ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ୧୩ ତାରିଖ ରାତିରେ ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣା ଅଞ୍ଚଳରେ ଘଟିଥିବା ହତ୍ୟା ଘଟଣାରେ ପୋଲିସ ୩ଜଣଙ୍କୁ ଗିରଫ କରିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ଶ୍ରୀ ପିନାକ ମିଶ୍ର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, କ୍ଷୀର ବ୍ୟବସାୟୀ ଲମ୍ବୋଦୋର ମୁନିଙ୍କ ହତ୍ୟା ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୨ଜଣ ସହଯୋଗୀ ଫେରାର ଥିବା କହିଛନ୍ତି । ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ନାମ ରୂପେଶ୍ ପାଢୀ, ଶିବ ମହାଙ୍କୁଡ଼ ଓ ରଞ୍ଜିତ ସାହୁ ଏବଂ ଫେରାର ଥିବା ୨ ଅଭିଯୁକ୍ତଙ୍କ ନାମ ସନ୍ତୋଷ ସାହୁ ଓ ଶ୍ରୀନୁ ପାତ୍ର ବୋଲି ଜଣାଯାଇଛି । କ୍ଷୀର ବ୍ୟବସାୟୀଙ୍କ ଗାଡି ଚାଳକ ରୂପେଶ୍ ପାଢୀ ଓରଫ୍ ଲାଲା ଘଟଣାର ମାଷ୍ଟର୍ ମାଇଣ୍ଡ ଥିବା ଏସପି କହିଛନ୍ତି । ଗତ ୧୩ ତାରିଖ ବିଳମ୍ବିତ ରାତିରେ ସେ ଘର ବାହାରେ ଅପେକ୍ଷା କରିଥିବା ବେଳେ ଅନ୍ୟ ୪ଜଣ ଦୁବୃତ୍ତ ଘର ଭିତରେ ପଶିଥିଲେ ଏବଂ ଆଲମାରୀ ଭାଙ୍ଗି ୬ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇଥିଲେ । ପ୍ରଥମେ ଲୁଟ ତରାଜ ପରେ ଗୋଡକୁ ଗାମୁଛାରେ ବାନ୍ଧି ବିଭତ୍ସ ଭାବେ ହତ୍ୟା କରିଥିଲେ । ଗିରଫ ଅଭିଯୁକ୍ତଙ୍କ ଠାରୁ ୪ ଲକ୍ଷ ନଗଦ ଟଙ୍କା ସହ ସୁନା ଚେନ୍, ମୁଦି ଏବଂ କାନ ଫୁଲ ଇତ୍ୟାଦି ଦଶ ଭରିରୁ ଅଧିକ ସୁନା ଜବତ କରାଯାଇଛି । ଫେରାର ଥିବା ଅଭିଯୁକ୍ତଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ଏସ୍.ପି ସୂଚନା ଦେଇଛନ୍ତି । ଏହାହସ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା