ଛତ୍ରପୁର (ସମୃଦ୍ଧ ଓଡିଶା) ଅନସ୍ଲୋରେ କେନ୍ଦ୍ରୀୟ ବିଦ୍ୟାଳୟ ଅସ୍ଥାୟୀ କ୍ୟାମ୍ପସ ଖୋଲିବ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ କେନ୍ଦ୍ରୀୟ ବିଦ୍ୟାଳୟ ଗଞ୍ଜାମ ଜିଲା ସଦରମହକୁମା ଛତ୍ରପୁରରେ ପ୍ରତି ବର୍ଷ ଖୋଲିବା ଏକ ପ୍ରକାର ନିଶ୍ଚିତ ହୋଇଛି । ଛତ୍ରପୁରସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲରେ ଖୋଲିବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ ପାଇଁ କୋଠା ଓ ନୂତନ କୋଠା ନିର୍ମାଣ ପାଇଁ ଜମି ହସ୍ତାନ୍ତର ବିଳମ୍ବ ଯୋଗୁ ଏହା ଖୋଲିବାରେ ଅହେତୁକ ବିଳମ୍ବ ହୋଇଥିବା ଜଣାପଡିଛି । ଅପରପକ୍ଷରେ ଅନସ୍ଲୋ ସରକାରୀ ହାଇସ୍କୁଲରେ କେନ୍ଦ୍ରୀୟ ବିଦ୍ୟାଳୟ ଅସ୍ଥାୟୀ ଭାବେ ଚାଲିବାକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ଶନିବାର ଏ ସମ୍ପର୍କରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗର ଡେପୁଟି ସେକେରଟାରି ପ୍ରଦୀପ କୁମାର ବେହେରାଙ୍କ ଠାରୁ ଗଞ୍ଜାମ ଜିଲାପାଳ, ଶିକ୍ଷା ଅଧିକାରୀ ଓ ଅନସ୍ଲୋ ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଚିଠି (ନଂ -୧୩୪୫୨) ଆସିଛି । ଫଳରେ ଖୁବ୍ଶୀଘ୍ର କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ ପାଇଁ ଅନସ୍ଲୋ କୋଠା ହସ୍ତାନ୍ତର ହେବ ବୋଲି ଜଣାପଡିଛି । କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବ । ପ୍ରକାଶ ଯେ, ଅସ୍ଥାୟୀ କ୍ୟାମ୍ପସ ପାଇଁ କୋଠା ଓ ଆର୍ଯ୍ୟପଲ୍ଲୀ ନିକଟରେ ପୂର୍ବରୁ ଚିହ୍ନଟ ଜମି ହସ୍ତାନ୍ତର ପରେ ହିଁ କେନ୍ଦ୍ରୀୟ ବିଦ୍ୟାଳୟ ଛତ୍ରପୁରରେ ଖୋଲିବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଚିଠି ଆସିଥିଲା । ବ୍ରହ୍ମପୁର କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷଙ୍କ ପକ୍ଷରୁ ଏହି ଚିଠି ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । କେନ୍ଦ୍ରୀୟ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ ପାଇଁ ଛତ୍ରପୁର ଅନସ୍ଲୋ ହାଇସ୍କୁଲର ଏକ କୋଠା ଦେଲେ କୌଣସି ଅସୁବିଧା ହେବନି ବୋଲି ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରି ପ୍ରଧାନ ଶିକ୍ଷକ ଜଣାଇଥିଲେ । ଏହାପରେ ଜିଲାପାଳଙ୍କ ସୁପାରିଶ ଓ ଅନସେ୍ଲା ସରକାରୀ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କ ଚିଠିକୁ ଆଧାର କରି ଗଞ୍ଜାମ ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡାଙ୍କ ପକ୍ଷରୁ ୧ ତାରିଖରେ ଏଥିପାଇଁ ଅନୁମତି ଦେବା ପାଇଁ ସେକେଣ୍ଡାରୀ ଏଜୁକେସନ ନିର୍ଦ୍ଦେଶକଙ୍କୁ ଚିଠି କରିଥିଲେ । ଏହାପରେ ସେକେଣ୍ଡାରୀ ଏଜୁକେସନ ଡେପୁଟି ଡାଇରେକ୍ଟରଙ୍କ ପକ୍ଷରୁ ୧୨ ତାରିଖରେ ଏଥିପାଇଁ ଅନୁମତି ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କୁ ଚିଠି କରାଯାଇଥିଲା । ଏହାପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଥିପାଇଁ ଅନୁମତି ଦିଆଯାଇଛି । ଏଥିସହ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କୋଠା ନିର୍ମାଣ ପାଇଁ ଆର୍ଯ୍ୟପଲ୍ଲୀ ନିକଟରେ ୧୦ ଏକର ଜମି ପ୍ରଶାସନ ପକ୍ଷରୁ ଦେବାକୁ ନିଷ୍ପତ୍ତି ହୋଇସାରିଛି । ଏହାକୁ ହସ୍ତାନ୍ତର କରିବାକୁ ପ୍ରକ୍ରିୟା ଅାରମ୍ଭ ହୋଇଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ଚଳିତ ବର୍ଷର କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ନିଷ୍ପତ୍ତି ନେଇଥିଲା । ଏହାପରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ମଧ୍ୟ ଏହାକୁ ପ୍ରଶାସନିକ ମଞ୍ଜୁରୀ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା