

ଛତ୍ରପୁର (ସମୃଦ୍ଧ ଓଡିଶା) ଗତକାଲି ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ ତରଫରୁ ଛତ୍ରପୁର ବ୍ଲକର ପୋଟଲାମପୁର ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ANM ମାନଙ୍କୁ ସ୍ୱାସ୍ଥ୍ୟ କିଟ ପ୍ରଦାନ କରାଯାଇଛି । ପ୍ରତ୍ୟେକ ସ୍ୱାସ୍ଥ୍ୟ କିଟରେ ଦୁଇଟି ଲେଖାଏଁ ପଲସ ଅକ୍ସଇମିଟର, ୨ଟି ଡିଜିଟାଲ ଥର୍ମୋମିଟର, ୧୦୦ଟି ମାସ୍କ, ୧୦୦ଟି ହାତ ଗ୍ଳୋବ୍ସ, ୧୦୦ ମଲ୍ଟି ଭିଟାମିନ ବଟିକା, ୧୦୦ ପାରା ସୀଟାମଲ ବଟିକା, ଭିଟାମିନ ସି, ଭିଟାମିନ ଡି ବଟିକା, ୨୦ଟି ORS ପକେଟ ଓ ୫ଟି ସାନିଟାଇଜର ପ୍ରଦାନ କରାଯାଇଥିଲା । ଏହି ଅନୁଷ୍ଠାନ ସମସ୍ତ ପ୍ରକାରର ଅସୁବିଧା ଯଥା: ବାତ୍ୟା, ବନ୍ୟା, ମରୁଡି, ମହାମାରୀ ଆଦି ଅସୁବିଧା ସମୟରେ ସବୁବେଳେ ସହଯୋଗର ହାତ ବଢ଼ାଇ ଆସିଛି । ଚଳିତ ବର୍ଷ ଏହି ଅନୁଷ୍ଠାନ ଦ୍ବାରା ବର୍ତ୍ତମାନ ସୁଦ୍ଧା ୪୯୮ ଭିନ୍ନକ୍ଷମ ପରିବାରକୁ ୩ ମାସର ରାସନ ପ୍ରଦାନ କରାଯାଇଥିଲା ବେଳେ ଛତ୍ରପୁର ସ୍ଥିତ ଲେପ୍ରୋସି କଲୋନୀର ୫୦ ପରିବାରକୁ ୨ଥର ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି । ବର୍ତ୍ତମାନ କୋଭିଡର ତୃତୀୟ ଲହରକୁ ଆଖ୍ ଆଗରେ ରଖି ମହାସଂଘ ତରଫରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଆଗକୁ ମଧ୍ୟ ଏହିଭଳି କାର୍ଯ୍ୟକ୍ରମମାନ ଚାଲୁ ରହିବ ବୋଲି ମହାସଂଘର ସାଧାରଣ ସମ୍ପାଦକ ଡ଼କ୍ଟର କେ. ଆନନ୍ଦ ରାଓ ପ୍ରକାଶ କରିଥିଲେ । ଏହାବ୍ୟତୀତ ମହାସଂଘର ୨୫ ଜଣ କର୍ମଚାରୀ ମଧ୍ୟ ଏହି କିଟ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଅଂଚଳରେ ଭିନ୍ନକ୍ଷମ ଲୋକମାନଙ୍କୁ ଏହି ସେବା ଯୋଗାଇ ଦିଆଯିବ ବୋଲି ଡ଼କ୍ଟର କେ. ଆନନ୍ଦ ରାଓ ପ୍ରକାଶ କରିଥିଲେ । ଏହି ସ୍ୱାସ୍ଥ୍ୟ କିଟକୁ ନୂଆ ଦିଲ୍ଲୀର ବ୍ଲକ ଅନୁଷ୍ଠାନ ତରଫରୁ ପ୍ରଦାନ କରିଥିବାରୁ ମହାସଂଘ ତରଫରୁ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୋଟଲାମପୁର ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ଉପସ୍ଥିତ ଥିବାବେଳେ ମୁନିସିପେଣ୍ଠ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସନ୍ତୋଷିନୀ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘର ସାଧାରଣ ସମ୍ପାଦକ ଡ଼କ୍ଟର କେ. ଆନନ୍ଦ ରାଓ ସଂଯୋଜନା କରିଥିବାବେଳେ ସମର୍ଥ ମାନସିକ ଅନଗ୍ରସର ବିଦ୍ୟାଳୟର ଅଧକ୍ଷା ଶ୍ରୀମତୀ ଶର୍ମିଷ୍ଠା ମିଶ୍ର ଓ ସମର୍ଥ ମସ୍ତିସ୍କ ପକ୍ଷାଘାତ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁନୀଲ କୁମାର ପ୍ରଧାନ ଓ ସୁଶ୍ରୀ ସାଲୀମା ନାୟକ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

