ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତ ଅଫିସର ପିଅନ ଖଲି ସାହୁ(୫୫)ଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ପ୍ରଥମେ ତାଙ୍କୁ ଗୁରୁତର ଅବସ୍ଥାରେ ଖଣ୍ଡଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହ ବ୍ୟବଚ୍ଛେଦ ପାଇଁ ଛତ୍ରପୁର ଡାକ୍ତରଖାନାକୁ ପଠାଯାଇଥିଲା । ମୃତକ ଖଲି ପଞ୍ଚାୟତ କାର୍ଯ୍ୟାଳୟକୁ ଆସିବା ବେଳେ ହଠାତ ପଡିଯାଇଥିଲେ । ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ରମ୍ଭା ପୋଲିସ ଖବର ପାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବକୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ୬ /୧୯ ରୁଜୁ କରି ତଦନ୍ତ ଚଳାଇବା ସହ ଘଟଣାକୁ ନେଇ ପୋଲିସ ପକ୍ଷରୁ ଗଞ୍ଜାମ ତହସିଲଦାରଙ୍କୁ ଅବଗତ କରାଯାଇଥିଲା । ମୃତ ଦେହର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପକ୍ଷରୁ ସୂଚନା ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା