ଖାରବେଳଙ୍କ ଉପରେ ଆକ୍ରମଣ ରାୟଗଡା କାଶୀପୁରରେ ସଭା କରୁଥିବା ବେଳେ ମୁହଁକୁ ମାଡ଼ ମାରିଲେ ଯୁବକ…

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କ ଉପରେ ଆକ୍ରମଣ ହୋଇଛି । ଭାଗ୍ୟ ପରିବର୍ତ୍ତନ ସଭାରେ ସୁମନ୍ତ ନାୟକ ନାମକ ଜଣେ ଯୁବକ ଆକ୍ରମଣ କରିଥିବା ଜଣାପଡ଼ିଛି । ପୁଲିସ ହେପାଜତରେ ରହିଛି ଅଭିଯୁକ୍ତ  । କେଉଁ କାରଣରୁ ଯୁବକ ଜଣକ ସାଧାରଣ ସଭାରେ ଏମିତି ଆକ୍ରମଣ କଲେ ସେ ନେଇ ପୁଲିସ ତଦନ୍ତ କରୁଛି । ଏହା ବିଜେଡି ପ୍ରାୟୋଜିତ ଆକ୍ରମଣ ବୋଲି ଖାରବେଳ ଅଭିଯୋଗ କରିଥିବା ବେଳେ ବିଜେଡି ପକ୍ଷରୁ ଖଣ୍ଡନ କରାଯିବା ସହ ଘଟଣାର ନିନ୍ଦା କରାଯାଇଛି ।  ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାକୁ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି । ଖାରବେଳଙ୍କୁ ଆକ୍ରମଣ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ । କେବଳ ସେତିକି ନୁହେଁ, କାହିଁକି ବାରମ୍ବାର ଖାରବେଳଙ୍କୁ ଏପରି ଆକ୍ରମଣ ହେଉଛି, ଏହା ପଛରେ ଅସଲରେ କିଏ ଅଛି, ତାକୁ ଧରିବା ଲାଗି କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦିଆଯାଇଛି ।  ସୂଚନା ଅନୁଯାୟୀ, ଖାରବେଳ ସ୍ୱାଇଁ ଗତକାଲି ସକାଳେ କାଶୀପୁର ବ୍ଲକ ଟିକିରିରେ ଭାଗ୍ୟ ପରିବର୍ତନ ସଭା କରି କାଶୀପୁର ଯାଇଥିଲେ । ଉପସ୍ଥିତ ଜନତାଙ୍କ ଉଦ୍ଦେଶ୍ୟରେ ଶ୍ରୀ ସ୍ୱାଇଁ ନିଜ ବକ୍ତବ୍ୟ ଦେବା ସମୟରେ କିଛି ଯୁବକ ମଞ୍ଚ ନିକଟକୁ ଚାଲି ଆସିଥିଲେ । ତୁରନ୍ତ ସଭା ବନ୍ଦ କରି ସ୍ଥାନ ଛାଡ଼ି ଚାଲି ଯିବାକୁ ବି ଧମକ ଦେଇଥିଲେ । ହଠାତ୍ ସୁମନ୍ତ ନାୟକ ନାମକ ଜଣେ ଯୁବକ ମଞ୍ଚ ଉପରକୁ ଚଢ଼ିଯାଇ ତାଙ୍କ ମୁହଁକୁ ଆକ୍ରମଣ କରିଥିଲା । ଆତର୍କିତ ଆକ୍ରମଣ ଖରାବେଳଙ୍କୁ ବିଚଳିତ କରିଥିଲା । ଏନେଇ ସେ କହିଛନ୍ତି ଯେ ବିଜେଡି ବିରୋଧରେ କହିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆକ୍ରମଣ କରାଇଛନ୍ତି । ପୁଲିସ ଆକ୍ରମଣରେ ସଂପୃକ୍ତ ଯୁବକଙ୍କୁ ଅଟକ ରଖି ପଚରା ଉଚୁରା କରୁଛି । ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ କୁଆଡ଼େ ଆସିଥିଲେ ତାହାର ମଧ୍ୟ ତଦନ୍ତ ହେବ ବୋଲି ଏସପି ରାହୁଲ ପି.ଆର ପ୍ରକାଶ କହିଛନ୍ତି ।  ତେବେ ବିଜେଡି ପକ୍ଷରୁ ଖାରବେଳଙ୍କ ଅଭିଯୋଗକୁ ଖଣ୍ଡନ କରାଯାଇଛି । କାଶୀପୁର ଅଞ୍ଚଳରେ ଏଭଳି ଆକ୍ରମଣ କରିବା ଭଳି କେହି ବିଜେଡି କର୍ମୀ ନାହାନ୍ତି ବୋଲି ରାଜ୍ୟ ବିଜେଡି ସ˚ପାଦକ ଜଗଦୀଶ ପାତ୍ର ସ୍ପଷ୍ଟ କରିଛନ୍ତି । ଜଣେ ରାଜନୈତିକ ଦଳର ନେତାଙ୍କୁ ସଭାରେ ଏମିତି ଆକ୍ରମଣକୁ ବିଜେଡି ନିନ୍ଦା କରୁଥିବା ଶ୍ରୀ ପାତ୍ର କହିଛନ୍ତି ।    

ରିପୋର୍ଟ : ତୁଷାର ରଞ୍ଜନ ସାହୁ