

ଛତ୍ରପୁର (ସମୃଦ୍ଧ ଓଡିଶା) ନ୍ୟାସନାଲ ଡିଫେନ୍ସ ଏକାଡେମୀର ପ୍ରତିନିଧି ଦଳ ଉନ୍ନୟନ କାର୍ଯ୍ୟ ତଦାରଖ ପାଇଁ ଗଞ୍ଜାମ ଜିଲ୍ଲାରେ ଆସି ପହଞ୍ଚିଛନ୍ତି । ଏହି ପ୍ରତିନିଧି ଦଳରେ ଦେଶ ଓ ବିଦେଶର ୧୪ ଜଣିଆ ପ୍ରତିନିଧି ରହିଛନ୍ତି । ଏମାନେ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି । ଏମାନଙ୍କ ସହିତ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ଏହି ପ୍ରତିନିଧି ଦଳ ଛତ୍ରପୁର ବ୍ଲକର ଭିକାରୀପାଲ୍ଲୀ ପଞ୍ଚାୟତର ନୂଆପାଲ୍ଲୀ ଗ୍ରାମରେ ଉଦ୍ୟାନ ବିଭାଗ ପକ୍ଷରୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ଦ୍ୱାରା ହୋଇଥିବା ଗୋଲାପ ଚାଷ ବୁଲି ଦେଖିବା ସହ କଣମଣା ପଞ୍ଚାୟତର ଟାକିରିଆ ବ୍ରହ୍ମପୁର ଗ୍ରାମରେ ହୋଇଥିବା ଆଧୁନିକ ଧରଣର କଲ୍ୟାଣ ମଣ୍ଡପ, କାଳିପଲ୍ଲୀର ସିଲେଇ ସେଣ୍ଟର ଆଦି ଅଞ୍ଚଳ ବୁଲିଥିଲେ । ଏହାପରେ ରାମଚନ୍ଦ୍ରପୁର ପଞ୍ଚାୟତର ପଞ୍ଚାୟତ ଗୃହ, ଛତ୍ରପୁର ଷ୍ଟାଡିୟମ ପରିଦର୍ଶନ କରିଥିଲେ । ଏହି ପ୍ରତିନିଧି ଦଳରେ ଏମ.ଏସ. ଆନିଶ ଜେସୋଫ ଚାନ୍ଦ୍ରା, ବ୍ରିଙ୍ଗ ସମାର୍ଥ ନାଗରା, କମାଣ୍ଡାଣ୍ଟ ରଜତ କାପୁର, କ୍ୟାପଟେନ ୟୁବିଲେସ କୋରେ, ଏୟାର କାମାଣ୍ଡେଣ୍ଟ ବି.ଏମ. ରେଡ୍ଡୀ, ଜାମୀ ଲାମେନା ସମେତ ୧୪ଜଣ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାର ଡିଆରଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଛତ୍ରପୁର ବିଡ଼ିଓ ଅମ୍ବିକାଶ ପ୍ରସାଦ ଦାସ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଅଂଶ ଗ୍ରହଣ କରି ପତିନିଧି ଦଳଙ୍କ ସହ ବିଭିନ୍ନ ଅଂଚଳ ବୁଲି ଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା




