିବାରୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି ।