

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଭିନ୍ନ ବ୍ଲକରେ ସାଙ୍ଗଠନିକ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାନଖେମୁଣ୍ଡି ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ରମେଶ ଚନ୍ଦ୍ର ଜେନା ଓ ସମସ୍ତ ନେତୃବର୍ଗଙ୍କୁ ବିଭିନ୍ନ ସ୍ଥାନରେ ବାଇକ ରାଲି କରି ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରାଯାଇଥିଲା । ଆଜି ଖଲ୍ଲିକୋଟ ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା, କବିସୂର୍ଯ୍ୟନଗର ଡାକ ବଙ୍ଗଳା, ଆସିକା ଠାରେ ବୈଠକ ଅନୁଷ୍ଠିତ କରାଯାଇଥିଲା । ଏଥିରେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା କଂଗ୍ରେସ ଦଳର ସ୍ଥିତିକୁ ମଜବୁତ କରିବା ସହିତ ଗୋଷ୍ଠୀ କନ୍ଦଳକୁ ଭୁଲି ଗଞ୍ଜାମ ଜିଲ୍ଲାରେ ଦଳୀୟ କାମ କରିବାକୁ ଆହ୍ୱାନ ଦେଇଥିଲେ । ଏହାସହ ଆସିକା ସଂସଦୀୟ କ୍ଷେତ୍ରରେ ଥିବା ଓଡିଶାର ଏକ ମାତ୍ର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା କଂଗ୍ରେସର ଆଗାମୀ ଭବିଷ୍ୟତରେ ଯୁବ ନେତୃତ୍ୱ ସୃଷ୍ଟି କରିବା ସହିତ ଓଡିଶା ଶାସନ ଦଖଲ କରିବା ପାଇଁ ଏବେ ଠାରୁ ସଂଗଠିତ କରିବା ପାଇଁ କର୍ମୀମାନଙ୍କୁ କହିଥିଲେ । ଏହି ଅବସରରେ ପ୍ରତ୍ୟେକ ବ୍ଲକରେ ବ୍ଲକ ଓ ଏନଏସି ପାଇଁ ସଭାପତି ଚୟନ କରାଯାଇଥିଲା । ଏହି ବୈଠକରେ ପୂର୍ବତନ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିଜୟ ସାହୁ, ପୂର୍ବତନ ଜିଲ୍ଲା ଉପସଭାପତି ପ୍ରଭାତ କୁମାର ସାମନ୍ତରାୟ, ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ସ୍ୱରୁପା ପାଣିଗ୍ରାହୀ, ବୁଲା ରାଉତ, ଅନିଲ ପରିଡା, ଶମ୍ଭୁ ପାଣିଗ୍ରାହୀ, ବିଧାନ ସ୍ୱାଇଁ, ଯଜ୍ଞ ନାରାୟଣ ପଟ୍ଟନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା




