

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କରୋନା ସଂକ୍ରମଣକୁ ରୋକିବା ଦିଗରେ ସରକାରଙ୍କ ନିୟମ ପ୍ରକାରେ ପ୍ରଶାସନ ପକ୍ଷରୁ ଯାହା ସବୁ ନୀତି ନିୟମ ବା ଗାଇଡ୍ ଲାଇନ୍ ଜାରୀ କରାଯାଇଛି, ତାହା ବର୍ତ୍ତମାନ ଜନ ସାଧାରଣ ସେଗୁଡିକର ଅନୁପାଳନ କରୁ ନଥିବା ଜିଲ୍ଲାପାଳ ହୃଦବୋଧ କରିଛନ୍ତି । ଏହି ନଜରକୁ ଆସିବା ନେଇ, ଜିଲ୍ଲା ପ୍ରଶାସନ ଦୃଢ଼ ପଦକ୍ଷେପ ନେବା ପାଇଁ ସ୍ଥିର କରିଛି । ବର୍ତ୍ତମାନ ସ୍ଥିତିରେ କରୋନା ସମ୍ପୂର୍ଣ୍ଣରୂପେ ଲୋପ ହୋଇ ନାହିଁ । ଜିଲ୍ଲାବାସୀ ନୀତି ନିୟମର ଅନୁପାଳନ ନକଲେ ପରିସ୍ଥିତି ପୁଣି ଭୟାବହ ଦେଖା ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ଏଣୁ ଜିଲ୍ଲାବାସୀ ଏହାକୁ କଡାକଡି ପାଳନ କରନ୍ତୁ ବୋଲି ଆଜି ଅନୁଷ୍ଠିତ ଭିଡିଓ କନଫରେନସ୍ ରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜଣାଇଛନ୍ତି । ମାସ୍କର ସଠିକ୍ ବ୍ୟବହାର, ପଞ୍ଚସୂତ୍ର ନିୟମ କଡାପାଳନ, ବାରମ୍ବାର ହାତ ଧୋଇବା ଅଭ୍ୟାସ ଦିଗରେ ଗୁରୁତ୍ବ ଦେବାକୁ କୁହାଯାଇଛି । ମୂଳ ସ୍ତରରୁ ଆରମ୍ଭ କରି ସମସ୍ତ ଜିଲ୍ଲାବାସୀଙ୍କର ଟିକା କରଣ ଦିଗରେ ପରିଚାଳନା ସଠିକ କରିବାକୁ ଜିଲ୍ଲାପାଳ ସମସ୍ତ ଅଧିକାରୀ ମାନଙ୍କୁ ଅବଗତ କରାଇଥିଲେ । ଟିକା କରଣ କେନ୍ଦ୍ର ଗୁଡିକରେ ସଠିକ୍ ବ୍ୟବସ୍ଥା ସହିତ ପ୍ରଦାନ କରାଯାଇଥିବା ଲକ୍ଷ୍ୟଧାର୍ଯ୍ୟ ଯେପରି ଶତ ପ୍ରତିଶତ ପୂରଣ ହେବ ତାହାକୁ ଆଧାର କରି କାର୍ଯ୍ୟ କରିବାକୁ କୁହାଯାଇଛି । ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ କର୍ଯ୍ୟ ନିର୍ବାହୀ ଅଧିକାରୀ ଗଣ ଟିକାକରଣ ସମ୍ପର୍କିତ ସୂଚନା ସୋସିଆଲ୍ ମିଡିଆ ମାଧ୍ୟମରେ ଜଣାଇବାକୁ କହିଥିଲେ । ଗଞ୍ଜାମ ଜିଲ୍ଲାରେ ୨୬୩୮୧୩୪ଜଣଙ୍କୁ ଟିକାକରଣ କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ୧୧୮୬୫୭୫ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୨୪୧୪୩୧ ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ପ୍ରଦାନ ହୋଇଛି ଯାହାକି ଶତକଡା ୪୫ ପ୍ରତିଶତ । ଅଧିକରୀଗଣଙ୍କ ନିଜ ଦାୟିତ୍ବ ଅବିରତ ଚାଲୁ ରଖନ୍ତୁ । ନିଜ ଦାୟିତ୍ବ ସୂଚାରୁ ରୂପେ ସମ୍ପାଦିତ କରାଇ ପାରିଲେ ସମୀକ୍ଷା ବୈଠକର ଆବଶ୍ୟକତା ପଡିବ ନାହିଁ । ଜିଲ୍ଲାର ସମସ୍ତ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର, ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକର ରୂପରେଖ ବଦଳାଇ ତାହାକୁ ଆକର୍ଷଣୀୟ କରି ଗଢି ତୋଳିବା ଦିଗରେ କରାଯାଉଥିବା କାର୍ଯ୍ୟକ୍ରମକୁ ତ୍ବରାନ୍ବୀତ କରିବାକୁ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ବ୍ରହ୍ମପୁର ମହାନଗର ନିଗମ କମିଶନର ବଶୀରାମ ଦୋନ୍ଦାର, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବ କୀର୍ତ୍ତି ଓ୍ବାସନ୍, ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ, ଲୀନା କୁମାରୀ ଖେସ୍,, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ସମ୍ବିତ ରାଉତ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଉମା ଶଙ୍କର ମିଶ୍ର, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ପ୍ରକଳ୍ପ ସଂଯୋଜକ ଶ୍ୟାମ ସୁନ୍ଦର ତ୍ରିପାଠୀ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ବୋଲି ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
