

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମର ଐତିହାସିକ ବିଶ୍ୱ ପ୍ରସିଦ୍ଧ ଦୋଳଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ସଭାଗୃହରେ ଅନୁଷ୍ଠିତ କରାଯାଇଛି । ଏହି ବୈଠକରେ ତହସିଲଦାର ଅବନୀ କୁମାର ସାହୁ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁନୀଲ କୁମାର ଟୁଡୁ, ଏସ ଡିପିଓ ଉତ୍କଳ କେଶରୀ ଦାଶ, ଗଞ୍ଜାମ ଥାନା ଅଧିକାରୀ ସୁଦାମ ମଲ୍ଲିକ, ଛତ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ମଦନ ମୋହନ ବେବର୍ତ୍ତା, ସନାତନ ମହାଳିକ, ଅବକାରୀ ଅଧିକାରୀ ଉମାକାନ୍ତ ସ୍ୱାଇଁ, ଗଞ୍ଜମ ସ୍ୱାସ୍ଥ୍ୟକେନ୍ଦ୍ର ଆୟୁଷ ଡାକ୍ତର ବନଜ କାନ୍ତ କର ପ୍ରମୁଖଙ୍କ ସମେତ ଜନସ୍ୱାସ୍ଥ୍ୟ, ବିଦ୍ୟୁତ ବିଭାଗ, ଅଗ୍ନିଶମ ବିଭାଗୀୟ ଅଧିକାରୀ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗଦେଇ ଆଗାମୀ ଦିନରେ ହେବାକୁ ଥିବା ଐତିହାସିକ ଦୋଳଯାତ୍ରାକୁ କିପରି ଶାନ୍ତି ଶୃଙ୍ଖଳାର ସହ ଆୟୋଜିତ କରାଯାଇ ପାରିବ ସେ ନେଇ ଉପସ୍ଥିତ ବିଭିନ୍ନ ଗ୍ରାମ ଓ ସାହି ଦୋଳଯାତ୍ରା କମିଟିଙ୍କୁ ନେଇ ପାନୀୟ ଜଳର ସୁବ୍ୟବସ୍ଥା, ଚୋରା ମଦ ବେପାର ଉପରେ ରୋକ ଲଗାଇବା ଓ ବିଶୃଖଳାକାରୀ ମଦ୍ୟପଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଯାତ୍ରା ଦିନମାନଙ୍କରେ ଦେଶୀ ଓ ବିଦେଶୀ ମଦ ଦୋକାନଗୁଡିକୁ ବନ୍ଦ କରିବା, ୨୪ ଘଣ୍ଟିଆ ମେଡିକାଲରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା, ଯାତ୍ରା ସମୟରେ ବିଭିନ୍ନ ଖାଦ୍ୟ ପଦାର୍ଥର ମାନ ପରୀକ୍ଷା କରି ନିମ୍ନ ମାନର ଖାଦ୍ୟ ବିକ୍ରେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ପ୍ରତ୍ୟକ ବର୍ଷ ପରି ନିର୍ଘଣ୍ଠ ସମୟରେ ଠାକୁରମାନଙ୍କୁ ନେଇ ଯାତ୍ରା ସ୍ଥଳକୁ ପଦାର୍ପଣ କରିବା, ଡିଜେ ସାଉଣ୍ଡ ଵ୍ୟଵହାର ନ କରିବା ଆଦି ବିଷୟକୁ ନେଇ ଆଲୋଚନା କରାଯାଇଛି । ଏଥିରେ ଏନଏସି କର୍ମଚାରୀ ସତ୍ୟବାଦୀ ବାରିକି ବିବରଣୀ ପାଠ କରିଥିଲେ । ଏହି ବୈଠକରେ ପଣ୍ଡା ସାହି, ଚୌଧୁରୀ ସାହି, ସମନ୍ତରା ସାହି, ଦୁର୍ଗାଦେବୀ ସାହି, ନୂଆଁସାହି, ରାଉଳ ସାହି, ଓଡ଼ିଆ ଢାମଣା ସାହି, ବ୍ରାହ୍ମଣ ଢାମଣା ସାହି, ଦାମୋଦରପୁର, ସାନବଜାର କୈବର୍ତ୍ତ ସାହି, ପୁଇଁତୋଳା ବଡ଼ସାହି, ବାରିକି ସାହି, ସାନସାହି, ସୂର୍ୟ୍ୟନାରାୟଣ ପୁର, ବିଞ୍ଚଣାପଲ୍ଲୀ, କର୍ତ୍ତି ସାହି ପ୍ରମୁଖ ଯାତ୍ରାକମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏହି ବୈଠକରେ ଏନଏସି କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା





