ଛତ୍ରପୁର (ସମୃଦ୍ଧ ଓଡିଶା) ଦ୍ୱାଦଶ ଜାତୀୟ ମତଦାତା ଦିବସ-୨୦୨୨ ଗଞ୍ଜାମ ଜିଲାସ୍ତରୀୟ ସମାରୋହ ମଙ୍ଗଳବାର ଛତ୍ରପୁରସ୍ଥିତ ଜିଲ୍ଲାପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଗଂଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦେଇ କହିଥିଲେ ଯେ ବିଶ୍ୱରେ ଭାରତ ସବୁଠୁ ବଡ ଗଣତନ୍ତ୍ର ରାଷ୍ଟ୍ର । ଭୋଟର ହେଉଛନ୍ତି ଏହାର ମୂଳଦୁଆ । ଭୋଟରଗଣ ଯେତେ ମାତ୍ରାରେ ସୁଦୃୃଢ ହେବେ ଭାରତର ଗଣତନ୍ତ୍ର ସେତେ ମାତ୍ରାରେ ମଜବୁତ ହେବ ବୋଲି ଜିଲ୍ଲାପାଳ ଅବଗତ କରାଇଥିଲେ । ସେ ଆହୁରି କହିଥିଲେ ଯେ ସବୁ ମତଦାତା କୌଣସି ପ୍ରଲୋଭନରେ ପ୍ରଭାବିତ ନହୋଇ ସଚେତନ ସହ ନିଜର ବିବେକକୁ ନେଇ ଭୋଟ ଦାନ କଲେ ଠିକ୍ ପ୍ରତିନିଧି ନିର୍ବାଚିତ ହୋଇପାରିବେ । ଭୋଟର ତାଲିକା ପ୍ରସ୍ତୁତ ଠାରୁ ଆରମ୍ଭ କରି ଭୋଟରଙ୍କ ଘରକୁ ଘର ଯାଇ ଏନେଇ ସଚେତନ କରିଥିବାରୁ ଏବଂ ଏହାର ସଫଳତା ମିଳୁଥିବାରୁ ବୁଥ୍ ସ୍ତରୀୟ ଅଫିସର ମାନଙ୍କୁ ଜିଲାପାଳ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ପ୍ରଥମ କରି ଭୋଟର ତାଲିକାରେ ନାଁ ସଂଯୋଗ କରିଥିବା ଯୁବ ଭୋଟର ମାନଙ୍କୁ ଭୋଟ ପରିଚୟ ପତ୍ର ଜିଲ୍ଲାପାଳ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ଲୀନା କୁମାରୀ ଖେସ୍ ଏଥିରେ ଯୋଗଦେଇ ସମସ୍ତ ଭୋଟର ନିଜର ମତଦାନ ସାବ୍ୟସ୍ତ କଲେ ଗଣତନ୍ତ୍ର ସୁଦୃଢ ହୋଇପାରିବ ଏବଂ ଏହାଦ୍ୱାରା ଏହାର ଲକ୍ଷ୍ୟ ସାଧିତ ହୋଇପାରିବ ବୋଲି କହିଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏଥିରେ ସଂଯୋଜନା କରିବା ସହ ସମସ୍ତଙ୍କୁ ମତଦାତାଙ୍କ ସଂକଳ୍ପ ସମ୍ପର୍କରେ ଶପଥ ପାଠ କରାଇଥିଲେ । ଆସିଷ୍ଟାଟ କଲେକ୍ଟର (ନିର୍ବାଚନ) ଏମ୍. ପ୍ରମୋଦ କୁମାର ବେହେରା ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ କହିବା ସହ ଧନ୍ୟବାଦ ଦେଇଥିଲେ । ଶ୍ରେଷ୍ଠ ବୁଥ ସ୍ତରୀୟ ଅଫିସର (ବିଏଲଓ) ଭାବେ ଗୋପାଳପୁରର ଶିକ୍ଷୟତ୍ରୀ ମାମି ନାୟକ, ବ୍ରହ୍ମପୁର ପୁରୁଣା ତାଲୁକା ସୁବୁଦ୍ଧିଦେବୀ ପିୟୁପିଏସର ଅଙ୍ଗନୱାଡି କର୍ମୀ ଅନୀତା କୁମାରୀ ସାହୁ ଓ ଚିକିଟି ବ୍ଲକ ସୁନାପୁର ଉଚ୍ଚପ୍ରାଥମିକ ସ୍କୁଲର ଶିକ୍ଷକ ହରି ବେହେରାଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭରେ ଭୋଟର ସଚେତନତା ରଥକୁ ଜିଲାପାଳ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଛତ୍ରପୁର ସହରରେ ଏହି ରଥ ପରିକ୍ରମା କରି ଲୋକଙ୍କୁ ସଚେତନ କରାଇଥିଲା । ପରେ ଜିଲା ର ଅନ୍ୟ ସ୍ଥାନକୁ ମଧ୍ୟ ଉକ୍ତ ରଥ ପରିକ୍ରମା କରିବ ବୋଲି ସୂଚନା ଦିଆଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା