ଗଞ୍ଜାମ ଜିଲ୍ଲା ବହୁଭାଷୀ କନିଷ୍ଠ ଶିକ୍ଷା ସହାୟକ ସଂଙ୍ଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ବହୁଭାଷୀ କନିଷ୍ଠ ଶିକ୍ଷା ସହାୟକ ସଂଙ୍ଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୂଚନା ଯେ, ଆଦିବାସୀ ଅଧୂଷିତ ଅଞ୍ଚଳରେ ଗଢ଼ି ଉଠିଥିବା ଶିକ୍ଷାନୁଷ୍ଠାନ ଗୁଡିକର ଅଭିବୃଦ୍ଧି, ଶିକ୍ଷାର ପ୍ରସାର ବୃଦ୍ଧି କରିବା ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଉଦ୍ୟମ କରିଥିଲେ । ଆଦିମ ଅଧିବାସୀ ତଥା ଗଞ୍ଜାମ ଜିଲ୍ଲାର ଆଦିବାସୀ ମାନଙ୍କ ପ୍ରଚଳିତ ଆଦିମ ଭାଷା “କୁଇ” ଭାଷାର ପ୍ରଚାର ପ୍ରସାର ସହ “କୁଇ” ଭାଷାରେ ପାଠପଢାଇ ସମାଜର ଅଧୁନିକତା ଆଡକୁ ଆପଣେଇବା ଲକ୍ଷ୍ୟ ଓ ଉଦ୍ଦେଶ୍ୟରେ ରାଜ୍ୟ ସରକାର ୨୦୧୩ ମସିହାରେ ଏହି ବହୁଭାଷୀ ଶିକ୍ଷାର କାର୍ଯ୍ୟକ୍ରମ ନିମନ୍ତେ ଶିକ୍ଷା ସହାୟକ ନିଯୁକ୍ତି ପ୍ରଦାନ କରିଥିଲେ । ସମ୍ପ୍ରତି ନିମ୍ନପ୍ରାଥମିକ ସ୍ତରରେ “କୁଇ” ଭାଷାରୁ ଶିକ୍ଷାପ୍ରଦାନ କରିବା ସହ ଉନ୍ନୀତ ଶିକ୍ଷାସ୍ତରକୁ ଅଣାଯାଇଥାଏ । ପରେ ଉଚ୍ଚଶିକ୍ଷାରେ ଅଧୂନିକ ଓଡ଼ିଆ ଭାଷା ସାହିତ୍ୟ, ଇଂରାଜୀ, ହିନ୍ଦୀ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଆଦି ଶିକ୍ଷା ଲାଭ କରି ଆଦିବାସୀ ଅଧୁଷିତ ଅଞ୍ଚଳର ଯୁବପିଢ଼ୀଙ୍କୁ ଉଜ୍ଵଳ ଭବିଷ୍ୟତ ଆଡକୁ ଆଣିବା, ଅବା ଏହି ପ୍ରୟାସ କରି ଆସୁଥିବା ଶିକ୍ଷକଙ୍କୁ ଯୋଗ୍ୟତାଭିତ୍ତିକ ହୋଇ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଇ ନ ଥିବା ଏକ ବିଡମ୍ବନାର ବିଷୟ ବୋଲି ମତ ପ୍ରକାଶ ପାଇଛି । ସଂପ୍ରତି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସବଡିଭିଜନ ଅନ୍ତର୍ଗତ ଭଞ୍ଜନଗର ବ୍ଳକ୍, ଜଗନ୍ନାଥପ୍ରସାଦ ବ୍ଳକ୍, ସୋରଡ଼ା ବ୍ଳକ୍, ବ୍ରହ୍ମପୁର ସବଡିଭିଜନ ଅନ୍ତର୍ଗତ ସାନଖେମୁଣ୍ଡି ବ୍ଳକର ବିଭିନ୍ନ ବିଦ୍ୟାଳୟ ଅଧିନସ୍ଥ ଆଦିବାସୀ ସଂପ୍ରଦାୟର ପିଲାମାନଙ୍କ ଶିକ୍ଷାର ଉନ୍ନତି ଓ ଅଗ୍ରଗତି ନିମନ୍ତେ ନିମ୍ନପ୍ରାଥମିକ ସ୍ତରରୁ “କୁଇ” ଭାଷାର ପ୍ରଚଳନ କରିବା ଏକ ଆନୁଷଙ୍ଗିକ ପ୍ରଥାର ପଦକ୍ଷେପ ରାଜ୍ୟ ସରକାର ନେଇଥିଲେ । ତେବେ ଆମ ଗଞ୍ଜାମରେ ୨୦୧୪ ମସିହା ମାର୍ଚ୍ଚ ମାସରେ ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଜଣେ ଲେଖାଏଁ ଶିକ୍ଷକ/ଶିକ୍ଷୟିତ୍ରୀ ନିଯୁକ୍ତି ଦେଇଥିଲେ । ସେମାନେ ଭାଷା ଶିକ୍ଷକ ଭାବେ ଅବସ୍ଥାପିତ ହୋଇଥିବାର ତିନିବର୍ଷ ପରେ ତାଙ୍କୁ କନିଷ୍ଠ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଥିଲା । କନିଷ୍ଠ ଶିକ୍ଷକ ମାନେ ଦୀର୍ଘ ଛଅବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶିକ୍ଷକତା କାର୍ଯ୍ୟ କରି ଆସିଥିଲେ ସୁଦ୍ଧା ସେମାନେ ସିଟି, ବିଏଡ, ଏବଂ ଓଟିଇଟି ପାସ କରିଥିଲେ ମଧ୍ୟ ଆଉ ସେମାନଙ୍କ ଚାକିରୀ କରିବାର ଆଜକୁ ଆଠବର୍ଷ ବିତି ଯାଇଥିଲେ ମଧ୍ୟ ସେହି ପ୍ରାୟ ସର୍ବମୋଟ ୬୬ଜଣ ଶିକ୍ଷାସହାୟକଙ୍କୁ ନିୟମିତ ଅବା ସ୍ଥାୟୀ ନିଯୁକ୍ତି ମିଳିଳା ନାହିଁ । ବିଭିନ୍ନ ଅପନ୍ତରାରାଇଜ, ପାହାଡ଼ିଆ, ଜଙ୍ଗଲ, ଦୁର୍ଗମ ଭଳି ଅଞ୍ଚଳରେ ଭଡା ଘରେ ରହି ମାତ୍ର ୯ହଜାର ଟଙ୍କାରେ ଚଳିବା ମଧ୍ୟ ଖୁବ କଷ୍ଟକର ବ୍ୟାପାର ବୋଲି ଶିକ୍ଷା ସହାୟକ ସଂଘ ଉଦବେଗ ପ୍ରକାଶ କରିଛନ୍ତି । ରାଜ୍ୟ ଗଣ ଶିକ୍ଷାବିଭାଗ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି । ଶିକ୍ଷା ବିଭାଗର ଅଧିକାରୀ ଅବିନାଶ ଶତପଥୀ ଧାରଣା ସ୍ଥଳରେ ଶିକ୍ଷକମାନଙ୍କୁ ପଚାରି ବୁଝିଥିଲେ । ଏସମ୍ପର୍କରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ପରେ ଶିକ୍ଷକମାନେ ଆନ୍ଦୋଳନରୁ ଓହରିଥିଲେ । ଏ ସମସ୍ତ ସମସ୍ୟାର ସମାଧାନ ତୁରନ୍ତ କରାନଗଲେ ଆଗାମୀ ଦିନରେ ତୀବ୍ରତର ଆନ୍ଦୋଳନ କରାଯିବ ବୋଲି ଶିକ୍ଷା-ସହାୟକ ମାନେ ଚେତାବନୀ ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା