ଗଞ୍ଜାମ ଜିଲ୍ଲାର ନବନିର୍ମିତ ଜିଲ୍ଲାପରିଷଦ ଭବନ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ଆଗାମୀ ୧୦ତାରିଖ ଦିନିକିଆ ଗସ୍ତରେ…

ଛତ୍ରପୁର(ସମୃଦ୍ଧ ଓଡିଶା)ଆଗାମୀ ୧୦ତାରିଖ ଦିନ ମୁଖ୍ୟମନ୍ତ୍ରୀ ଗଂଜାମ ଗସ୍ତରେ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ନବନିର୍ମିତ ଜିଲ୍ଲା ପରିଷଦ ଭବନ ଉଦଘାଟନ କରିବେ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଛତ୍ରପୁରଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେଦିନ ମୁଖ୍ୟମନ୍ତ୍ରୀ ପ୍ରଥମେ ଶେରଗଡ ଓ ହିଞ୍ଜିଳି ଗସ୍ତ କରିବେ ବୋଲି ସୂଚନା ମିଳିଥିବାବେଳେ ସେଠାରେ ଆମ ଗାଁ ଆମ ବିକାଶର ପ୍ରସ୍ତାବ ଗୁଡିକ ସଂପୃକ୍ତ ବ୍ଲକର ପଞ୍ଚାୟତ ପ୍ରତିନିଧି ଓ ଲୋକଙ୍କଠାରୁ ସିଧାସଳଖ ଅଭିଯୋଗ ଗ୍ରହଣ କରିବେ । ପୂର୍ବରୁ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ପାଇଁ ଭିଡିଓ କନଫେରନ୍ସିଂ ଜରିଆରେ ପ୍ରସ୍ତାବ ଗ୍ରହଣ କରାଯାଉଥିଲା । ମୁଖ୍ୟମନ୍ତ୍ରୀ ରାଜ୍ୟରେ ପ୍ରଥମ କରି ସିଧାସଳଖ ଲୋକଙ୍କ ସହ ମିଶି ସେମାନଙ୍କ ପରାମର୍ଶ ଗ୍ରହଣ କରିବେ । ସେଠାରୁ ଆସି ମୁଖ୍ୟମନ୍ତ୍ରୀ ଛତ୍ରପୁର ଠାରେ ପହଞ୍ଚି ଅପରାହ୍ନ ୨ଟା୩୦ରେ ପ୍ରାୟ ୧୦କୋଟି ଟଙ୍କା ବ୍ୟୟରେ ନିର୍ମିତ ଜିଲ୍ଲା ପରିଷଦ ଭବନ ଉଦଘାଟନ କରିବେ । ତା ସହିତ ଛତ୍ରପୁର ଠାରେ ନବନିର୍ମିତ ସ୍ମିମିଂପୁଲ,ଆରଟିଓ ଅଫିସର ନୂତନ କୋଠା, ପୁରୁଷୋତମପୁରର ନବନିର୍ମିତ ଥାନା ଗୃହ, ଛତ୍ରପୁର ରେଳଷ୍ଟେସନ୍ ନିକଟରେ ଥିବା ଦକ୍ଷତା ବିକାଶ ତାଲିମ୍ କେନ୍ଦ୍ର କୋଠା ଗୃହ, ଟୁରିଷ୍ଟ ଅଫିସ କୋଠା, ବ୍ରହ୍ମପୁରରୁ ଗୋପାଳପୁର ମଧ୍ୟରେ ନବନିର୍ମିତ ଓଭରବ୍ରିଜ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ,ବିଧାୟକ,ସାଂସଦ ଉପସ୍ଥିତ ରହିବେ । ତିନି କୋଟି ଟଙ୍କା ବ୍ୟୟରେ ନିର୍ମିତ ସ୍ମିମିଂପୁଲର ଉପଭୋଗ ସାଧାରଣ ଜନତା ନେଇ ପାରିବେ । ତେବେ ସେମାନଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇ ଏହା ଉପଭୋଗ କରିବାର ସୁବିଧା ଦିଆଯିବ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ନିର୍ବାଚନ ପାଖେଇ ଆସୁଥିବା ବେକେ ଏତେଗୁଡିଏ ଉଦଘାଟନକୁ ନେଇ ବିରୋଧୀ ଏହା ଫମ୍ପା ରାଜନୀତି ବୋଲି ଅଭିଯୋଗ କରିଛନ୍ତି।  
ରିପୋର୍ଟ:ନିମାଇଁ ଚରଣ ପଣ୍ଡା