ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କୁ ଘୋଷିତ ୨ହଜାର ଟଙ୍କା ଦେବାକୁ ଦାବୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ରାଜପୁର ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ଲାଇଫ ଅନୁଷ୍ଠାନ, ବିଭିନ୍ନ ରାଜନୈତିକ ଦଳର ନେତା, ଆଶା ଓ ଅଙ୍ଗନୱାଡି କର୍ମୀ ତଥା ଏସ୍‌ଏଚ୍‌ଜିର ସଦସ୍ୟାମାନଙ୍କୁ ନେଇ ମିଳିତ ଭାବେ କୋବିଦ୍‌-୧୯ର ସଚେତନତା ଓ କ୍ୱାରାଣ୍ଟାଇନ୍‌ରେ ରହୁଥିବା ପ୍ରବାସୀମାନଙ୍କ ମଧ୍ୟରେ ଯୋଗ ଶିକ୍ଷା ଦୀର୍ଘ ୧୪ଦିନ ଧରି ଦିଆଯାଇ ଆସୁଥିଲା । ୧୪ ଦିନ ସଂଗରୋଧ ପରେ ଫେରିଥିବା ପ୍ରବାସୀମାନେ ଶିକ୍ଷା କରିଥିବା ଯୋଗ, ଭଜନ, ଖେଳ କୁଦ ସବୁଦିନ ଅବ୍ୟାହତ ରଖିବେ ବୋଲି ଆଜି କ୍ୱାରାଣ୍ଟାଇନ୍‌ରୁ ଫେରୁଥିବା ପ୍ରବାସୀମାନେ ମତବ୍ୟକ୍ତ କରିଛନ୍ତି । କିନ୍ତୁ ପ୍ରଥମେ ଟିଏମ୍‌ସିରେ ୨୧ଦିନ ଓ ଘରେ ୭ ଦିନ ରହିବାର ନିୟମ ଥିବା ବେଳେ ପରେ ବାରମ୍ବାର ପରିବର୍ତ୍ତନ ହୋଇ କ୍ୱାରାଣ୍ଟାଇନ୍‌ରେ ୭ଦିନ ଓ ଘରେ ଅନ୍ୟ ୭ ଦିନ ରହିବା ସଂପର୍କରେ ନିର୍ଦ୍ଦେଶକୁ ସମସ୍ତେ ଗ୍ରହଣ କରି ପାରି ନାହାନ୍ତି । ଖଟିଖିଆ ଗରିବ ଲୋକେ ଘରେ ୭ଦିନ ସଂଗରୋଧରେ ରହିବା ଅସମ୍ଭବ ବୋଲି କହିଥିଲେ । ଫଳରେ ଏହା ଗୋଷ୍ଠି ସଂକ୍ରମଣର ରୂପ ନେଇ ପାରେ ବୋଲି ଆଜି ପ୍ରବାସୀମାନେ ମତବ୍ୟକ୍ତ କରିଛନ୍ତି । ତେଣୁ ପୂର୍ବପରି ସଂଗରୋଧ କେନ୍ଦ୍ରରେ ୧୪ଦିନ ରହିବାର ବ୍ୟବସ୍ଥା ହେବା ଏବଂ ସରକାର ଘୋଷଣା କରିଥିବା ପ୍ରବାସୀଙ୍କୁ ୨ହଜାର ଟଙ୍କା ଦେବା କାର୍ଯ୍ୟକାରୀ କରିବାକୁ ସେମାନେ ଦାବି କରିଥିଲେ । ପ୍ରବାସୀଙ୍କୁ ୨ହଜାର ଟଙ୍କା ମିଳୁନଥିବାରୁ ଜିଲାପାଳଙ୍କ ପରି ଦାୟିତ୍ୱ ପାଇଥିବା ସରପଞ୍ଚମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି କ୍ଷୋଭ ପ୍ରକାଶ କରିଥିଲେ । ଏଥିରେ ସରପଞ୍ଚ ଦିଲ୍ଲିପ ପରିଡା, ଲାଇଫ ସଂଗଠନର ମୂଖ୍ୟ ତ୍ରିଲୋଚନ ଗିରି, ବିଷ୍ଣୁପଦ ପାଳ, ଅଜୟ କୁମାର ଦାସ, ଗଣେଶ ପାତ୍ର ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା