ଗଞ୍ଜାମ ଜିଲ୍ଲାର ୧୦୪ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳରେ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ:୧୯ରେ ମକଡ୍ରିଲ…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ୧୦୪ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳରେ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ନେଇ ଆସନ୍ତା ୧୯ ତାରିଖରେ ମକଡ୍ରିଲ କରାଯିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଛତ୍ରପୁର ସ୍ଥିତ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କରାଯାଇଛି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠି ଅଧ୍ୟକ୍ଷତା କରିଥିଲେ . ମଗଡ୍ରିଲରେ ବାତ୍ୟା ଆଶ୍ରୟ ପରିଚାଳନା କମିଟି, ସ୍ଥାନୀୟ ଜନପ୍ରତିନିଧି, ସରକାରୀ ଅଧିକାରୀ ଓ କର୍ମଚାରୀ, ବିଜୁ ଯୁବବାହିନୀର ସଦସ୍ୟ, ଏନଜିଓ, ଆଶା, ଅଙ୍ଗନୱାଡି କର୍ମୀ, ଏନସିସି, ନେହେରୁ ଯୁବ କେନ୍ଦ୍ର, ସିଭିଲ ସୋସାଇଟି ଓ ଏସଏଚଜିର ସଦସ୍ୟାମାନେ ସାମିଲ ହେବେ । ପ୍ରତି ଆଶ୍ରୟସ୍ଥଳୀର କମିଟିକୁ ଏଥିପାଇଁ ୭ ହଜାର ଟଙ୍କା ଦିଆଯାଉଛି । ମଙ୍ଗଳବାର ତାହା ଆସନ୍ତାକାଲି ଏ ନେଇ ପ୍ରତି ବ୍ଳକରେ ପ୍ରସ୍ତୁତି ବୈଠକ କରାଯିବ । ବିପର୍ଯ୍ୟୟ ବେଳେ କିଭଳି ଏହାର ମୁକାବିଲା କରାଯିବ ସେ ନେଇ ଲୋକଙ୍କୁ ସଚେତନ କରିବା ଏହି ମଗଡ୍ରିଲର ଲକ୍ଷ । ଓସଡ଼ମାର ଜେନେରାଲ ମ୍ୟାନେଜର ଡ଼. ପି କେ ନାୟକ ମକଡ୍ରିଲର ଅନୁଧ୍ୟାନ କରିବା ପାଇଁ ଗଞ୍ଜାମ ଆସିବେ ବୋଲି ସୂଚନା ଦିଆଯାଇଛି . ପ୍ରସ୍ତୁତି ବୈଠକରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଦେବରାଜ ପାତ୍ର, ଜିଲ୍ଲା ପ୍ରକଳ୍ପ ସଂଯୋଜକ ପ୍ରଭୁ ପ୍ରସାଦ ମହାରଣା, ଓଡ୍ରାଫର ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଗୋପବନ୍ଧୁ ତ୍ରିପାଠୀଙ୍କ ସମେତ ବିଡ଼ିଓ, ତହସିଲଦାର, ସରପଞ୍ଚ ତଥା ଆଶ୍ରୟସ୍ଥଳୀଗୁଡିକର ସଭାପତି, ସମ୍ପାଦକ, ବିଜୁ ଯୁବବାହିନୀ ସଂଯୋଜକ, ଏନଜିଓ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା