
ରାୟଗଡା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ଅନ୍ତର୍ଗତ ତୋୟାପୁଟ ଠାରେ ଘଟିଛି ଏକ ହୃଦୟବିଦାରକ ସଡ଼କ ଦୁର୍ଘଟଣା । ରାୟଗଡ଼ାଠାରେ ଅନୁଷ୍ଠିତ ଚଇତି ଉତ୍ସବ ଦେଖି ସାରି ଘରକୁ ଏକ ବୋଲେରୋରେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ବୋଲେରୋଟି ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା । ଫଳରେ ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଥିରୁ ଜଣଙ୍କ ମୂର୍ତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି କାଶିପୁର ବ୍ଲକର କାଶିପୁର, ମୁଣ୍ଡାଗୁଡ଼ା ଓ ଡେଙ୍ଗାଗୁଡ଼ା ଗାଁର କେତେକ ଯୁବକ ରାୟଗଡ଼ାଠାରେ ଚାଲିଥିିବା ଚଇତି ଉତ୍ସବ ଦେଖିବାକୁ ଆସିଥିଲେ । ସେମାନେ ବିଳମ୍ବିତ ରାତିରେ ଓଡ଼ି ୦୨ ଏସ ୯୨୪୩ ନମ୍ବର ବିଶିଷ୍ଟ ଏକ ବୋଲେରୋ ଯୋଗେ ଗାଁକୁ ଫେରୁଥିବା ବେଳେ ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ତୋୟାପୁଟ ନିକଟରେ ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ବୋଲେରୋଟି ଗଛରେ ପିଟି ହୋଇଯାଇଥିଲା । ତେବେ ସମସ୍ତ ମୃତକଙ୍କ ଶବ ଆଜି ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ




