ଗଞ୍ଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ସ୍ନେହଲତା ପଣ୍ଡା…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାପରିଷଦ ଅଧ୍ୟକ୍ଷ ଭାବେ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା ଗତକାଲି ତଥା ମଙ୍ଗଳବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୂଚନା ଯେ ପୂର୍ବରୁ ଏହି ଦାୟିତ୍ୱରେ ରହିଥିବା ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦରୁ ଗତ ୨୯ ତାରିଖରୁ ଇସ୍ତଫା ଦେଇଥିଲେ । ଗଞ୍ଜାମ ଜିଲ୍ଲାପାଳ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ ଅମୃତା କୁଲାଙ୍ଗେ ପତ୍ର ଜରିଆରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସ୍ନେହଲତାଙ୍କୁ ଜିଲ୍ଲା ପରିଷଦ ଅଧ୍ୟକ୍ଷର ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ହେବା ପର୍ଯ୍ୟନ୍ତ ସ୍ନେହଲତା ଏହି ଦାୟିତ୍ୱରେ ରହିବେ ବୋଲି କହିଛନ୍ତି । ଗତକାଲି ସ୍ନେହଲତା ପଣ୍ଡା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦାୟିତ୍ୱ ନେଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନହିତକର ଯୋଜନାଗୁଡିକ ଗଞ୍ଜାମ ଜିଲ୍ଲା ପ୍ରଶାସନ, ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦଙ୍କ ସହଯୋଗରେ ଜିଲ୍ଲାବାସୀଙ୍କ ନିକଟରେ କିପରି ସୁରୁଖୁରରେ ପହଞ୍ଚିପାରିବ ସେଥିପ୍ରତି କାର୍ଯ୍ୟ କରିବି ବୋଲି କହିଛନ୍ତି । ସ୍ନେହଲତା ଦାୟିତ୍ୱ ଗ୍ରହଣ ନେବା ସମୟରେ ଚିକିଟି ବିଧାୟିକାଙ୍କ ପ୍ରତିନିଧି ବି.କ୍ରିଷ୍ଣାମୂର୍ତ୍ତୀ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ବିଜେଡି ଜିଲ୍ଲା ସାଧାରଣ ସଂପାଦକ ଜଗନ୍ନାଥ ସାବତ, ଜିଲ୍ଲା ସଂପାଦକ ମନୋଜ କୁମାର ପାଢୀ, ପୁରୁଷୋତ୍ତମପୁର ବ୍ଲକ ବିଜେଡି ସଭାପତି ଦିଗାମ୍ବର ପାଣିଗ୍ରାହୀ, ସଂପାଦକ ଶ୍ୟାମସୁନ୍ଦର ଦାଶ, ଜିଲ୍ଲା ପରିଷଦ ସଭ୍ୟା ପ୍ରିୟଲତା ସାହୁ, ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ରତ୍ନାକର ସାହୁ, ସମିତି ସଭ୍ୟ ଦୈତାରୀ ବେହେରା, ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ଖୁଣ୍ଟିଆ, ନାରାୟଣ ସାହୁ, ସନ୍ତୋଷ ଦାଶ, ଜଗତବନ୍ଧୁ ପଣ୍ଡା, ଶୁଭ୍ରାଂସୁ ଶେଖର ସାବତ ପ୍ରମୁଖ ଯୋଗଦେଇ ପୁଷ୍ପଗୁଚ୍ଛ ଦେବାସହ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଠାରୁ ଆରମ୍ଭ କରି ସମସ୍ତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର କର୍ମଚାରୀ ସ୍ନେହଲତା ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଶୁଭେଚ୍ଛା ଜଣାଇଛନ୍ତି । 

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା