ଗରିବ ଭୂମିହୀନଙ୍କ ବିଭିନ୍ନ ଦାବୀ ନେଇ ଧାରଣା:୧୦ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ମ୍ୟୁନିସିପାଲଟି ଅଫିସକୁ ଅଚଳ କରିବା ନେଇ ଚେତାବନୀ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲାର ୪୩ଟି ଯାକ ବସ୍ତିର ଗରିବ ଭୂମିହୀନ ବ୍ୟକ୍ତିମାନେ ବିଭିନ୍ନ ଦାବୀ ନେଇ ଓଡିଶା ଭୂମିହୀନ ପ୍ରଜା ସମିତି ରାଜ୍ୟ ସଭାପତି ଇଂ. ଦେବାଶିଷ ହୋତାଙ୍କ ନେତୃତ୍ୱରେ ଆଜି ମ୍ୟୁନିସିପାଲଟି ଅଫିସ ଆଗରେ ଧାରଣାରେ ବସିଛନ୍ତି । ସୂଚନା ଅନୁଯାୟୀ ଇଂ. ହୋତାଙ୍କ ନିରନ୍ତର ଆନ୍ଦୋଳନ ପରେ ଢେଙ୍କାନାଳ ମ୍ୟୁନିସିପାଲଟିର ଅନେକ ଭୂମିହୀନଙ୍କୁ ଘରଡ଼ିହ ପଟ୍ଟା ମିଳି ପାରିଥିଲେ ମଧ୍ୟ ଆହୁରି ଅନେକ ଭୂମିହୀନ ପଟ୍ଟା ନ ପାଇ ରହି ଯାଇଛନ୍ତି । ଶ୍ୟାମାଚରଣପୁର ଭଳି କିଛି ବସ୍ତିରେ ଗରିବ ଭୂମିହୀନ ମାନଙ୍କୁ ଟୋକନ ଦିଆଯାଇନାହିଁ । କିଛି ବସ୍ତିରେ ସର୍ଭେ ମଧ୍ୟ କରାଯାଇନାହିଁ । ଅଥଚ ଭଗବାନପୁର ଭଳି କିଛି ବସ୍ତିରେ ଗରିବ ଆଦିବାସୀମାନେ ପୁରୁଷ ପୁରୁଷ ଧରି ଭୋଗ ଦଖଲ କରି ଆସୁଥିବା ଦଖଲ ଜମିକୁ ବେଦଖଲ କରି ଦଲାଲମାନଙ୍କୁ ଓଡିଶା ବସ୍ତି ବାସିନ୍ଦା ଭୂଅଧିକାରୀ ଅଧିନିୟମ-୨୦୧୭ ଅନୁଯାୟୀ ବେଆଇନ ଭାବେ ଘରଡ଼ିହ ପଟ୍ଟା ପ୍ରଦାନ କରାଯାଉଛି । ସେହିପରି ୧୯୭୧ ମସିହାରୁ କେ-ଫର୍ମ ପଟ୍ଟା ପାଇଥିବା କୋରିଆଁ ଜୁଆଙ୍ଗ ସାହିର ଗରିବ ଆଦିବାସୀମାନଙ୍କ ଘରକୁ ଜୋରଜବରଦସ୍ତ ଅନ୍ୟାୟ ଭାବେ ଭାଙ୍ଗି ସେମାନଙ୍କୁ ବେଦଖଲ କରି ଦିଆଯାଉଛି । ଏ ସବୁର ପ୍ରତିବାଦ କରି ଆଜି ଢେଙ୍କାନାଳ ଟାଉନର ସମସ୍ତ ୪୩ଟି ଯାକ ବସ୍ତିର ହଜାର ହଜାର ଗରିବ ଭୂମିହୀନ ମ୍ୟୁନିସିପାଲଟି ଅଫିସ ଆଗରେ ଏକଜୁଟ ହୋଇ ନିଜର ହକ ଦାବିକୁ ତୁରନ୍ତ ପୂରଣ କରିବାକୁ ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି । ସେହି ଦାବୀ ପତ୍ରରେ ଉଲ୍ଲେଖ ଅଛି ଯେ, ୧୦ ଦିନ ମଧ୍ୟରେ ୪୩ଟି ଯାକ ବସ୍ତିର ଗରିବ ଭୂମିହୀନମାନଙ୍କୁ ଟୋକନ ଦିଆଯାଇ ଘରଡ଼ିହ ପଟ୍ଟା ପ୍ରଦାନ କରାଯାଉ, ଜାଗା ମିଶନରେ ଘର ତିଆରି ପାଇଁ ତୁରନ୍ତ ଅର୍ଥ ପ୍ରଧାନ କରାଯାଉ, ଭଗବାନପୁର ବସ୍ତିରୁ ଦଲାଲମାନଙ୍କୁ ବେଦଖଲ କରାଯାଉ ଏବଂ ୧୯୭୧ ମସିହାରୁ କେ-ଫର୍ମ ପଟ୍ଟା ପାଇଥିବା କୋରିଆଁ ଜୁଆଙ୍ଗ ସାହିର ଗରିବ ଆଦିବାସୀ ମାନଙ୍କୁ କ୍ଷତି ପୂରଣ ପ୍ରଦାନ କରି ଘରଡ଼ିହ ପଟ୍ଟା ଦିଆଯାଉ । ଯଦି ଏହି ସମସ୍ତ ଦାବିଗୁଡିକୁ ତୁରନ୍ତ ପୂରଣ କରାନଯାଏ ତେବେ ଦାବୀ ପୂରଣ ହେବା ପର୍ଯ୍ୟନ୍ତ ମ୍ୟୁନିସିପାଲଟି ଅଫିସକୁ ଅଚଳ କରିବାକୁ ମଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ।

ରିପୋର୍ଟ : ଶୁଭମ ପାଣି