ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ପୋଲିସର ଚଳିତ ବର୍ଷର ଶେଷ ସମୀକ୍ଷା ବୈଠକ ଗତକାଲି ଏସ୍ପିଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ଥାନାରେ ରହିଥିବା ମାମଲା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିଲା । ଥାନାରେ ସ୍ଥଗିତ ଥିବା ମାମଲା ଗୁଡିକର ତୁରନ୍ତ ଫଇସଲା କରିବାକୁ ଥାନା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପେଣ୍ଡିଙ୍ଗ ଚିଟଫଣ୍ଡ କେଶ, ମହିଳା ଶିଶୁ ଡେସ୍କ, ସ୍ୱୟଂସିଦ୍ଧା ଓ ଆମ ପୋଲିସ କାର୍ଯ୍ୟକ୍ରମ, ଗ୍ରାମ୍ୟ ବିବାଦ, ମଡେଲ ପୋଲିସ ଷ୍ଟେସନ, ସିନିୟର ସିତିଜନ ସେଲ, ରୋଡ଼ ସୁରକ୍ଷା, ଜାଲ ଜାତିଗତ ପ୍ରମାଣପତ୍ର, ଶିଶୁ ଚାଲାଣ ଓ ଶ୍ରମିକ ଚାଲାଣ ରୋକିବା ବିଷୟରେ ଆଲୋଚନା କରାଯିବା ସହ ବିଭିନ୍ନ ଥାନା ଅଂଚଳରେ ରହିଥିବା ଦାଗୀ ଅପରାଧୀମାନଙ୍କ ଉପରେ କଡା ନଜର ରଖିବାକୁ କୁହାଯାଇଛି । ପୋଲିସ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହୋଇପାରିବା ଭଳି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯିବା ସହିତ ଆଗକୁ ନୂଆ ବର୍ଷ ଆସୁଥିବାରୁ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବାକୁ ଏସ୍ପି ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଡିଏସପି ଦିଲ୍ଲୀପ ଦାଶ, ଡ଼ିଆଇବି ଡ଼ିଏସପି କେଶବ ଚନ୍ଦ୍ର ବେହେରା, ଛତ୍ରପୁର ଏସଡ଼ିପିଓ ରମେଶ ଚନ୍ଦ୍ର ସେଠି, ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ସମେତ ସମସ୍ତ ଥାନା ଅଧିକାରୀ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା