ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ସହରରୁ ୬୦ନଂ ଜାତୀୟ ରାଜପଥକୁ କୋର୍ଟ ସ୍ଥାନାନ୍ତର ପ୍ରତିବାଦରେ ଜଳେଶ୍ୱରସ୍ଥିତ କ୍ରିୟାନୁଷ୍ଠାନ କମିଟି ଆସନ୍ତା ୨୪ ତାରିଖରେ ବନ୍ଦ ଡାକରା ଦେଇଥିବାରୁ ସ୍ୱାଭିମାନୀ ଜଳେଶ୍ୱର ବାସି ଏହାକୁ ସହଯୋଗ କରିବାକୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେତେକ ଆଇନଜୀବୀଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ପୂର୍ବରୁ ଓକିଲ ସଂଘର ସହମତି ଓ ସାଧାରଣ ବୈଠକରେ ଅନୁମୋଦନ ବିନା ଜଳେଶ୍ୱର ଓକିଲ ସଂଘ ପକ୍ଷରୁ ପ୍ରସ୍ତାବିତ ଜଳେଶ୍ୱର ବନ୍ଦକୁ ସମର୍ଥନ ନ କରିବା ଦୁଃଖର ବିଷୟ ବୋଲି ଆଜି ବରିଷ୍ଠ ଆଇନ୍ଜିବୀ ଜିତାଂଶୁ ନନ୍ଦୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଓକିଲ ସଂଘ ପକ୍ଷରୁ ଆହୁତ ସାମ୍ବାଦିକ ସମ୍ମିଳନୀରେ ବାର୍ର ସଂପାଦକ କିମ୍ବା କାର୍ଯ୍ୟକାରିଣୀ ସଭ୍ୟଙ୍କ ଅନୁପସ୍ଥିତ ସଭାପତିଙ୍କ ଏକଚାଟିଆ ଘୋଷଣାକୁ ସେମାନେ ନିନ୍ଦା କରିଥିଲେ । ଅତୀତରେ ଜଳେଶ୍ୱରର ସ୍ୱାଭିମାନ ଦୃଷ୍ଟିରୁ ଯେ କୌଣସି ବନ୍ଦ ଡାକରାରେ ଜଳେଶ୍ୱର ଓକିଲ ସଂଘ ସ୍ୱତପ୍ରବୃତ ଭାବେ ସମର୍ଥନ ଦେଇ ଆସୁଥିବା ବେଳେ ଆସନ୍ତା ୨୪ ତାରିଖ ବନ୍ଦକୁ ବିରୋଧ କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସେମାନେ ପ୍ରଶ୍ନ କରିଥିଲେ । ଲକ୍ଷ୍ମଣନାଥ ରୋଡ ଏକ ନିର୍ଜନସ୍ଥାନ, ବ୍ୟସ୍ତବହୁଳ ରାସ୍ତା ୬୦ନଂ ଜାତୀୟ ରାଜପଥ ଏବଂ ସାମନ୍ତ ଅଂଚଳ ହୋଇଥିବାରୁ ସେଠାରେ କୋର୍ଟ ସ୍ଥାନାନ୍ତରକୁ ବିରୋଧ କରିଛନ୍ତି । ଅନ୍ୟପକ୍ଷରେ ଜଳେଶ୍ୱର ସହରର ଶାନ୍ତିଆ, ପଂଚୁଘଣ୍ଟାରେ ଥିବା ସରକାରୀ ଜାଗାରେ କୋର୍ଟର ନୂତନ ସ୍ଥାୟୀ ଗୃହ ନିର୍ମାଣ କରାଯିବାକୁ ସେମାନେ ଯୁକ୍ତି ଦର୍ଶାଇଥିଲେ । ଜଳେଶ୍ୱର ଓକିଲସଂଘ ବିରୁଧରେ ମହିଳା ଆଇନଜୀବୀ ରୀତା ଭୋଇ ବାର୍ କାଉନସିଲ ଅଫ ଇଣ୍ଡିଆ ନିକଟରେ ଅଭିଯୋଗ କରିବେ ବୋଲି ସେ ଚେତାବନୀ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀ ପୂର୍ବତନ ସଂପାଦକ ବନବିହାରୀ ଦାସ, ଗଣେଶ ମାଇତି, ସୁବ୍ରତ ବେରା, ସନ୍ୟାସୀ ବେହେରା, ରୀତା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା