ଗଞ୍ଜାମରେ ବଣ୍ଟନ ହେବ ହୋମିଓପ୍ୟାଥିକ ମେଡ଼ିସିନ ଆର୍ସେନିକ ଆଲବମ ୩୦…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମରେ ହୋମିଓପ୍ୟାଥିକ ଆର୍ସେନିକ ଆଲବମ ୩୦ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି । ମହାରାଷ୍ଟ୍ର ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଓଡିଶାର ଗଞ୍ଜାମ ଜିଲ୍ଲାରେ ଏହା ବଣ୍ଟନ କରାଯିବ ବୋଲି ଜଣାଯାଇଛି । ଗଞ୍ଜାମ ଜିଲ୍ଲାରେ କରୋନାରେ ଅଧିକ ଲୋକ ସଂକ୍ରମିତ ହେଉଥିବା ଜଣାପଡିଥିବାରୁ ଗଞ୍ଜାମରେ ଏହାକୁ ବାଣ୍ଟିବାକୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ଜିଲ୍ଲା ଚିକିତ୍ସାଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରସ୍ତୁତି କରିବା ପାଇଁ ବ୍ରହ୍ମପୁରରେ ରହିଥିବା ବିଜୁ ପଟ୍ଟନାୟକ ହୋମିଓପ୍ୟାଥିକ ମେଡିକାଲ କଲେଜ ହସପିଟାଲକୁ ଚିଠି ଲେଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦ ହଜାର ବୋତଲ ପ୍ରସ୍ତୁତ କରିବାକୁ କୁହାଯାଇଛି । ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଥିବା ଜଣାପଡିଛି । ଏହି ମେଡିସନକୁ କୋଭିଡ୍ ୧୯ରେ ଆକ୍ରାନ୍ତ ପଜିଟିଭ, କୋରୋନା ସନ୍ଦିଗ୍ଧ ଏବଂ କୋରୋନା ଯୁଦ୍ଧରେ କାର୍ଯ୍ୟ କରୁଥିବା ଆଗ ଧାଡିର କର୍ମଚାରୀ ଓ ଅଧିକାରୀଙ୍କୁ ପ୍ରଦାନ କରାଯିବ । ଏହାକୁ ପ୍ଲାଷ୍ଟିକ୍ ବୋତଲରେ ପ୍ରଦାନ କରିବାକୁ କୁହାଯାଇଥିବାବେଳେ ଜନସାଧାରଣଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଏହାକୁ ବଣ୍ଟନ କରାଯିବ । ବର୍ତ୍ତମାନ ଗଞ୍ଜାମରେ କୋଭିଡ ୧୯ ସ୍ଥିତି ସମୟରେ ଯେଉଁ ଅଞ୍ଚଳରେ ଅତ୍ୟାବଶ୍ୟକ ରହିଛି ସେହି ଅଞ୍ଚଳରେ ଏହି ମେଡିସିନ ବଣ୍ଟନ କରାଯିବ । ଏପରିକି ଏହାର ଆବଶ୍ୟକ ରହିଥିବା ଅତିରିକ୍ତ ୪୦ ହଜାର ଶିଶି ବୋତଲ ପ୍ରସ୍ତୁତ କରିବାକୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି । ସୂଚନାନୁଯାୟୀ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ରାଜ୍ୟ ଆୟୁଷ ନିର୍ଦ୍ଦେଶକ ଏହାକୁ ସ୍ୱୀକୃତି ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା