ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାରେ ‘ଫନି’ସଂଖ୍ୟା ବଢିଛି । ବାତ୍ୟା ଫନିକୁ ନେଇ ଚାରିଆଡ଼େ ଭୟର ବାତାବରଣ ଖେଳି ଯାଇଥିବା ବେଳେ ଭଞ୍ଜନଗର ମେଡ଼ିକାଲରେ ଗୁରୁବାର ମଧ୍ୟରାତ୍ରୀରୁ ଶୁକ୍ରବାର ରାତି ୯ ଟା ମଧ୍ୟରେ ୭ ଜଣ ଶିଶୁପୁତ୍ର ଓ ୨ ଜଣ କନ୍ୟା ଜନ୍ମ ଗ୍ରହଣ କରିଥିଲେ । ଏହି ଫନି ବାତ୍ୟା ସମୟରେ ଏହି ଶିଶୁମାନେ ଜନ୍ମଗ୍ରହଣ କରିଥିବାରୁ ସେମାନଙ୍କ ନାମ ଫନି ରଖାଯାଇଥିବା ଜଣାପଡ଼ିଛି । ବାତ୍ୟା ପୂର୍ବରୁ ପ୍ରଶାସନ ଆସନ୍ନ ପ୍ରସବାମାନଙ୍କୁ ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ । ଯାହାଫଳରେ ସମସ୍ତ ଶିଶୁ ସୁରକ୍ଷିତ ଭାବେ ଜନ୍ମଗ୍ରହଣ କରିଛନ୍ତି । ସେହିପରି ‘ଫନି’ର ଓଡିଶାରେ ଲ୍ୟାଣ୍ଡଫଲ ସମୟରେ କୁକୁଡାଖଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୁଇଜଣ ଶିଶୁ ଜନ୍ମ ହୋଇଛନ୍ତି । ସେମାନଙ୍କ ନାମ ‘ଫନି’ ବୋଲି ରଖା ଯାଇଛି । ବାତ୍ୟା ପୂର୍ବ ଦିନ ଗୁରବାର ରାତ୍ର ୯ଟା ସମୟରେ ସୋମପୁର ଗ୍ରାମର ମମତା ଗୌଡଙ୍କ ଏକ ଶିଶୁ ଜନ୍ମ ହୋଇଥିଲା ତା’ର ନାମ ଫନି ରଖାଯାଇଥିବା ବେଳେ ଶୁକ୍ରବାର ସକାଳ ୮ଟାରେ ବାଇଗଣବାଡି ଗ୍ରାମର ବନିତା ନାୟକଙ୍କ ଶିଶୁ ପୁତ୍ର ଜନ୍ମ ହେବା ପରେ ତାର ନାମ ଫନି ବୋଲି ନାମକରଣ କରାଯାଇ ଥିବା ସୂଚନା ମିଳିଛି । ସେହିପରି ଛତ୍ରପୁର ମେଡିକାଲରେ ମଧ୍ୟ ୩ ଜଣ ଶିଶୁ ସେଦିନ ଜନ୍ମ ହୋଇଥିଲେ ସେମାନଙ୍କ ନାମ ମଧ୍ୟ ଫନି ରଖାଯାଇଛି । ସେମାନଙ୍କ ମାଆମାନେ ହେଲେ ମନୋରଞ୍ଜନ ସାହୁଙ୍କ ସ୍ତ୍ରୀ କୁମତୀ, ଅରୁଣ ଦାସଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳୀ ଓ ପି ନାଇଡୁଙ୍କ ସ୍ତ୍ରୀ ପି ପୂର୍ଣିମା ।
ରିପୋର୍ଟ : ଜିଲ୍ଳା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା