

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଚାମ୍ବର ଅଫ୍ କମର୍ସ ପକ୍ଷରୁ ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଓ ବିଧାୟକ ପ୍ରାର୍ଥୀ କାହ୍ନୁ ଚରଣ ପତିଙ୍କୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ର ସ୍ଥାନୀୟ ପାକଳାବାରି ସାହି ସ୍ଥିତ ଚାମ୍ବର ଅଫ୍ କମର୍ସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ କରାଯାଇଛି । ସେଥିରେ ବ୍ରହ୍ମପୁରର ସର୍ବାଙ୍ଗୀନ ବିକାଶ କିଭଳି ହୋଇପାରିବ ସେ ସଂପର୍କରେ ଆଲୋଚନା କରାଯାଇ ସାଂସଦ ପ୍ରାର୍ଥୀ ବ୍ରହ୍ମପୁର ଲୋକସଭାର ବିକାଶ ପାଇଁ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ ବ୍ୟବସ୍ଥାରେ ସାମିଲ୍ ହେବା ପାଇଁ ନିବେଦନ କରିଛନ୍ତି । ଯାହାଫଳରେ ଏଠାରେ ବିକାଶ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି । ବିଜେପି ସରକାର ଆସିଲେ ବ୍ରହ୍ମପୁରରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି । ସେହିଭଳି ବିଧାନସଭା ପ୍ରାର୍ଥୀ ଶ୍ରୀ ପତି କହିଥିଲେ ଯେ ମୋଦିଙ୍କ ଭଳି ୧୮ ଘଣ୍ଟା ପରିଶ୍ରମ କରିବି ଏବଂ ଜନସାଧାରଣଙ୍କ ସେବାରେ ଲାଗିବି । ତେଣୁ ବିଜେପିକୁ ଭୋଟ ଦେଇ ବିଜୟୀ କରାଇବା ପାଇଁ ସେ ନିବେଦନ କରିଥିଲେ । ଏହି ଆଲୋଚନାଚକ୍ରରେ ଗଞ୍ଜାମ ଜିଲ୍ଲା ଚାମ୍ବର ଅଫ୍ କମର୍ସର ସଭାପତି ଭି.ଭି.ଆର୍.ଏନ୍ ରାଓ ଏବଂ ସଂପାଦକ ସନ୍ତୋଷ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





