ଖଲ୍ଲିକୋଟ କନିଷ୍ଠ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଆମ୍ ଆଦମୀ ପାର୍ଟିର ପକ୍ଷରୁ ବିକ୍ଷୋଭ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଖଲ୍ଲିକୋଟ କନିଷ୍ଠ ମହାବିଦ୍ୟାଳୟ ସମ୍ମୁଖରେ ଆବାହକ ସୁବାଷ ରାଉତଙ୍କ ନେତୃତ୍ୱରେ ଆମ୍ ଆଦମୀ ପାର୍ଟି ପକ୍ଷରୁ କଲେଜର ବିଭିନ୍ନ ସମସ୍ୟାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଏଥିରେ ପାର୍ଟି ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ କଲେଜରେ ଛାତ୍ରଛାତ୍ରୀଙ୍କ ପାଇଁ ପିଇବା ପାଣିର ସୁବିଧା ନଥିବା, ଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ନଥିବା ଯୋଗୁଁ ଅଧିକାଂଶ ଛାତ୍ରୀ କଲେଜ ଆସିବାକୁ କୁଣ୍ଠାବୋଧ କରୁଥିବା, ଶ୍ରେଣୀଗୃହର ଅଭାବ, କମନରୁମ ନଥିବା ଯୋଗୁଁ ଛାତ୍ରଛାତ୍ରୀ କଲେଜ ବାହାର ରାଜ ରାସ୍ତାରେ ଛିଡ଼ା ହୋଇ ଦୁର୍ଘଟଣାର ଶିକାର ହେବା, ଦୀର୍ଘଦିନ ଧରି ଫୁଟ ଓଭର ବ୍ରିଜ ବନ୍ଦ କରି ରଖିବା, ବିଭିନ୍ନ ବିଭାଗରେ ଶିକ୍ଷକ ପଦ ଖାଲିଥିବା, ଶିକ୍ଷକ ଅଭିଭାବକ ମିଟିଙ୍ଗ ନ କରିବା, ଡେଭଲପମେଣ୍ଟ ଫିଜର ସଦୁପଯୋଗ ନହେବା, କରୋନା ମହାମାରୀ ଗାଇଡ଼ ମାନି ସାନିଟାଇଜ଼ସନ ଏବଂ ଥର୍ମାଲସ୍କ୍ରିନ କରି ପିଲାଙ୍କୁ ଶ୍ରେଣୀ ଗୃହରେ ବସାଇବା ଆଦି ୯ ଦଫା ଦାବି ଉପସ୍ଥାପନ କରିଥିଲେ l ତୁରନ୍ତ ଏହାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ନିଷ୍ପତି ନିଆଯାଇ ଦାବି ପତ୍ରକୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରକୁ ପ୍ରଦାନ କରାଯାଇଥିଲା l ଏହି ବିକ୍ଷୋଭରେ ପାର୍ଟିର ସକ୍ରିୟ ସଦସ୍ୟ ସୁଧୀର ପ୍ରଧାନ, ସି. ହରପ୍ରସାଦ, ମାନବ ସୁରକ୍ଷା ମଞ୍ଚର ଆବାହକ ଅବନୀ ଗୟା, ଜନ ଜାଗରଣ ମଞ୍ଚର ସଭାପତି ମଧୁସୂଦନ ସେଠୀ ପ୍ରମୁଖ ଅଂଶ ଗ୍ରହଣ କରି ନିଜ ବକ୍ତବ୍ୟରେ ମହାବିଦ୍ୟାଳୟ କାର୍ଯ୍ୟକାରୀ ଅଧକ୍ଷଙ୍କ ମନମୁଖୀ ଏବଂ ଉଦାସୀନ କାର୍ଯ୍ୟ ପାଇଁ ତୀବ୍ର କ୍ଷୋଭ ପ୍ରକାଶ କରିଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା