ଗଜପତି ଜିଲ୍ଲାରେ ଚିତ୍ରାନଙ୍କନ ପ୍ରତିଯୋଗିତା…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଜାତୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜିଲ୍ଲାର ୭ଗୋଟି ବ୍ଲକରୁ ୮୮ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ସାଧାରଣ ବର୍ଗର ପ୍ରତିଯୋଗୀ ମାନଙ୍କୁ ୨ ଟି ଭାଗରେ ଏବଂ ଭିନ୍ନକ୍ଷମ ବର୍ଗର ପ୍ରତିଯୋଗୀ ମାନଙ୍କୁ ୬ ଟି ବିଭାଗରେ ବିଭକ୍ତ କରାଯାଇଥିଲା । ଜାତୀୟ ସ୍ତରରୁ ଆସିଥିବା ନିର୍ଦ୍ଦେଶାବଳୀ ପ୍ରକାରେ ପ୍ରତି ବର୍ଗର ପ୍ରତିଯୋଗୀ ମାନଙ୍କୁ ଚିତ୍ରାଙ୍କନ ପାଇଁ ଭିନ୍ନ ଭିନ୍ନ ବିଷୟ ବସ୍ତୁ ଦିଆଯାଇଥିଲା । ସେହି ବିଷୟ ବସ୍ତୁ ଗୁଡ଼ିକ ଉପରେ ହିଁ ବିଭିନ୍ନ ବିଭାଗର ପ୍ରତିଯୋଗୀ ମାନେ ଚିତ୍ତାକର୍ଷକ ତଥା ଆକର୍ଷଣୀୟ ମାନର ରଙ୍ଗ-ବେରଙ୍ଗ ଚିତ୍ରାଙ୍କନ ଆଙ୍କି ଥିଲେ । ଏହି ଚିତ୍ରାଙ୍କନ ପ୍ରତିଯୋଗିତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ହୋଇଥିବା ବିଚାରକମାନଙ୍କ ଦ୍ୱାରା ଚିତ୍ର ଗୁଡ଼ିକର ମୁଲ୍ୟାଙ୍କନ କରାଯାଇ ପ୍ରତି ବର୍ଗରୁ ୫ ଗୋଟି ଲେଖାଏଁ ଚିତ୍ରାଙ୍କନକୁ ମନୋନୀତ କରାଯାଇ ରାଜ୍ୟ ସ୍ତରକୁ ପଠାଯିବା ପାଇଁ ନିଷ୍ପତ୍ତି କରାହୋଇଛି । ଅନ୍ୟ ପକ୍ଷରେ ପ୍ରତି ବର୍ଗରୁ ୩ ଜଣ କୃତି ପ୍ରତିଯୋଗୀଙ୍କୁ ଆଗାମୀ ଦିନରେ ଯେ କୌଣସି ହେଲେ ଜିଲ୍ଲା ସ୍ତରୀୟ ଉତ୍ସବରେ ସମ୍ମାନିତ ସହ ପୁରସ୍କୃତ କରିବାର ନିଷ୍ପତ୍ତି ନିଆଯାଇଛି । ଏହି ପ୍ରତିଯୋଗିତାର ବିଚାରକ ଭାବେ ସୁନିତା ମିଶ୍ର, ପ୍ରସନ୍ନ କୁମାର ପଣ୍ଡା ଏବଂ ମୁରଲୀ ଧର ପରିଛା ପ୍ରମୁଖ ଯୋଗଦେଇ ନିଜର ମୂଲ୍ୟାଙ୍କନ କାର୍ଯ୍ୟ ସମ୍ପନ୍ନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ମଙ୍ଗଳ ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବି. ବୃନ୍ଦାବନ ରାଓ ପ୍ରମୁଖ ଯୋଗଦେଇ ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଛୋଟ ଛୋଟ ପିଲାମାନଙ୍କ ମନ ମଧ୍ୟରେ ଚିତ୍ରାଙ୍କନ ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ସେମାନଙ୍କ ମନୋନୀତ ଚିତ୍ର ଗୁଡିକୁ ରାଜ୍ୟ ଓ ଜାତୀୟ ସ୍ତରରେ ପ୍ରଦର୍ଶିତ କରାଇବା ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଚାଇଲଡ ଲାଇନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସଦସ୍ୟ-ସଦସ୍ୟା ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା