ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ସାମ୍ବାଦିକ ସମ୍ମିଳନୀ:ନିର୍ବାଚନୀ ସମ୍ପର୍କରେ ସୂଚନା…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ଗଞ୍ଜାମ ଜିଲ୍ଲାରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏକ ପ୍ରକାର ଶାନ୍ତି ଶୃଙ୍ଖଳାର ସହ ମତଦାନ ହୋଇଯାଇଛି । କାଁ ଭାଁ କେତୋଟି ଅଞ୍ଚଳରେ ଗଣ୍ଡଗୋଳ ଦେଖାଯାଇଥିଲା । ଗଞ୍ଜାମ ପୋଲିସ ଜିଲ୍ଲାରେ ରାଜନୈତିକ ହିଂସା ବାବଦରେ ସୋରଡ଼ାରେ ୨ଟି, କବିସୂର୍ଯ୍ୟନଗର ଥାନା ଅଂଚଳରେ ୨ଟି, ପୋଲସରା ଥାନା ଅଞ୍ଚଳରେ ୨ଟି ଏହିପରି ମାମଲା ରୁଜୁ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ପୂର୍ବଦିନ ତଥା ଗତ ୧୭ ତାରିଖ ରାତିରେ ସୋରଡ଼ା ଅନ୍ତର୍ଗତ ଲାଠିପଡ଼ା ପଞ୍ଚାୟତର କଦଳିଝୋଳା ଗ୍ରାମରେ ରାଜନୈତିକ ହିଂସାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ସନ୍ତୋଷ ପତି ଏକ ନିର୍ଦ୍ଧିତ ରାଜନୈତିକ ଦଳର ବ୍ୟକ୍ତି ଥିଲେ । ଗାଁରେ ପୋଷ୍ଟର ଚିରାକୁ ନେଇ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା । ଏହା ପରେ ହାତା ହାତି ହୋଇ ସନ୍ତୋଷ ସାହୁଙ୍କୁ କିଛି ଯୁବକ ଆକ୍ରମଣ କରିଥିଲେ । ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ହସପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ଡ଼ାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ସନ୍ତୋଷଙ୍କ ବାପା ଗଣେଶ ପତି ଏତଲା ଦାଏର କରିଥିଲେ । ଏତଲାକୁ ଭିତି କରି ସୋରଡ଼ା ପୋଲିସ ୩ ଜଣ ଯୁବକଙ୍କୁ ଗିରଫ କରିଥିବା ବେଳେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତକୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଏସପି ଶ୍ରୀ ରାଏ ସୂଚନା ଦେଇଛନ୍ତି । ଗିରଫ ତିନିଜଣ ହେଲେ କୁମାର ନାୟକ, ଗୋଲା ନାୟକ ଓ ଜିତୁ ନାୟକ । ସେହିପରି ଗତ ୧୭ ତାରିଖ ରାତ୍ର ପ୍ରାୟ ସାଢେ ୭ଟା ସମୟରେ ଭଞ୍ଜନଗର ଥାନାର ଅଗଝୋଳ ଗ୍ରାମର ସଦାଶିବ ପ୍ରଧାନଙ୍କ ବୋମା ବିଷ୍ପୋରଣରେ ମୃତ୍ୟୁ ଘଟିଥିଲା । ମୃତ୍ୟୁର କାରଣ ସ୍ପଷ୍ଟ ଭାବେ ଜଣାପଡ଼ିନଥିବା ବେଳେ ପ୍ରାଥମିକ ତଦନ୍ତରୁ ମୃତ ସଦାଶିବ ନିଜ ପ୍ୟାଂଟ୍ ପକେଟରେ ମୋବାଇଲ ସହ ଗୋଟିଏ ବୋମା ରଖିଥିଲେ । କୌଣସି କାରଣବଶତଃ ବୋମା ବିଷ୍ପୋରଣ ଘଟି  ମୋବାଇଲ୍ ଫୋନଟି ଫାଟି ଯାଇ ଏପରି ବିଷ୍ପୋରଣ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛିି । ବୁଥରେ ଭଙ୍ଗା ରୁଜା ଅଭିଯୋଗରେ ସୋରଡ଼ା ପୋଲିସ ପକ୍ଷରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ସୂଚନା ଅନୁଯାୟୀ ସୋରଡ଼ା ନିର୍ବାଚନ ମଣ୍ଡଳୀର ୧୮୨ ନଂ ବୁଥରେ ଇଭିଏମ ମେସିନ୍ ଭାଙ୍ଗିବା ନେଇ ଉପସ୍ଥିତ ପୋଲିସ ଓ ପ୍ରିଜାଇଡ଼ିଂ ଅଫିସରଙ୍କ ଏତଲା ସୋରଡ଼ା ଥାନାରେ ଦାଏର କରିଥିଲେ । ପୋଲିସ ଏତଲାକୁ ଭିତି କରି ୫୭/୨୦୧୯ରେ କେଶ୍ ରୁଜୁ କରିଛି । ୧୪୩/୪୪୮/ ୩୫୩/୪୨୭/୧୪୯ ଆଇପିସି ୩ ପିଡ଼ି ପିପି ଆକ୍ଟ, ୧୩୧, ୧୩୨, ୧୩୫ (ଏ), ୧୩୬ ଆରପି ଆକ୍ଟ ଦଫା ରୁଜୁ କରି ପୋଲିସ ତଦନ୍ତ କରି ନୀଳ ବିଷୋୟୀଙ୍କୁ କୋର୍ଟ ଚାଲାଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା