ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ଟିଡ଼ି ଟିକା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ଟିଡ଼ି (ଟିଟାନସ ଏବଂ ଆଡ଼ଲଟ ଡିପଥେରିଆ) ଟିକାର ବ୍ୟବହାର ଆରମ୍ଭ ହୋଇଯାଇଛି । ବ୍ରହ୍ମପୁର ସିଟି ହସ୍ପିଟାଲ ପରିସରରେ ଥିବା ପୋଷ୍ଟପର୍ଟ୍ସ ଏବଂ ଟିକାକରଣ କେନ୍ଦ୍ରଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ ଏହାକୁ ଆରମ୍ଭ କରିଛନ୍ତି । ପୂର୍ଵରୁ ଗର୍ଭବତୀ ଏବଂ ଶିଶୁମାନଙ୍କୁ ଟିଟାନସ ଟାକ୍ସିଡ(ଟିଟି) ଟୀକା ଦିଆଯାଉଥିଲା । କିନ୍ତୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ନ୍ୟାଶନାଲ ଟେକନିକାଲ ଆଡ଼ଭାଇଜରି ଗ୍ରୁପ ଅନ ଇମ୍ୟୁନାଇଜେଶନ(ଏନଟିଏଜିଆଇ)ର ତରଫରୁ ଟିଟି ବଦଳରେ ଟିଡ଼ି ଟିକାର ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗର୍ଭବତୀଙ୍କୁ ୩ଟି ପର୍ଯ୍ୟାୟ ଯଥା ଗର୍ଭାବସ୍ଥାର ପ୍ରାଥମିକ ଅବସ୍ଥାରେ, ଏହାର ଚାରି ସପ୍ତାହ ପରେ ଏବଂ ଯଦି ପୂର୍ବ ଗର୍ଭଧାରଣର ତିନି ବର୍ଷ ପରେ ପୁଣି ଗର୍ଭଧାରଣ କରନ୍ତି ତେବେ ଟିଡ଼ି ଟିକା ଦିଆଯିବ । ସେହିଭଳି ୧୦ବର୍ଷ ଏବଂ ୧୬ ବର୍ଷର ପିଲାଙ୍କୁ ମଧ୍ୟ ଏହି ଟିକା ଦିଆଯିବ । ଗଞ୍ଜାମ ଜିଲ୍ଲାରେ ପ୍ରାୟ ୫୯ ହଜାର ୩୬୮ ଗର୍ଭବତୀ, ୫୮ ହଜାର ୫୦୩ ଜଣ ୧୬ ବର୍ଷ ବୟସ୍କ ଏପରି ମୋଟ ୧ ଲକ୍ଷ ୭୭ ହଜାର ୨୧୩ ଜଣକୁ ଟିକା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ପାଣିଗ୍ରାହୀ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା