ଗଞ୍ଜାମ ଜିଲ୍ଲାର ବର୍ଷିଆନ ନେତା ଅଲେଖ ଚୌଧୁରୀଙ୍କ ଦେହାନ୍ତ : ଜିଲ୍ଲାରେ ଶୋକର ଛାୟା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ବର୍ଷିଆନ ନେତା ଅଲେଖ ଚୌଧୁରୀଙ୍କ ସମେତ ଆଉ ୨ ଜଣ ବ୍ୟକ୍ତି ଗତ ରାତିରେ ନିଜ ଘରେ ସର୍ଟସର୍କିଟରୁ ଅଗ୍ନି ବାହାରିବାରୁ ଜୀବନ୍ତଦଗ୍ଧ ହୋଇ ମୃତ୍ୟୁବରଣ କରିଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଗୋଷାଣୀନୂଆଗାଁ ପାଣିଗ୍ରାହୀ ପେଣ୍ଠ ସାହିରେ ଥିବା ଅଲେଖ ଚୌଧୁରୀଙ୍କ ନିଜ ଘରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟି ଅଲେଖ ଚୌଧୁରୀ(୬୯)ଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଅନ୍ୟ ଦୁଇ ଜଣ ହେଲେ ଭଗବାନ ପାତ୍ର(୮୪) ଓ ସୁନିଲ ବେହେରା(୧୯) । ଏହି ୩ ଜଣ ଗୋଟିଏ ରୁମ୍‌ରେ ଥିବା ବେଳେ ରାତି ପ୍ରାୟ ୨ଟାରେ ସର୍ଟସର୍କିଟରୁ ନିଆଁ ବାହାରି ଥିବା ଅନୁସନ୍ଧାନରୁ ଜଣାପଡିଛି । ପରିବାରର ଅନ୍ୟ ସଦସ୍ୟମାନେ ଏ ସମ୍ପର୍କରେ ଜାଣି ପାରି ନ ଥିବା ବେଳେ ଗୁରୁତର ହୋଇ ପଡ଼ିଥିବା ଅଲେଖ ନିଜେ ଅଗ୍ନିଶମ କାର୍ଯ୍ୟାଳୟକୁ ଫୋନ୍‌ କରି ସାହାଯ୍ୟ ପାଇଁ କହିଥିଲେ ଓ ବାହାରେ ଥିବା ବଡ଼ପୁଅକୁ ମଧ୍ୟ ଫୋନ କରି ତୁରନ୍ତ ଆସିବାକୁ କହିଥିଲେ ବୋଲି ଜଣାପଡିଛି । ତେବେ ଅଗ୍ନିଶମ ବିଭାଗ ଓ ପୁଅ ପହଞ୍ଚିବା ପୂର୍ବରୁ ଘର ଭିତରେ ଅଚେତ ହୋଇ ଯାଇଥିଲେ ଏହି ତିନି ଜଣ । ଗୁରୁତର ଅବସ୍ଥାରେ ସେମାନଙ୍କୁ ବଡ଼ମେଡିକାଲକୁ ଅଣାଯାଇ ଥିଲା । ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏହି ଘଟଣା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ମନା କରିବା ସତ୍ୱେ ବି ବାପା ଘର ଭିତରକୁ ଚାଲି ଯାଇଥିଲେ ବୋଲି ତାଙ୍କ ପୁଅ ନିରଜ ଚୌଧୁରୀ କହିଛନ୍ତି । ଅନ୍ୟକୁ ଉଦ୍ଧାର କରିବାକୁ ଯାଇ ନିଜେ ଚାଲିଗଲେ ବୋଲି ପୁଅ କହିଛି । ବ୍ରହ୍ମପୁର ଏସଡିପିଓ ବିଷ୍ଣୁପ୍ରସାଦ ପତି ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ବୋଲି କହିଛନ୍ତି । କେବଳ ଗୋଷାଣିନୂଆଗାଁ କି ବ୍ରହ୍ମପୁର ସହର ନୁହଁ । ସମଗ୍ର ଗଞ୍ଜାମ ଜିଲ୍ଲାରେ ଅଲେଖ ଚୌଧୁରୀ ଜଣେ ରାଜନେତା ତଥା ସମାଜସେବୀ ରୂପେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । କଂଗ୍ରେସ ଟିକଟରୁ ଦୁଇ ଥର ଓ ସ୍ୱାଧୀନ ଭାବେ ଥରେ ବିଧାନସଭା ନିର୍ବାଚନ ଲଢ଼ିଥିଲେ । ଜିଲ୍ଲା କଂଗ୍ରେସର ସଭାପତି ରୂପେ ଦାୟିତ୍ୱ ମଧ୍ୟ ତୁଲାଇ ଥିଲେ । ତତକାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହିତ ତାଙ୍କର ୧୯୮୩ ମସିହାରୁ ୨୦୦୦ ଯାଏଁ ଭଲ ସମ୍ପର୍କ ରହିଥିଲା । ପରେ କିଛି ଦିନ ରାଜନୀତିକ ନୀରବତା ପରେ ୨୦୧୪ ମସିହାରେ ବିଜେଡିରେ ଯୋଗଦାନ କରିଥିଲେ । ସେ ଦୁଇଥର ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି ରହିଥିଲେ । କଂଗ୍ରେସ ଶାସନ ସମୟରେ ସେ ଏହି ବ୍ୟାଙ୍କରେ ସଭାପତି ଥିଲେ । ବିଜେଡିରେ ଯୋଗ ଦେବା ପରେ ମଧ୍ୟ ପୁଣି ଏହି ବ୍ୟାଙ୍କରେ ସଭାପତି ଦାୟିତ୍ୱ ତୁଲାଇ ଆସୁଥିଲେ । ସେ ଜଣେ ଲୋକପ୍ରିୟ ସଂଗଠକ ଥିଲେ ବୋଲି ସାଧାରଣରେ ଝୁରି ହେଉଥିବା ଜଣାପଡିଛି । ଶବ ବ୍ୟବଚ୍ଛେଦ ପରେ ଏକ ପଟୁଆରରେ ମରଶରୀର ଆସି ଘରେ ପହଞ୍ଚିବା ପରେ ଶହ ଶହ ଲୋକ ରୁଣ୍ଡ ହୋଇ ତାଙ୍କର ଶେଷ ଦର୍ଶନ କରିଥିଲେ । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗୋପାଳପୁର ବିଧାୟକ ଡ.ପ୍ରଦୀପ କୁମାର ପାଣିଗ୍ରାହୀ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଜିଲ୍ଲା ଉପସଭାପତି ଭଗବାନ ଗନ୍ତାୟତ ଓ ଦଳର ବହୁ ନେତା ସେଠାରେ ପହଞ୍ଚି ପୁଷ୍ପଗୁଚ୍ଛ ଦେଇ ଅଲେଖଙ୍କ ଶେଷ ଦର୍ଶନ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସାଂସଦ ଓ ବିଧାୟକ ତାଙ୍କ ମରଶରୀର ଉପରେ ପୁଷ୍ପଗୁଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବିଜେଡି ପତାକା ଢାଙ୍କି ଏକ ବିରାଟ ପଟୁଆରରେ ତାଙ୍କ ମରଶରୀରକୁ ନିଆଯାଇଥିଲା । ତାଙ୍କର ବିୟୋଗ ଦଳ ପାଇଁ ବଡ଼ କ୍ଷତି ଘଟିଲା ବୋଲି ସାଂସଦ ଚନ୍ଦ୍ରଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା