ଗରିବ ଓଡିଆ ଚାଷୀଙ୍କ ରକ୍ତକୁ ଶୋଷି ତାଙ୍କ ପଇସାରେ ବିଜେଡି ମଉଜ କରୁଛି – ବିଜେପି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଜେଡି ଓ ମିଲର ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ପାଇଁ ଆଜି ଚାଷୀକୂଳ ହତାଶ ହୋଇ ପଡିଛନ୍ତି । ଚାଷୀ ତାର ହକ୍ ମାଗିଲେ ବିଜେଡି ନିଜର ଗୁଣ୍ଡାବାହିନୀଙ୍କୁ ଲଗାଇ ମାଡ ମାରୁଛି । ଏଭଳି ସ୍ଥିତିରେ ସମବାୟ ମନ୍ତ୍ରୀ ଯେଉଁ ବିତଣ୍ଡା ଯୁକ୍ତି କରିଛନ୍ତି ତାହା ଗାଲୁଆଙ୍କ ବାରବାଟି ଚାଷ ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି । ଏପରି ମନ୍ତ୍ରୀଙ୍କୁ ୨୪ ଘଂଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ନକଲେ ଏହାକୁ ନେଇ ନବୀନ ନିବାସ ଘେରାଉ ହେବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି, ରାଜ୍ୟରେ ଧାନର କଳାବଜାର ହେବା, ମଣ୍ଡିରେ ଧାନ ପଡି ରହିବା, ଓଡିଶାରୁ ଚାଷୀ ମାନଙ୍କ ଧାନ ବାହାର ରାଜ୍ୟରେ ବିକ୍ରୀ ହେବା, ଚାଷୀମାନେ ଧାନ ନବିକି ପାରି ଶୀତକାକରରେ ମଣ୍ଡିରେ ଶୋଇ ରହିବା, ହକ ରାସ୍ତାରୋକ କରିବା ପରି ଘଟଣା ଓଡିଶାରେ ଗଣମାଧ୍ୟମରେ ପ୍ରତିଦିନ ପ୍ରକାଶ ପାଇଛି ।ଏପରି ସ୍ଥିତିକୁ ନେଇ ଗାଁ ଗଣ୍ଡାରେ ଚାଷୀ ଅସନ୍ତୋଷ ଦେଖାଦେଇଛି । ଚାଷୀ ତାର ହକ୍ ପାଉନଥିବା ବେଳେ ଏହାକୁ ପ୍ରମାଣ କରିଦେଲେ ମନ୍ତ୍ରୀପଦବୀରୁ ଇସ୍ତଫା ଦେଇଦେବି ବୋଲି କହୁଛନ୍ତି ନବୀନଙ୍କର ଅତିପ୍ରିୟ କ୍ୟାବିନେଟ ମନ୍ତ୍ରୀ ଓ ସୂର୍ଯ୍ୟନାରାୟଣ ପାତ୍ର । ମନ୍ତ୍ରୀ ଶ୍ରୀ ପାତ୍ର ସିଧାସଳଖ ଭାବେ ଓଡିଶାର ଗଣମାଧ୍ୟମର ସମ୍ବାଦ ଉପରେ ପ୍ରଶ୍ନ ଉଠାଇଛନ୍ତି । ଧାନର କଳାବଜାରୀ, ଚାଷୀ ହନ୍ତସନ୍ତର ସମସ୍ତ ପ୍ରମାଣ ସର୍ବସମ୍ମୁଖରେ ପଡିଥିବା ବେଳେ ମନ୍ତ୍ରୀ ପ୍ରମାଣ ଖୋଜିବା ଅତ୍ୟନ୍ତ ହାସ୍ୟାସ୍ପଦ ଘଟଣା । ଚାଷୀ ହନ୍ତସନ୍ତ ପ୍ରସଙ୍ଗରେ ବିଧାନସଭାରେ ପ୍ରସଙ୍ଗ ଉଠିଛି । ମନ୍ତ୍ରୀ ମଧ୍ୟ ଏହାର ଉତର ଦେଇଛନ୍ତି । ଏପରିକିକେନ୍ଦ୍ରାପଡା ଜିଲାର ବିଜେଡି ସଭାପତି ଚାଷୀଙ୍କୁ ଠକିବାର ଅଭିଯୋଗ ଆସିଛି , ଏହାର ତଦନ୍ତ ମଧ୍ୟ ଚାଲୁଛି । ଏପରି ସ୍ଥିତିରେ ମନ୍ତ୍ରୀ ପ୍ରମାଣ ଖୋଜିବା ଦିନ ଦ୍ୱିପହରରେ ଓଡିଶାବାସୀଙ୍କୁ ଲଣ୍ଠନ ଦେଖାଇବା ସଦୃଶ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀ ଓ ସମବାୟ ମନ୍ତ୍ରୀଙ୍କ ନିଜ ଜିଲା ଗଞ୍ଜାମ ଖଲିକୋଟରେ ଧାନର ଉଚିତ ମୂଲ ମାଗିବାରୁ ଚାଷୀଙ୍କୁ ବିଜେଡି ନେତା ତଥା ତାଙ୍କର ଗୁଣ୍ଡାବାହିନୀ ଆକ୍ରମଣ କଲେ । ଜଣେ ବରିଷ୍ଠ ନାଗରିକଙ୍କୁ ଏପରି ଆକ୍ରମଣ ହୋଇଥିବା ବେଳେ ଥାନାରେ ମାମଲା ଦାଏର ହୋଇଥିଲେ ମଧ୍ୟ ପୋଲିସ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟନୁଷ୍ଠାନ ନେଉନାହିଁ । ବରଂ ସେମାନଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଉଛି । ଏହା ବିଜେଡିର ଗୁଣ୍ଡାଗିରିକୁ ପଦାରେ ପକାଇ ଦେଉଛି । ନିଜ ଘର ଜିଲାରେ ଏପରି ଘଟଣା ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର ହୋଇଥିବା ବେଳେ ଥ୍ରୀ-ଟି କଥା କହୁଥିବା ନବୀନ ସରକାର କିପରି ଭାବେ ଏ ଖବର ଜାଣିପାରୁନାହାନ୍ତି ଏହା ଅତ୍ୟନ୍ତ ହାସ୍ୟାସ୍ପଦ ଘଟଣା । ଶ୍ରୀ ମହାନ୍ତି ଆହୁରି କହିଛନ୍ତି ଯେ, ଥ୍ରୀ-ଟି କଥା କହୁଥିବା ନବୀନ ସରକାର କିପରି ଭାବେ ଏ ଖବର ଜାଣିପାରୁନାହାନ୍ତି । ମିଲର ମାନଙ୍କ ସହ ମଧୁଚନ୍ଦ୍ରିକା କରି ନିର୍ବାଚନ ପାଇଁ ପାଣ୍ଠି ସଂଗ୍ରହ କରୁଛନ୍ତି । ଗରିବ ଓଡିଆ ଚାଷୀଙ୍କ ରକ୍ତକୁ ଶୋଷି ତାଙ୍କ ପଇସାରେ ବିଜେଡି ମଉଜ କରୁଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ସବୁ ଘଟଣା ଘଟୁଥିବା ବେଳେ ମୁଖ୍ୟମନ୍ତ୍ରୀ ଅନ୍ଧ ଧ୍ରୁତରାଷ୍ଟ୍ର ସାଜିଛନ୍ତି । ଆଦର୍ଶ ମୁଖିଆ ବୋଲି କହି ବୁଲୁଥିବା ନବୀନ ପଟ୍ଟନାୟକ ସରକାର ଆଜି ଚାଷୀକୂଳଙ୍କୁ ଯେଉଁ ଧୋକ୍କା ଦେଇଛନ୍ତି ତାର ଜବାବ ମାଗିବାର ସମୟ ଆସିଛି । ଆଗାମୀ ୨୪ ଘଂଟା ମଧ୍ୟରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ବହିଷ୍କାର କରାନଗଲେ ଏହାକୁ ନେଇ ଜୋରଦାର ଆନ୍ଦୋଳନ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, କୃଷକ ମୋର୍ଚ୍ଚା ସାଧାରଣ ସଂପାଦକ ସୁରଥ ବିଶ୍ୱାଳ, ରାଜ୍ୟ ସଂପାଦକ ଶ୍ରୀରଂଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଆକାଶ ମିଶ୍ର