ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ କୋଭିଡ ସଙ୍ଗରୋଧ କେନ୍ଦ୍ର ଓ ଗୃହ ସର୍ଭେ କାର୍ଯ୍ୟରେ ନିଯୁକ୍ତି ପାଇଥିବା ପ୍ରାଥମିକ ଶିକ୍ଷକମାନଙ୍କ ମଧ୍ୟରୁ କବିସୂର୍ଯ୍ୟନଗର ବ୍ଲକର ସୀମାଞ୍ଚଳ ଶତପଥୀ, ଡ଼ି. ରାମେଶ୍ୱର ଆଚାରି, କୃଷ୍ଣଚନ୍ଦ୍ର ସେଠି ଓ ଆସିକା ବ୍ଲକର ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଗୌରହରି ବେହେରା, ଦିଗପହଣ୍ଡି ବ୍ଲକର ବଂଶୀଧର ବେହେରା, କୁକୁଡ଼ାଖଣ୍ଡି ବ୍ଲକର ସବିତା ପଟ୍ଟନାୟକ, ପୁରୁଷୋତ୍ତମପୁର ବ୍ଲକର ଟି.ବିଜୟଲଷ୍ମୀ ଓ ଲଷ୍ମୀନାରାୟଣ ଶତପଥୀ କରୋନା ପୀଡିତ ହୋଇ ମୃତ୍ୟୁବରଣ କରିଛନ୍ତି । ଅନେକ ଶିକ୍ଷକ ଓ ଶିକ୍ଷୟତ୍ରୀ କରୋନା ପୀଡିତ ହୋଇ ବର୍ତ୍ତମାନ ଚିକିତ୍ସିତ ହୋଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ଅବସ୍ଥାରେ ଅଛନ୍ତି । ବର୍ତ୍ତମାନ ବିଭିନ୍ନ CCHରେ ପ୍ରାଥମିକ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନିଯୁକ୍ତି କରାଯାଇଛି । ସେଥି ମଧ୍ୟରୁ ଅନେକ ୫୫ ବର୍ଷରୁ ଅଧିକ ଓ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡିତ ଅଛନ୍ତି । ସେମାନଙ୍କୁ ଉପଯୁକ୍ତ ଉପକରଣ(PPE) ଦିଆଯାଇନାହିଁ । ଉଲ୍ଲେଖଯୋଗ୍ୟ ଯେ ଓଡିଶା ସରକାରଙ୍କ ସ୍ୱାସ୍ତ୍ୟ ଓ କଲ୍ୟାଣ ପତ୍ରାଙ୍କ ୧୫୯୫୨ ତା- ୦୬/୦୭/୨୦୨୦ରେ CCHର ନିର୍ଦ୍ଦେଶବଳି ଗାଇଡ଼ଲାଇନରେ ସ୍ୱାସ୍ତ୍ୟକର୍ମୀଙ୍କୁ ନିଯୁକ୍ତି ପାଇଁ କୁହାଯାଇଛି କିନ୍ତୁ କୌଣସି ସ୍ଥାନରେ ପ୍ରାଥମିକ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ନିର୍ଦ୍ଦେଶ ନାହିଁ । ଏଣୁ ଗଞ୍ଜମ ଜିଲା ପ୍ରାଥମିକ ଶିକ୍ଷକ ସଂଘର ଦାବି ଅନୁସାରେ ଜିଲାରେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଦାୟିତ୍ୱ ନିର୍ବାହ କରିଥିବା ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ କରୋନା ଯୋଦ୍ଧା ଘୋଷଣା ସହ ମୃତ୍ୟବରଣ କରିଥିବା ଶିକ୍ଷକଙ୍କ ପରିବାରକୁ ସମ୍ପୃକ୍ତ ବିମାରାଶି ପ୍ରଦାନ, କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହୋଉଥିବା ଶିକ୍ଷକମାନଙ୍କୁ ତ୍ୱରିତ ଚିକିତ୍ସା ପ୍ରଦାନ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କୋଭିଡ-୧୯ ସହାୟତା କେନ୍ଦ୍ର ଖୋଲାଯାଉ ବୋଲି ଦାବି ହୋଇଥିଲା । ଏହି ଦାବିପତ୍ର ପ୍ରଦାନ ସମୟରେ ଶିକ୍ଷକ ସଙ୍ଘର ଗଞ୍ଜାମ ଜିଲ୍ଲା ସଭାପତି ଶଶାଙ୍କ କୁମାର ପ୍ରଧାନ, ଛତ୍ରପୁର ଜୋନ ସଭାପତି ପୂର୍ଣଚନ୍ଦ୍ର ମହାରଣା, ଗଞ୍ଜାମ ଜିଲ୍ଲା ଉପସଭାପତି ସୁବାଷ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ ସଭାପତି ଜୟକୃଷ୍ଣ ବେହେରା, କୁକୁଡ଼ାଖଣ୍ଡି ବ୍ଲକ ସମ୍ପାଦକ ସାରଥୀ ପାତ୍ର, ଖଲ୍ଲିକୋଟ ସମ୍ପାଦକ ମଧୁ ଚରଣ ସେଠି ଓ ପୁରୁଷୋତ୍ତମପୁର ବ୍ଲକ ଉପସଭାପତି କିଶୋର ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା