ଗତକାଲି ଭୋଟବେଳେ ମେସିନ ଖରାପ ଯୋଗୁଁ ଗୋପାଳପୁରରେ ସାମାନ୍ୟ ଉତ୍ତେଜନା…

ଗୋପାଳପୁର (ସମୃଦ୍ଧ ଓଡିଶା) ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ ଅବସରରେ ଗୋପାଳପୁର ନିର୍ବାଚନମଣ୍ଡଳୀରେ ଉତ୍ତେଜନା ଦେଖା ଦେଇଥିଲା । ଏହି ନିର୍ବାଚନମଣ୍ଡଳୀର କୋଠାରସିଂ ଓ ପଞ୍ଚାମରେ ବିଜେଡି-ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହେବାରୁ ୭ ଜଣ ଆହତ ହୋଇଛନ୍ତି । ଏପରିକି ପଞ୍ଚମାରେ ପୋଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡିଥିଲା। ଏହି ନିର୍ବାଚନୀ ମଣ୍ଡଳୀର ଅଧିକାଂଶ ମତଦାନ କେନ୍ଦ୍ରରେ ସଠିକ ଭାବେ ମକପୋଲ ହୋଇନଥିବା ସହ ବହୁ ବିଳମ୍ବରେ ମତଦାନ ହୋଇଥିଲା । ଗତକାଲି ସକାଳ ୭ତା ପୂର୍ବରୁ ସମସ୍ତ ବୁଥରେ ଏଜେଣ୍ଟଙ୍କ ଉପସ୍ଥିତିରେ ମକପୋଲ ଆୟୋଜନ କରାଯାଇଥିଲା । ଏହାପରେ ୭ ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା । ଗୋଳନ୍ଥରାରେ ବୁଥ ନଂ ୧୮୩, ୧୮୪, ୧୮୫ ଓ ୧୮୬ରେ ଭୋଟ ଦାନ ଆରମ୍ଭରୁ ହିଁ ମେସିନ ଅଚଳ ହୋଇଯାଇଥିଲା ।ଏପରିକି ୧୮୬ ନମ୍ବର ବୁଥ ପ୍ରାୟ ୫୦ ମିନିଟ ପରେ ଭୋଟି ଗ୍ରହଣ ଆରମ୍ଭ ହୋଇଥିଲା । ଅନ୍ୟ ବୁଥରେ ମଧ୍ୟ ୩୦ରୁ ୪୦ ମିନିଟ ବିଳମ୍ବରେ ଭୋଟଦାନ ଆରମ୍ଭ ହୋଇଥିଲା । ରଣ୍ଢ। ପଞ୍ଚାୟତ ଅନ୍ତର୍ଗତ ପଞ୍ଚମା ସ୍ଥିତ ୧୮୭, ୧୮୮ ନଂ ବୁଥରେ ବିଳମ୍ବରେ ଭୋଟ ଆରମ୍ଭ ହୋଇଥିଲା । ମାଣ୍ଡିଆପାଲି ପ୍ରାଥମିକ ବିଦ୍ୟାଳୟରେ ୯୧ ନଂ ବୁଥକୁ ପିଙ୍କ ବୁଥ କରାଯାଇଥିଲା । ପ୍ରଶାସନ ପକ୍ଷରୁ ଭୋଟରଙ୍କ ନିମନ୍ତେ ସ୍ୱାଗତ ବ୍ୟାନର ଲଗାଯିବା ସହ ପାନୀୟଜଳ ଓ ଖରାରୁ ରକ୍ଷା ପାଇବା ନିମନ୍ତେ ଟେଣ୍ଟର ବ୍ୟବସ୍ଥା କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା